ଦେବଙ୍ଗନା କାଲିତା , ନତାଶା ନରୱାଲ ଏବଂ ଆସିଫ ଇକବାଲଙ୍କୁ ତୁରନ୍ତ ଜେଲରୁ ଛାଡ଼ିବାକୁ ଟ୍ରାଏଲ କୋର୍ଟଙ୍କ ନିର୍ଦ୍ଦେଶ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଗତ ବର୍ଷ ମେ ମାସରେ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁ ଷ୍ଟୁଡେଣ୍ଟ ତଥା ପିଞ୍ଜରା ତୋଡ଼ ସଂଗଠନର ନତାଶା ନରୱାଲ, ଦେବାଙ୍ଗନା କାଲତିଆ ଓ ଜାମିଆ ଛାତ୍ର ଆସିଫ ଇକବାଲ ତନହାଙ୍କୁ ତୁରନ୍ତ ଜେଲ୍ ରୁ ଖଲାସ କରିବାକୁ କୋର୍ଟ ରିଲିଜ୍ ୱାରେଣ୍ଟ ଜାରି କରିଛନ୍ତି। ଏହି ୩ ଜଣଙ୍କୁ ଗତବର୍ଷ ମେ’ ମାସରୁ ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ କରାଯାଇଥିଲା। ତେବେ ଦିଲ୍ଲୀ ହାଇକୋର୍ଟ ସମସ୍ତଙ୍କୁ ମଙ୍ଗଳବାର ଜାମିନ ପ୍ରଦାନ କରିଥିବା ସତ୍ତ୍ୱେ ତାଙ୍କୁ ଆଜି ପର୍ଯ୍ୟନ୍ତ ଜେଲ୍ ରୁ ଖଲାସ କରାଯାଇନଥିଲା । ଦିଲ୍ଲୀର କାରକରଡୋମା କୋର୍ଟ ଗୁରୁବାର ଦିନ ଏହି ଘଟଣାରେ ହୋଇଥିବା ଆବେଦନର ଶୁଣାଣି କରିଥିଲେ। ଆଡିସନାଲ ସେସନ୍ସ ଜଜ୍ ରବୀନ୍ଦ୍ର ବେଦୀ ଆଇନଜୀବୀଙ୍କୁ କହିଛନ୍ତି ଯେ କୋର୍ଟ ସେମାନଙ୍କୁ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେଇ ସାରିଛନ୍ତି। ଏଥିପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଆବେଦନକାରୀଙ୍କ ଓକିଲ କହିଥିଲେ ଯେ ଆମ ପାଖରେ କୌଣସି ଅଡର ପହଞ୍ଚି ନାହିଁ। କୋର୍ଟ ସମସ୍ତଙ୍କୁ ତୁରନ୍ତ ଛାଡ଼ିବା ପାଇଁ ଅର୍ଡସ ପାସ କରିଛନ୍ତି। ଏପଟେ ଦିଲ୍ଲୀ ପୁଲିସ୍ ଭେରିଫିକେସନ ପାଇଁ କୋର୍ଟଙ୍କୁ ୩ ଦିନ ମାଗିଥିଲେ ମଧ୍ୟ ଏହାକୁ ରବୀନ୍ଦ୍ର ବେଦୀ ଖାରଜ କରିଥିଲେ। ଦିଲ୍ଲୀ ପୁଲିସ୍‌ ଏହି ଜାମିନ ଆଦେଶକୁ ବିରୋଧ କରି ସୁପ୍ରିମକୋର୍ଟ ପହଞ୍ଚିଛି। ଆଜି ଦିଲ୍ଲୀ ହାଇକୋର୍ଟ ମଧ୍ୟ ସମସ୍ତଙ୍କୁ ତୁରନ୍ତ ଜେଲରୁ ଖଲାସ କରିବା ପାଇଁ ହୋଇଥିବା ଆବେଦନର ଜରୁରୀ ଶୁଣାଣି କରିଛନ୍ତି। ହାଇକୋର୍ଟ ଟ୍ରାଏଲ କୋର୍ଟଙ୍କୁ ନତାଶା, ଦେବାଙ୍ଗନା ଓ ଆସିଫଙ୍କୁ ଜେଲରୁ ଖଲାସ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି। ଏମାନଙ୍କୁ ଦିଲ୍ଲୀ ହାଇକୋର୍ଟ ଜୁନ୍ ୧୫ରେ ୟୁଏପିଏ ବଳରେ ଜାମିନ ଦେଇସାରିଛନ୍ତି। ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ଦିଲ୍ଲୀ ହାଇକୋର୍ଟ ଜାମିନ ପ୍ରଦାନ କରି କହିଥିଲେ ଯେ , ଗଣତାନ୍ତ୍ରରେ ବିରୋଧ ପ୍ରଦର୍ଶନ କରିବା ହେଉଛି ସାମ୍ବିଧାନିକ ଅଧିକାର । ବିରୋଧ ପ୍ରଦର୍ଶନକୁ ଆତଙ୍କବାଦ ସହ ତୁଳନା କରାଯାଇ ପାରିବ ନାହିଁ ।

Related Posts