ମୋ ପିଏସଓ ବି ଗୋପାଳ ଦାସ ହୋଇଯିବନି ତ!: ସୌମ୍ୟରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର,୪/୨(ସତ୍ୟପାଠ ବ୍ୟୁରୋ): ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଜଣେ ପୋଲିସ ଏଏସଆଇ ସର୍ବସାଧାରଣରେ ଗୁଳିକରି ହତ୍ୟା କରିବା ପରେ ଏବେ ଚାରିଆଡେ ପୋଲିସକୁ ନେଇ ପ୍ରଶ୍ନ ଉଠିଲାଣି। ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ପିଏସଓ ଉପରେ ଏବେ ବିଧାୟକ ମାନଙ୍କର ମଧ୍ୟ ଆଉ ଭରଷା ପାଉନି । କେବଳ ଯେ ବିରୋଧୀ ଦଳ ନୁହଁନ୍ତି ଶାସକ ଦଳ ପକ୍ଷରୁ ମଧ୍ୟ ଏନେଇ ସ୍ୱର ଉଠିଲାଣି । ଗତକାଲି ଖୋଦ୍ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ନିଜର ପିଏସଓ ଫେରାଇଦେବା ନେଇ ଘୋଷଣାର ମାତ୍ର କେଇଘଣ୍ଟା ମଧ୍ୟରେ ସରକାର ଯୋଗାଇ ଦେଇଥିବା ପିଏସଓକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେଡିର ବରିଷ୍ଠ ନେତା ତଥା ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଆଉ ଶ୍ରୀ ପଟ୍ଟନାୟକ ଗଣମାଧ୍ୟମରେ ଦେଇଛନ୍ତି ବିସ୍ପୋରକ ବୟାନ୍ ।

ଏପରିକି ତାଙ୍କ ପିଏସଓ ମଧ୍ୟ ଗୋପାଳ ଦାସ ପରି ହୋଇପାରେ ବୋଲି ସେ କହିଛନ୍ତି ।ସୌମ୍ୟ ଏ ସମ୍ପର୍କରେ ନିଜର ମତ ରଖି କହିଛନ୍ତି ଯେ, ସରକାର ମତେ ଜଣେ ପିଏସଓ ଦେଇଛନ୍ତି। ତାଙ୍କ ପାଖରେ ମଧ୍ୟ ଏକ ବନ୍ଧୁକ ଅଛି। ମୋ ମନଟା ବେଳେବେଳେ କହୁଛି ମୋ ପିଏସଓ ବି ଗୋପାଳ ଦାସ ହୋଇଯିବନି ତ ? ବୋଲି କହିବା ସହିତ ସୌମ୍ୟ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ଯାହା ଚାଲିଛି ସବୁ ଗପ। ଏ କଥାକୁ ମୁଁ ବିଲକୁଲ ଗ୍ରହଣ କରି ପାରୁନାହିଁ। ଜଣେ ମନ୍ତ୍ରୀଙ୍କୁ ଜଣେ ଛୋଟିଆ ପୋଲିସ କର୍ମଚାରୀ ହତ୍ୟା କଲା । ଏହାକୁ ସହଜରେ ଗ୍ରହଣ କରି ହେଉନାହିଁ ।

ସେହିପରି ପାଇଖାନାରୁ କାଗଜ ମିଳିବା ଘଟଣାରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀ ପଟ୍ଟନାୟକ । ସେ କହିଛନ୍ତି ଯେ, ବୈଜ୍ଞାନିକ ଯୁଗରେ ସବୁ ସମ୍ଭବ। ପ୍ରକୃତରେ ସେ କାଗଜ ହାତ ଲେଖା ଗୋପାଳର ନା ନାହିଁ ତାହା ସ୍ପଷ୍ଟ ହେବା ଦରକାର । ପୋଲିସ ଡିଜିଙ୍କ ସାମ୍ବାଦିକ ସମ୍ମିଳନୀକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ସୌମ୍ୟ। ଯଦି ଡିଜିପି କହୁଛନ୍ତି ଏହି ହତ୍ୟା କାହିଁକି ହୋଇଛି ଜଗନ୍ନାଥ ଜାଣିଥିବେ ତେବେ ଜଗନ୍ନାଥ ଚାରି କୋଟି ଓଡିଆଙ୍କ ଦେବତା। ଡିଜି ଜଗନ୍ନାଥଙ୍କୁ ପ୍ରାର୍ଥନା କରନ୍ତୁ, ତାଙ୍କୁ ଜଗନ୍ନାଥ ସ୍ୱପ୍ନରେ ଆସି ହତ୍ୟାର କାରଣ କହି ଦିଅନ୍ତୁ ବୋଲି ସୌମ୍ୟ କହିଛନ୍ତି।

ତେବେ ରାଜ୍ୟ ସରକାରଙ୍କ ପାୱାରଫୁଲ କ୍ୟାବିନେଟ ମନ୍ତ୍ରୀଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ରାଜନେତା । ସୌମ୍ୟଙ୍କ ପୂର୍ବରୁ ମଧ୍ୟ ଏନେଇ ବିଜେଡିର ବରିଷ୍ଠ ନେତା ଦେବାଶିଷ ନାୟକ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ଆଉ ଜଣେ ମନ୍ତ୍ରୀଙ୍କୁ ଏପରିଭାବେ ହତ୍ୟା କରାଯିବାକୁ ନେଇ କଡା ଭାଷାରେ ସେ ନିନ୍ଦା କରିଥିଲେ । ସେହିପରି ଗତକାଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ନିଜର ପିଏସଓ ଫେରାଇଦେବା ସହ ଓଡିଶା ପୋଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏପରିକି ସିବିଆଇ ତଦନ୍ତ କଲେ ଘଟଣାର ସତ୍ୟତା ପଦାକୁ ଆସିବ ବୋଲି ସେ କହିଥିଲେ ।

Related Posts