‘ମୋ ନାଁ ସାବରକର ନୁହେଁ, ମୁଁ ଗାନ୍ଧୀ, ମୁଁ କ୍ଷମା ମାଗିବି ନାହିଁ’: ରାହୁଲ ଗାନ୍ଧୀ

ଭୁବନେଶ୍ୱର,୨୫/୩ (ସତ୍ୟପାଠ ବ୍ୟୁରୋ): ଲୋକସଭା ସାଂସଦ ପଦ ରଦ୍ଦ ହେବାର ଗୋଟିଏ ଦିନ ପରେ ଆଜି ସାମ୍ବାଦିକ ସମ୍ମିଳନୀ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଗଣମାଧ୍ୟମକୁ ସମ୍ବୋଧିତ କରି କଂଗ୍ରେସର ରାହୁଲ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, ମୁଁ ଆଦୌ ଭୟଭୀତ ନୁହେଁ । ମୁଁ ସଂସଦରେ ରୁହେ କି ନ ରୁହେ ମୋତେ ଫରକ ପଡେନି । ହେଲେ ମୁଁ କ୍ଷମା ମାଗିବି ନାହିଁ । ମୁଁ ସାବରକର ନୁହେଁ, ମୁଁ ଗାନ୍ଧୀ । ଗାନ୍ଧୀ କାହାକୁ କ୍ଷମା ମାଗନ୍ତି ନାହିଁ ।

ରାହୁଲ କହିଛନ୍ତି ଯେ, ଆଦାନୀ ଓ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ବନ୍ଧୁତା ବେସ୍ ପୁରୁଣା । ମୁଁ ପ୍ରମାଣ ସହ ଲୋକସଭାରେ ଏହି କଥା ରଖିଥିଲି । ଆଦାନୀଙ୍କୁ ନିୟମ ବଦଳାଇ ଏୟାରପୋର୍ଟ୍ ଦିଆଯାଇଥିଲା। ଏହି ବାବଦରେ ମୁଁ ପ୍ରମାଣ ମଧ୍ୟ ଲୋକସଭା ବାଚସ୍ପତିଙ୍କୁ ଦେଇଥିଲି ।ଏହାପରେ ସଂସଦରେ ମୋ ବାବଦରେ ମନ୍ତ୍ରୀମାନେ ମିଛ କହିଥିଲେ । କୁହାଯାଇଥିଲା ଯେ, ମୁଁ ବିଦେଶୀ ମାଟିରେ ବିଦେଶୀ ଦେଶଙ୍କଠାରୁ ସାହାଯ୍ଯ ମାଗିଥିଲି । ମୁଁ ଏ ବାବଦରେ ବାଚସ୍ପତିଙ୍କୁ ପତ୍ର ଲେଖିଥିଲି । ମୁଁ ଲେଖିଥିଲି ଯେ, ଜଣକ ବିଷୟରେ ଯେତେବେଳେ ଆରୋପ ଲଗାଯାଏ ସେତେବେଳେ ତାଙ୍କୁ କହିବାର ସୁଯୋଗ ଦେବା ଆବଶ୍ୟକ । ବାରମ୍ବାର ଚିଠି ଲେଖିବା ପରେ ମଧ୍ୟ ମୋତେ ଉତ୍ତର ମିଳିନଥିଲା । ଏହାପରେ ମୁଁ ବାଚସ୍ପତିଙ୍କ ଅଫିସ ଯାଇ ତାଙ୍କୁ ଦେଖା କରିଥିଲି । ମୁଁ ତାଙ୍କୁ ପଚାରିଥିଲି ଯେ, ମୋତେ କହିବା ପାଇଁ ସୁଯୋଗ କାହିଁକି ମିଳୁନାହିଁ। ଉତ୍ତରରେ ସ୍ପିକର ହସିଥିଲେ ଓ କହିଥିଲେ ମୁଁ ସୁଯୋଗ ଦେଇ ପାରିବି ନାହିଁ। ତା ପରେ ଯାହା ହୋଇଥିଲା ଆପଣମାନେ ଜାଣିଛନ୍ତି । ମୁଁ କିନ୍ତୁ ପ୍ରଶ୍ନ ପଚାରିବା ଜାରି ରଖିବି । ୨୦ ହଜାର କୋଟି ଟଙ୍କା ଆଦାନୀଙ୍କ ସେଲ୍ କମ୍ପାନୀରେ ଅଛି। ଏହି ଟଙ୍କା କେଉଁଠୁ ଆସିଲା ଓ ଏହା କାହାର ଟଙ୍କା । ଜଣେ ଚାଇନା ବ୍ୟକ୍ତି ଏଥିରେ ସାମିଲ ଅଛନ୍ତି। ସେହି ଚୀନ ବ୍ୟକ୍ତି କିଏ ସେନେଇ କାହିଁକି କିଛି କୁହାଯାଉନାହିଁ ବୋଲି ପ୍ରେସମିଟରେ କହିଛନ୍ତି ରାହୁଲ ଗାନ୍ଧୀ ।

ରାହୁଲ ଗାନ୍ଧୀ ଆହୁରି କହିଛନ୍ତି କି ମୁଁ ଭାରତର ଗଣତନ୍ତ୍ର ପାଇଁ ଲଢ଼ୁଛି । ମୋତେ ଧମକାଇ ଚୁପ୍ କରାଯାଇ ପାରିବ ନାହିଁ । ଆଦାନୀଙ୍କର ଅନେକ ନକଲି କମ୍ପାନୀ ଅଛି । ସତ କହିବାରୁ ସଂସଦରେ ମୋ ଭାଷଣକୁ ହଟାଯାଇଛି । ମୁଁ କାହାକୁ ଡରୁନାହିଁ । ସେମାନେ ସମସ୍ତଙ୍କୁ ଡରାଇ ରଖିଛନ୍ତି କିନ୍ତୁ ମୋତେ ଡରାଇ ପାରିବେ ନାହିଁ । ଆଦାନୀ ଓ ମୋଦିଙ୍କ ମଧ୍ୟରେ ଗଭୀର ସହଯୋଗୀତା ରହିଛି ବୋଲି କହିଛନ୍ତି ରାହୁଲ ।

