
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବାଲେଶ୍ଵର ପୋଲିସକୁ ବଡ ସଫଳତା। ବାହାର ରାଜ୍ୟକୁ ଚାଲାଣ ହେଉଥିବା ୧୦କିଲୋରୁ ଊର୍ଦ୍ଧ୍ବ ପରିମାଣର ବ୍ରାଉନ୍ସୁଗାର ଜବତ କରିଛି ପୋଲିସ । ଏହାକୁ ଚଳିତ ବର୍ଷର ସବୁଠାରୁ ବଡ଼ ବ୍ରାଉନ୍ସୁଗାର ଜବତ ବୋଲି କୁହାଯାଉଛି। ଜବତ ବ୍ରାଉନ୍ସୁଗାରର ମୂଲ୍ୟ ୧୧ କୋଟି ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣା ପଡିଛି। ତେବେ ବ୍ରାଉନ୍ସୁଗାର ସହ ବାଇକ୍, ନଗଦ ଟଙ୍କା ଓ ମୋବାଇଲ୍ ଫୋନ୍ ମଧ୍ୟ ପୋଲିସ ଜବତ କରିଛି।
ଏହିପରି ଏହି ଘଟଣାରେ ମୋଟ୍ ୬ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ମଧ୍ୟପ୍ରଦେଶର ଆୟୁବ୍, ବାଲେଶ୍ବର ଜିଲ୍ଲାର ଏସ୍ ଜାମସେଦ୍ଙ୍କ ପୁ ଏସ୍କେ ହୁସେନ୍, ଏସ୍କେ ଜୁଲଫୁକରଙ୍କ ପୁଅ ଲାଡେନ୍, ଏସ୍କେ୍ ଜାମସେଦ୍ଙ୍କ ପୁଅ, ବାବୁ ଓରଫ୍ ଏସ୍କେ ସମୀର ଓ ରବୀନ୍ଦ୍ର ତରାଇଙ୍କ ପୁଅ ରିଣ୍ଟୁ ତରାଇ।
ଏନେଇ ସୂଚନା ଦେଇ ସାମ୍ବାଦିକ ସମ୍ମିଳନୀରେ ପୂର୍ବାଞ୍ଚଳ ଆଇଜି ଓ ବାଲେଶ୍ବର ଏସ୍ପି କହିଛନ୍ତି ଯେ, ବାହାର ରାଜ୍ୟକୁ ବ୍ରାଉନ୍ସୁଗାର ଚାଲାଣ ହେବା ନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ସହଦେବଖୁଣ୍ଟା ଥାନା ଅଧିନ ଫୁଲାଡି ଅଞ୍ଚଳରେ ଥିବା ଏକ ନିଦ୍ଦିଷ୍ଟ ସ୍ଥାନରେ ଅତର୍କିତ ଭାବେ ଚଢ଼ଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ୧୧ କୋଟି ଟଙ୍କାର ବ୍ରାଉନ୍ସୁଗାର ସମେତ ୨ଟି ବାଇକ୍, ୫ଟି ମୋବାଇଲ ଓ ନଗଦ ୨୧ ହଜାର ଟଙ୍କା ଜବତ ହୋଇଛି। ପୁଲିସ ଜଣେ ମଧ୍ୟପ୍ରଦେଶର ଯୁବକ ସହିତ ମୋଟ ୬ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ବାହର ରାଜ୍ୟକୁ ବ୍ରାଉନ୍ସୁଗାର ଚାଲାଣ କରିବା ପାଇଁ ଉଦ୍ୟମ କରୁଥିଲେ।