‘ମିଶନ ଫର୍ କ୍ଲିନ ଗଙ୍ଗା’ କେବଳ ଟଙ୍କା ବାଣ୍ଟିବା ମେସିନ ହୋଇ ରହିଯାଇଛି: ଆହ୍ଲାବାଦ ହାଇକୋର୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ‘ମିଶନ ଫର୍ କ୍ଲିନ ଗଙ୍ଗା’ ସମ୍ପୂର୍ଣ୍ଣ ଫେଲ୍ ମାରିଛି। ଏମିତି କହିଛନ୍ତି ଆହ୍ଲାବାଦ ହାଇକୋର୍ଟ । ମାନ୍ୟବର ହାଇକୋର୍ଟ କହିଛନ୍ତି ଯେ, ସ୍ୱଚ୍ଛ ଗଙ୍ଗା ପାଇଁ ଜାତୀୟ ମିଶନର କାର୍ଯ୍ୟ ଆଖିରେ ଧୂଳି ଦେବା ସଦୃଶ । କୋର୍ଟ କହିଛନ୍ତି ଯେ ଏହି ମିଶନ କେବଳ ଟଙ୍କା ବାଣ୍ଟିବା ମେସିନ ହୋଇ ରହିଯାଇଛି ।

ବଜେଟ ଟଙ୍କାରେ ଗଙ୍ଗାକୁ ସଫା କରାଯାଉଛି କି ନାହିଁ, ତାହା ତଦାରଖ କରାଯାଉନି ।ଏହାସହ ଭିତ୍ତିଭୂମି ସ୍ତରରେ କୌଣସି କାମ ହେବା ଭଳି ଦୃଶ୍ୟମାନ ହେଉନାହିଁ। ମିଶନ ବଜେଟର ସବିଶେଷ ତଥ୍ୟ ମାଗୁଥିବା ଗଙ୍ଗା ପ୍ରଦୂଷଣ ମାମଲାର ଶୁଣାଣି ସମୟରେ ଯେଉଁ ପରିସ୍ଥିତି ଉପୁଜିଥିଲା ତାହା ବିଚାର କରି ପ୍ରଧାନ ବିଚାରପତି ରାଜେଶ ବିନ୍ଦଲ, ଜଷ୍ଟିସ ମନୋଜ କୁମାର ଗୁପ୍ତା ଏବଂ ଅଜିତ କୁମାରଙ୍କ ଏକ ତିନି ଜଣିଆ ଖଣ୍ଡପୀଠ ଏପରି ମନ୍ତବ୍ୟ ଦେଇଛନ୍ତି ।

କୋର୍ଟ ଆହୁରି ପ୍ରଶ୍ନ କରିଛନ୍ତି ଯେ, ଏହି ମିଶନ ଜରିଆରେ ଖର୍ଚ୍ଚ ହେଉଥିବା କୋଟି କୋଟି ଟଙ୍କା ବଜେଟରୁ ଖର୍ଚ୍ଚ ହୋଇଛି କି ନାହିଁ। ତେବେ କୋର୍ଟଙ୍କ ଏହି ପ୍ରଶ୍ନର କୌଣସି ଉତ୍ତର ମିଳିନାହିଁ । ଶୁଣାଣି ଆରମ୍ଭ ହେବା ମାତ୍ରେ କୋର୍ଟ ମିଶନ ସହ ଜଡିତ ବିଭିନ୍ନ ବୋର୍ଡ ଏବଂ ବିଭାଗର ଆଫିଡେଭିଟ୍ ଉପରେ ସୂଚନା ମାଗିଥିଲେ । ଏହାପରେ ଏହି ମିଶନ ଅଧୀନରେ ଚାଲିଥିବା କାମ କେବଳ ଆଖିରେ ଧୂଳି ଦେବା ସଦୃଶ ବୋଲି କହିଛନ୍ତି ହାଇକୋର୍ଟ।

Related Posts