
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ତୃଣମୁଳ କଂଗ୍ରେସ (ଟିଏମସି) ରେ ଯୋଗଦେବା ପରେ ଆଜି ମୁକୁଲ ରୟଙ୍କ କେନ୍ଦ୍ରୀୟ ସୁରକ୍ଷା (Z କ୍ଯାଟାଗୋରୀ) ପ୍ରତ୍ୟାହାର କରାଯାଇଥିବା ନେଇ ସୂଚନା ମିଳିଛି । ବିଜେପିରେ ଥିବା ବେଳେ କେନ୍ଦ୍ର ସରକାର ମୁକୁଲ ରୟଙ୍କୁ ଭିଆଇପି ସୁରକ୍ଷା ପ୍ରଦାନ କରିଥିଲେ। ତାଙ୍କ ସୁରକ୍ଷାରେ ଥିବା ସିଆରପିଏଫ୍ ଯବାନଙ୍କୁ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଥିବା ନେଇ ସୂଚନା ମିଳିଛି। ଗତ ସପ୍ତାହରେ ମୁକୁଲ ରୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଟିଏମସିରେ ସାମିଲ ହେବା ପରେ କେନ୍ଦ୍ରୀୟ ସୁରକ୍ଷା ହଟାଇବା ପାଇଁ ସେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ। ମୁକୁଲ ରୟ ତୃଣମୁଳ କଂଗ୍ରେସ ଛାଡି ୨୦୧୭ ମସିହାରେ ବିଜେପିରେ ଯୋଗ ଦେଇଥିଲେ ପରେ କେନ୍ଦ୍ର ସରକାର ମୁକୁଲ ରୟଙ୍କୁ Y ପ୍ଲସ ସୁରକ୍ଷା ଦେଇଥିଲେ । ଏଥି ସହିତ, ବେଙ୍ଗଲ ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କ ସୁରକ୍ଷାକୁ Z ବର୍ଗରେ ଉନ୍ନୀତ କରାଯାଇ ସୁରକ୍ଷା ବୃଦ୍ଧି କରାଯାଇଥିଲା । ତାଙ୍କର ସୁରକ୍ଷାରେ ପ୍ରାୟ ୨୨ ରୁ ୨୪ ସଶସ୍ତ୍ର CRPF କମାଣ୍ଡୋ ଥିଲେ । ସୂତ୍ରରୁ ମିଳିଥିବା ସୂଚନା ମୁତାବକ ତାଙ୍କ ପୁଅ ଶୁଭ୍ରାଶୁଂ ରୟଙ୍କ କେନ୍ଦ୍ରୀୟ ସୁରକ୍ଷା ମଧ୍ୟ ପ୍ରତ୍ୟାହାର କରାଯାଇଛି। ଗତ ସପ୍ତାହରେ ଟିଏମସି ମୁଖ୍ୟ ମମତା ବାନାର୍ଜୀ, ଦଳର ଜାତୀୟ ସାଧାରଣ ସମ୍ପାଦକ ତଥା ମମତାଙ୍କ ଭଣଜା ଅଭିଷେକ ବାନାର୍ଜୀ ଏବଂ ଦଳର ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ମୁକୁଲ ରୟ ତୃଣମୁଳ କଂଗ୍ରେସକୁ ଫେରିଥିଲେ । ତାଙ୍କ ପୁଅ ଶୁଭ୍ରାଶୁଂ ମଧ୍ୟ ତାଙ୍କ ସହ ଟିଏମସିରେ ଯୋଗ ଦେଇଥିଲେ ।