ଏହି ସାମ୍ବାଦିକ ସମ୍ମିଳନୀରେ ଓବିସିଙ୍କୁ ଅପମାନ ପ୍ରସଙ୍ଗରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ବିଜେପି ଧ୍ୟାନ ହଟାଇବାକୁ ଏମିତି କହୁଛି । ମୁଁ ସବୁ ବର୍ଗଙ୍କୁ ସମ୍ମାନ ଦିଏ । ତେବେ ଏଠାରେ ପ୍ରଶ୍ନ ହେଉଛି ୨୦ ହଜାର କୋଟି କାହାର । ଆଉ ସେହି ଟଙ୍କା ଆଦାନୀଙ୍କର ନୁହେଁ । ମୋତେ ମାରନ୍ତୁ, ପିଟନ୍ତୁ। ଜେଲରେ ରଖନ୍ତୁ। ମୁଁ ପ୍ରଶ୍ନ କରିବି। ସତ୍ୟ କହିବି । ଏହି ଦେଶ ମୋତେ ସବୁକିଛି ଦେଇଛି । ତେଣୁ ମୁଁ ଏହା କରୁଛି ।

ବିଜେପି ନେତାଙ୍କ କାମ ହେଉଛି ମୋତେ ଆକ୍ରମଣ କରିବା । ସେମାନେ ନରେନ୍ଦ୍ର ମୋଦିଙ୍କୁ ଡରନ୍ତି । ବିଜେପି ନେତା ସବୁ ଜାଣିଛନ୍ତି କିନ୍ତୁ ମୋଦିଙ୍କୁ ଡରୁଛନ୍ତି। ମୋଦି କହିଲେ ଧ୍ୟାନ ହଟାଅ ତେଣୁ ସେମାନେ ଏମିତି କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋର ଆଗାମୀ ଭାଷଣକୁ ନେଇ ଭୟଭୀତ ଥିଲେ । ମୁଁ ତାଙ୍କ ଆଖି ଦେଖିଛି । ସେ ଭୟଭୀତ ଥିଲେ ଯେ, ଆଗାମୀ ଭାଷଣରେ ଆଦାନୀଙ୍କ ବାବଦରେ କ’ଣ କହିବି। ତେଣୁ ମୋ ସଦସ୍ୟତା ରଦ୍ଦ କରାଯାଇଛି । ମୋତେ ସଦସ୍ୟତା ମିଳୁ କି ନ ମିଳୁ ମୁଁ ମୋ କାମ କରିବି। ମୋତେ ସେମାନେ ସ୍ଥାୟୀ ଭାବେ ଏକ୍ସପେଲ କରିଦେଲେ ମଧ୍ୟ ମୁଁ ମୋ କାମ କରିବି। ମୋତେ ପୁଣି ସଦସ୍ୟତା ମିଳିଲେ ମଧ୍ୟ ମୁଁ ମୋ କାମ କରିବି । ଜନତା ଜାଣିଛନ୍ତି ଆଦାନୀ ଭ୍ରଷ୍ଟ। ଲୋକ ଏବେ ଜାଣିବାକୁ ଚାହୁଁଛନ୍ତି ଯେ, ପ୍ରଧାନମନ୍ତ୍ରୀ ଜଣେ ଭ୍ରଷ୍ଟ ବ୍ୟକ୍ତିଙ୍କୁ କାହିଁକି ବଂଚାଇବାକୁ ଚାହୁଁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ରାହୁଲ ଗାନ୍ଧୀଙ୍କୁ ଅନେକ ବିରୋଧୀ ଦଳ ସମର୍ଥନ କରିଛନ୍ତି ଏହି ପ୍ରସଙ୍ଗରେ ସେ କହିଛନ୍ତି କି ମୁଁ ସବୁ ବିରୋଧୀ ଦଳଙ୍କ ପ୍ରତି କୃତଜ୍ଞ । ଆମେ ମିଶିକରି କାମ କରିବୁ । ମୁଁ ସଂସଦରେ ରୁହେ କି ନ ରୁହେ ମୋତେ ଫରକ ପଡେନି । ମୁଁ କ୍ଷମା ମାଗିବି ନାହିଁ । ମୁଁ ସାବରକର ନୁହେଁ । ମୁଁ ଗାନ୍ଧୀ । ଗାନ୍ଧୀ କାହାକୁ କ୍ଷମା ମାଗନ୍ତି ନାହିଁ । ମୋତେ ସବୁଦିନ ପାଇଁ ଅଯୋଗ୍ୟ ଘୋଷଣା କରିଦିଅନ୍ତୁ । କିନ୍ତୁ ମୁଁ ଯାହା କହୁଛି ତାହା କହିବି ବୋଲି ରାହୁଲ ଗାନ୍ଧୀ କହିଛନ୍ତି।

ସୂଚନାଯୋଗ୍ୟ ଯେ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ଜେଲ ଦଣ୍ଡାଦେଶ ପାଇବାର ଗୋଟିଏ ଦିନ ପରେ ଶୁକ୍ରବାର ତାଙ୍କର ସଦସ୍ୟତା ପଦ ରଦ୍ଦ କରାଯାଇଛି। ଏହାକୁ ନେଇ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ବିରୋଧ କରୁଛନ୍ତି।

Related Posts