ଆଜିଠୁ ଦୁଇଟି ନୂଆ ରୁଟରେ ଗଡିବ ମୋ ବସ

ଭୁବନେଶ୍ୱର,୨୪/୧(ସତ୍ୟପାଠ ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ଓ କଟକରେ ଲୋକଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି ମୋ ବସ ଆଉ ଦୁଇଟି ରୁଟରେ ଗଡ଼ିବ। ମଙ୍ଗଳବାର ଏହି ସେବା ଆରମ୍ଭ ହେବାକୁ ନିଷ୍ପତ୍ତି ହୋଇଛି ବୋଲି ଟ୍ୱିଟ୍ କରି ସୂଚନା ଦେଇଛି ସେଣ୍ଟ୍ରାଲ ଅରବାନ ଟ୍ରାନସପୋର୍ଟ ଅଥରିଟି (କ୍ରୁଟ)।ଏହି ଦୁଇଟି ନୂଆ ରୁଟ୍ ହେଉଛି ୪୧ ଏବଂ ୪୨ ନମ୍ୱର।

୪୧ ନମ୍ବର ରୁଟ ବସଟି ବରମୁଣ୍ଡା ବସ ଷ୍ଟାଣ୍ଡରୁ ଟାଙ୍ଗୀ ଯିବ। ଭାୟା ଲିଙ୍କ ରୋଡ୍ ଏବଂ ବାଦାମବାଡି ଦେଇ ଏହି ବସ୍ ଯିବ ବୋଲି କ୍ରୁଟ ପକ୍ଷରୁ ଟ୍ବିଟ୍ କରି କୁହାଯାଇଛି। ସେହିପରି ୪୨ ନମ୍ବର ରୁଟର ବସଟି ବରମୁଣ୍ଡାରୁ ନନ୍ଦନକାନନ ଭାୟା ଚନ୍ଦକା ଦେଇ ଯିବ।

କ୍ରୁଟର ପରିଚାଳନା ନିର୍ଦ୍ଦେଶକ ବା ବିଏମସି କମିଶନର ବିଜୟ କୁଲାଙ୍ଗେ ପ୍ରେସ ରିଲିଜ ଜାରି କରି କହିଛନ୍ତି ଯେ, ଲେକାଙ୍କ ସୁବିଧା ପାଇଁ ମୋ ବସ ସେବା ଜାରି ରହିଛି। ଏହି ଦୁଇ ନୂଆ ରୁଟରେ ବସ ଚଳାଇବାକୁ ଅନେକ ଦାବି ଆସିବା ପରେ ମ୍ୟାନଜେମେଣ୍ଟ ନୂଆ ଦୁଇଟି ରୁଟ ଯୋଡ଼ିଛି। ଜାନୁଆରୀ ୨୪ରୁ ଏହି ବସ୍ ଗଡିବ।

ଉଲ୍ଲେଖଯୋଗ୍ୟ ଯେ, ଟୁଇନ ସିଟି ସମେତ ପୁରୀ ସହରରେ ମୋ ବସ ପାଲଟିଛି ଲୋକଙ୍କ ଯିବା ଆସିବା ପାଇଁ ପ୍ରମୁଖ ମାଧ୍ୟମ। ସେହିଭଳି ହକି ବିଶ୍ୱକପ୍ ଅବସରରେ ରାଉରକେଲା ସହରରେ ମଧ୍ୟ ମୋ ବସ ସେବା ଆରମ୍ଭ ହୋଇଛି। କମ୍ ଦାମରେ ଯାତାୟାତ ପାଇଁ କ୍ରୁଟ ଯୋଗାଇ ଦେଉଛି ମୋ ବସ ସେବା।

Related Posts