ହତ୍ୟାକାରୀର ନାଁ କହିଲା ପୋଷା ଶୁଆ, ୨ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ

ଭୁବନେଶ୍ୱର,୨୫/୩ (ସତ୍ୟପାଠ ବ୍ୟୁରୋ): ପୋଷା ଶୁଆର ସାକ୍ଷ୍ୟକୁ ଆଧାର କରି ଦୁଇଜଣ ହତ୍ୟାକାରୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ। ପ୍ରାୟ ୯ ବର୍ଷ ତଳେ ଉତ୍ତରପ୍ରଦେଶର ଆଗ୍ରାରେ ଘଟିଥିବା ଏକ ହତ୍ୟା ମାମଲାରେ ପୋଷା ଶୁଆର ସାକ୍ଷ୍ୟକୁ ଆଧାର କରି ସ୍ଥାନୀୟ ସ୍ୱତନ୍ତ୍ର କୋର୍ଟ ଦୁଇଜଣ ହତ୍ୟାକାରୀଙ୍କୁ ଆଜୀବନ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି ।ଏହି ଘଟଣା ଏବେ କେବଳ ଆଗ୍ରା ନୁହେଁ, ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ୨୦୧୪ ଫେବ୍ରୁଆରୀ ୨୦ରେ ଏହି ହତ୍ୟାକାଣ୍ଡ ଘଟିଥିଲା ଏବଂ ହତ୍ୟାର ଶିକାର ହୋଇଥିଲେ ଆଗ୍ରାରୁ ପ୍ରକାଶିତ ଏକ ପ୍ରମୁଖ ଖବରକାଗଜର ମୁଖ୍ୟ ସମ୍ପାଦକ ବିଜୟ ଶର୍ମାଙ୍କ ପତ୍ନୀ ନୀଲମ ଶର୍ମା । ଘଟଣା ଦିନ ବିଜୟ ନିଜର ପୁଅ ରାଜେଶ ଓ ଝିଅ ନିବେଦିତାଙ୍କ ସହ ଫିରୋଜାବାଦରେ ଅନୁଷ୍ଠିତ ଏକ ବିବାହ ଉତ୍ସବକୁ ଚାଲିଯାଇଥିଲେ । ଘରେ ପତ୍ନୀ ନୀଲମ ଏକା ଥିଲେ । ତେବେ ବିଳମ୍ବିତ ରାତିରେ ବିଜୟ ଘରକୁ ଫେରିବା ପରେ ନୀଲମଙ୍କ ରକ୍ତାକ୍ତ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ପାଖରେ ତାଙ୍କ ପୋଷା କୁକୁର ମଧ୍ୟ ମରି ପଡିଥିଲା । ଉଭୟଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିଲା । ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । କିଛି ଲୋକଙ୍କୁ ଧରିନେଇ ପୁଲିସ ଜେରା କରିବା ପରେ ଛାଡି ଦେଇଥିଲା । କିନ୍ତୁ ଘରେ ଥିବା ପୋଷା ଶୁଆଟି ହତ୍ୟାର ଏକମାତ୍ର ସାକ୍ଷୀ ରହିଥିଲା ।

ହତ୍ୟା ପରଠାରୁ ଶୁଆ ଖାଇବା ପିଇବା ଛାଡି ଦେଇଥିଲା । ଶୁଆ ହିଁ ହତ୍ୟକାରୀକୁ ଜାଣିଥିବା ବିଜୟ ଅନୁମାନ କରିଥିଲେ । ତେଣୁ ସେ ଆଖପାଖରେ ରହୁଥିବା ପଡୋଶୀଙ୍କ ନାମ ଗୋଟିଏ ପରେ ଗୋଟିଏ ଶୁଆ ପାଖରେ କହିବାକୁ ଲାଗିଲେ । ଯେତେବେଳେ ସେ ନିଜ ଭଣଜା ଆଶୁର ନାମ କହିଲେ ଶୁଆ ହଁ ଆଶୁ-ଆଶୁ ବୋଲି ଚିତ୍କାର କରିଥିଲା । ତେଣୁ ଆଶୁ ହିଁ ହତ୍ୟକାରୀ ବୋଲି ବିଜୟ ସ୍ପଷ୍ଟ ହେବା ପରେ ପୁଲିସକୁ ଜଣାଇଥିଲେ । ପୁଲିସ ଆଶୁକୁ ଧରିନେଇ ଜେରା କରିବା ପରେ ସେ ତାର ଜଣେ ସାଙ୍ଗ ରୋନି ସହିତ ମିଶି ଲୁଟ କରିବା ଉଦ୍ଦେଶ୍ୟରେ ନୀଲମଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲା । ନୀଲମଙ୍କ ହତ୍ୟାକୁ ନେଇ ମ୍ରିୟମାଣ ଶୁଆଟି ମଧ୍ୟ ୬ ମାସ ପରେ ପ୍ରାଣ ହରାଇଥିଲା ।

Related Posts