ଆଦିବାସୀଙ୍କ ପାଇଁ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ତୁଳନାରେ ମୋ ଅବଦାନ ଅଧିକ: ଯଶଓ୍ବନ୍ତ ସିହ୍ନା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର୍ ଧରିଛି । ଏହା ମଧ୍ୟରେ ବିରୋଧୀ ଦଳର ମିଳିତ ରାଷ୍ଟ୍ରପତି ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି। ତେବେ ଆଦିବାସୀଙ୍କ ପାଇଁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ତୁଳନାରେ ମୋ ଅବଦାନ ଅଧିକ। କେନ୍ଦ୍ରମନ୍ତ୍ରୀ ଥିବାବେଳେ ମୁଁ ଆଦିବାସୀଙ୍କ ମଙ୍ଗଳ ପାଇଁ ଅନେକ କାର୍ଯ୍ୟ କରିଛି ବୋଲି ଗୁରୁବାର ବିରୋଧୀ ଦଳର ମିଳିତ ରାଷ୍ଟ୍ରପତି ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନା ପ୍ରକାଶ କରିଛନ୍ତି। ସେପଟେ ଜୁଲାଇ ୧୮ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀଙ୍କ ପକ୍ଷରୁ ପ୍ରାର୍ଥୀ ହୋଇଥିବା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତା ଯଶଓ୍ବନ୍ତ ସିହ୍ନା କହିଛନ୍ତି, ସେ ଏନ୍‌ଡିଏ ପ୍ରତିଦ୍ୱନ୍ଦ୍ୱୀ ଦ୍ରୌପଦୀଙ୍କ ଅପେକ୍ଷା ତଫସିଲଭୁକ୍ତ ଜାତି (ଏସ୍‌ସି) ଏବଂ ଅନ୍ୟ ବଞ୍ଚତ୍ତ ବର୍ଗଙ୍କ ପାଇଁ ଅଧିକ କାର୍ଯ୍ୟ କରିଛନ୍ତି। ଦ୍ରୌପଦୀ ଝାଡ଼ଖଣ୍ଡର ରାଜ୍ୟପାଳ ସମେତ ବିଭିନ୍ନ ପଦପଦବୀରେ ଥିବାବେଳେ ଆଦିବାସୀଙ୍କ ପାଇଁ କ’ଣ ସବୁ କରିଛନ୍ତି ତା’ର ହିସାବ ଦିଅନ୍ତୁ। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ କ୍ୟାବିନେଟ ସଦସ୍ୟ ହୋଇଥିବାରୁ ମୁଁ ନିଜକୁ ଗର୍ବିତ ଅନୁଭବ କରୁଛି।

ବର୍ତ୍ତମାନର ଭାଜପା ବାଜପେୟୀଙ୍କ ଅବଦାନକୁ ଭୁଲିଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଅମଳରେ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ବିପଦ ସୃଷ୍ଟି ହୋଇଛି। ଚଳିତ ରାଷ୍ଟ୍ରପତି ନିର୍ବାଚନ ପରିଚୟକୁ ନେଇ ନୁହେଁ, ବରଂ ବିଚାରଧାରା ଆଧାରିତ। କିଏ ମୁର୍ମୁ ଓ କିଏ ସିହ୍ନା ତାହା ବଡ଼ କଥା ନୁହେଁ। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ମୁର୍ମୁ କେଉଁ ବିଚାରଧାରାର ପ୍ରତିନିଧିତ୍ୱ କରୁଛନ୍ତି। ଏକ ନିର୍ଦ୍ଦିଷ୍ଟ ସମୁଦାୟରେ ଜନ୍ମ ନେବାର ତାତ୍ପର୍ଯ୍ୟ ନୁହେଁ ଯେ, ଆପଣ ସ୍ବତଃ ସେହି ସମୁଦାୟର ସର୍ବୋତ୍କୃଷ୍ଟ ବିବେଚିତ ହେବେ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି

Related Posts