
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କର୍ଣ୍ଣାଟକ ବିଜେପିରେ ଦଳୀୟ କନ୍ଦଳ ଦିନକୁ ଦିନ ବଢିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପାଙ୍କ ନିଜ ଦଳର ବିଧାୟକ ଖୋଲାଖୋଲି ବିରୋଧ କରୁଛନ୍ତି। ରାଜ୍ୟ ବିଧାନ ପରିଷଦ (ଏମଏଲସି) ର ସଦସ୍ୟ ଏଚ୍ ବିଶ୍ୱନାଥ କହିଛନ୍ତି ” ୟେଦୁରପ୍ପାଙ୍କ ନେତୃତ୍ୱ ତଥା ଅବଦାନକୁ ଆମେ ସମ୍ମାନ ଦେଉଛୁ। କିନ୍ତୁ ବର୍ତ୍ତମାନ ବୟସ ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ସେ ସରକାର ଚଳାଇବା ପାଇଁ ଅସମର୍ଥ ଅଟନ୍ତି । ରାଜ୍ୟ ବିଜେପି ପ୍ରଭାରୀ ଦାୟିତ୍ବରେ ଥିବା ଅରୁଣ ସିଂଙ୍କ ସହ ସାକ୍ଷାତ ପରେ ସେ ଏଭଳି ବୟାନ ଦେଇଛନ୍ତି। ୟେଦୁରପ୍ପାଙ୍କ ସରକାରରେ ସବୁ ମନ୍ତ୍ରୀ ମାନେ ଅସନ୍ତୁଷ୍ଟ ବୋଲି ସେ କହିଛନ୍ତି । ବିଜେପି ବିଧାୟକ କହିଛନ୍ତି, ” ମୋଦୀଜୀ କ୍ରମାଗତ ବଂଶବାଦକୁ ବିପଦଜନକ ବୋଲି କହୁଛନ୍ତି। କିନ୍ତୁ କର୍ଣ୍ଣାଟକରେ ସମାନ କଥା ହେଉଛି। କର୍ଣ୍ଣାଟକ ବିଜେପି ଏବେ ମୋଦୀଜିଙ୍କ କଥା ଭୁଲି ଯାଇଛି ।ସରକାରଙ୍କ ବିରୁଦ୍ଧରେ ଜନତା ନକରାତ୍ମକ ମତ ଦେଉଛନ୍ତି ବୋଲି ସେ କହିଛନ୍ତି। ୟେଦୁରପ୍ପାଙ୍କ ପରିବାର ସରକାର ଏବଂ ପ୍ରଶାସନ କ୍ଷେତ୍ରରେ ହସ୍ତକ୍ଷେପ କରୁଛନ୍ତି ବୋଲି ଏଚ୍ ବିଶ୍ୱନାଥ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ୟେଦୁରପ୍ପାଙ୍କ ପୁଅ ସବୁ ବିଭାଗରେ ହସ୍ତକ୍ଷେପ କରୁଥିବା ସେ କହିଛନ୍ତି । ବିଜେପି ନେତା ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ବିନା କୌଣସି ବୋର୍ଡ ବୈଠକରେ ୨୦ ହଜାର କୋଟି ଟଙ୍କାର ଜଳସେଚନ ପ୍ରକଳ୍ପ କିପରି ମଞ୍ଜୁର କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏତଦ୍ ବ୍ୟତୀତ ଶସ୍ତାରେ ୟେଦୁରପା ସରକାର ବେସରକାରୀ କମ୍ପାନୀମାନଙ୍କୁ ଜମି ପ୍ରଦାନ କରିଥିବା ସେ କହିଛନ୍ତି। ଜେଡିଏସ୍ କଂଗ୍ରେସ ସରକାର ଭାଙ୍ଗିଥିବା ୧୮ ଜଣ ବିଧାୟକଙ୍କ ମଧ୍ୟରେ ଏଚ୍ ବିଶ୍ୱନାଥ ମଧ୍ୟ ଥିଲେ। ପରେ ଉପନିର୍ବାଚନରେ ହାରିଯିବା ପରେ ତାଙ୍କୁ ବିଧାନପରିଷଦକୁ ପଠାଯାଇଥିଲା। ତେବେ ୟେଦୁରପ୍ପାଙ୍କ ବିରୋଧରେ ଦିନକୁ ଦିନ ବିରୋଧର ସ୍ବର ତୀବ୍ର ହେଉଛି। ମନ୍ତ୍ରୀ ଓ ବିଧାୟକ ମାନେ ଖୋଲାଖୋଲି ସରକାର ବିରୋଧରେ ବୟାନ ଦେଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀ କେ.ଏସ୍ ୟେସୁରପ୍ପା ଯିଏକି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସେ ମଧ୍ୟ ୟେଦୁରପ୍ପାଙ୍କ ବିରୋଧରେ ବାୟନ ଦେଉଛନ୍ତି। ନିକଟରେ ସେ ଅଭିଯୋଗ କରିଥିଲେ ଯେ ତାଙ୍କ ମନ୍ତ୍ରଣାଳୟ କାମ ଉପରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରୁଥିବା ଅଭିଯୋଗ କରି ସେ ରାଜ୍ୟପାଳଙ୍କୁ ଚିଠି ଲେଖିଥିଲେ । ସେହିପରି ଗତ ବର୍ଷ ବିଜେପିର ବରିଷ୍ଠ ବିଧାୟକ ବାସନାଗୌଡା ପାଟିଲ ମଧ୍ୟ କହିଥିଲେ ଯେ ୟେଦୁରପ୍ପା ଦୀର୍ଘ ଦିନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିପାରିବେ ନାହିଁ। ତେବେ ୟେଦୁରପ୍ପା ବର୍ତ୍ତମାନ ସୁଦ୍ଧା ଦଳର ସବୁଠାରୁ ଶକ୍ତିଶାଳୀ ଲିଙ୍ଗାୟତ ନେତା ହୋଇଥିବା ହେତୁ ବିଜେପି ହାଇକମାଣ୍ଡ ତାଙ୍କୁ ଗୁରୁତ୍ବ ଦେଇ ଆସୁଛି।