ବାବ୍ରି ମସଜିଦ ମାମଲା ରାସ୍ତାରେ ଯାଉଛି ଜ୍ଞାନବ୍ୟାପୀ ମାମଲା, ଏହା ଦେଶରେ ଅସ୍ଥିରତା ସୃଷ୍ଟି କରିବ: ଅସଦୁଦ୍ଦିନ ଓଓ୍ବେସୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜ୍ଞାନବ୍ୟାପୀ ମସଜିଦ-ଶୃଙ୍ଗାରଗୌରୀ ମନ୍ଦିର ବିବାଦ ମାମଲାରେ ବାରାଣାସୀ ଜିଲ୍ଲା କୋର୍ଟ ନିଜ ରାୟ ପ୍ରକାଶ କରିଛନ୍ତି। କୋର୍ଟ ହିନ୍ଦୁ ପକ୍ଷର ସପକ୍ଷରେ ରାୟ ଶୁଣାଇ ଏହି ମାମଲା ବିଚାରଯୋଗ୍ୟ ବୋଲି କହିଛନ୍ତି। ଏହାପରେ କୋର୍ଟଙ୍କ ଏହି ରାୟକୁ ଟାର୍ଗେଟ କରିଛନ୍ତି ଏଆଇଏମଆଇଏମ ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓଓ୍ବେସୀ ।ସେ କହିଛନ୍ତି, ଏହି ମାମଲାର ଶୁଣାଣି ପ୍ରକ୍ରିୟା ମଧ୍ୟ ବାବ୍ରି ମସଜିଦ ମାମଲା ରାସ୍ତାରେ ଯାଉଛି । ଏହାର ଫଳାଫଳ ଦେଶରେ ଅସ୍ଥିରତା ସୃଷ୍ଟି କରିବାକୁ ଯାଉଛି ବୋଲି ଓଓ୍ବେସୀ କହିଛନ୍ତି ।

ତେବେ ସୋମବାର ଏହି ମାମଲାରେ ବାରାଣାସୀ ଜିଲ୍ଲା କୋର୍ଟଙ୍କ ରାୟକୁ ସାରା ଦେଶରେ ଅପେକ୍ଷା କରାଯାଇଥିବା ବେଳେ ଅପରାହ୍ନରେ ହିନ୍ଦୁ ପକ୍ଷଙ୍କ ସପକ୍ଷରେ ରାୟ ଦେବା ସହ ମୁସଲିମ ପକ୍ଷଙ୍କ ଆବେଦନ ଖାରଜ କରିଥିଲେ କୋର୍ଟ । ତେବେ ରାୟ ପ୍ରକାଶ ପାଇବା ପରେ ହାଇଦ୍ରାବାଦରେ ସାମ୍ବାଦିକ ସମ୍ମିଳନୀ କରିଥିଲେ ଓଓ୍ବେସୀ । ସେ କହିଥିଲେ ଯେ, ଏହି ରାୟର ଫଳ ଦେଶରେ ଅସ୍ଥିରତା ସୃଷ୍ଟି କରିବ । ବାବ୍ରି ମସଜିଦ ମାମଲା ପରି ସମାନ ରାସ୍ତାରେ ମଧ୍ୟ ଏହି ମାମଲାର ଶୁଣାଣି ପ୍ରକ୍ରିୟା ଯାଉଛି । ବାବ୍ରି ମସଜିଦର ମାମଲାର ରାୟ ପ୍ରକାଶ ପାଇବା ବେଳେ ମୁଁ ସମସ୍ତଙ୍କୁ ଅସ୍ଥିରତା ସୃଷ୍ଟି ହେବା ନେଇ ସଚେତନ କରାଇଥିଲେ । ବାବ୍ରି ମସଜିଦ ମାମଲାର ରାୟ ପ୍ରାମାଣିକ ଭାବେ ନୁହେଁ ବରଂ ବିଶ୍ବାସ ଆଧାରରେ କୋର୍ଟ ପ୍ରକାଶ କରିଥିଲେ ବୋଲି ଓଓ୍ବେସୀ କହିଛନ୍ତି ।ଆହୁରି ମଧ୍ୟ ଏହି ମାମଲା ନେଇ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସେ ସୂଚନା ଦେଇଛନ୍ତି । ଜିଲ୍ଲା କୋର୍ଟର ଏହି ରାୟକୁ ଉଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରାଯିବା ଉଚିତ ବୋଲି ସେ ଆବେଦନକାରୀ ପକ୍ଷ ଅଞ୍ଜୁମାନ ଇନ୍ତିଜାମିଆ ମସଜିଦ କମିଟିକୁ ପରାମର୍ଶ ଦେଇଛନ୍ତି । ୧୯୯୧ ଓରସିପ ଆକ୍ଟ ଅଧୀନରେ ଉଚ୍ଚ ନ୍ୟାୟାଳୟରେ ଏହି ରାୟ ରଦ୍ଦ ହେବା ନେଇ ମଧ୍ୟ ଓଓ୍ବେସୀ ଆଶା ବ୍ୟକ୍ତ କରିଛନ୍ତି ।

Related Posts