
ଭୁବନେଶ୍ୱର,୩୦/୧(ସତ୍ୟପାଠ ବ୍ୟୁରୋ): ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି କରିଛି ବିଜେପି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏନେଇ କହିଛନ୍ତି ଯେ, ଏହି ଘଟଣାରେ ମୁଁ ବହୁତ ମର୍ମାହତ । ଯେଉଁମାନେ ସୁରକ୍ଷା ଦାୟିତ୍ୱରେ ରହିବା କଥା ସେମାନଙ୍କ ଦ୍ୱାରା ହତ୍ୟା ହୋଇଛି । ଏହା ଏକ ଷଡଯନ୍ତ୍ର ହୋଇପାରେ ବୋଲି କହିଛନ୍ତି ଜୟନାରାୟଣ ।କ୍ରାଇମବ୍ରାଞ୍ଚ ତଦନ୍ତରେ ଆମେ ସନ୍ତୁଷ୍ଟ ନୁହଁ । ଏହି ଘଟଣାରେ ସିବିଆଇ କିମ୍ବା ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତ ହେଉ । ରାଜ୍ୟ ସରକାର ନିଜ ମନ୍ତ୍ରୀଙ୍କୁ ସୁରକ୍ଷା ଦେଇ ପାରୁ ନ ଥିବାବେଳେ ଜନସାଧାରଣଙ୍କୁ କିଭଳି ସୁରକ୍ଷା ଦେବେ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାସହିତ ହତ୍ୟାକାଣ୍ଡରେ ସଂପୃକ୍ତ ପୋଲିସକୁ ପାଗଳ ଘୋଷଣା କରିବେ ବୋଲି ମୁଁ ଆଗରୁ କହିଥିଲି ସେ କହିଛନ୍ତି। ଯଦି ଉକ୍ତ ପୋଲିସ ପାଗଳ ଥିଲେ ତେବେ ତାଙ୍କୁ କାହିଁକି ବନ୍ଧୁକ ଦିଆଯାଇଥିଲା ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ ।
ଅନ୍ୟପଟେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ଏହି ମାମଲାର ସିବିଆଇ ତଦନ୍ତ ହେବା ଦରକାର । କାହିଁକି ଏଯାବତ ପୋଲିସ ଚୁପ୍ ରହିଛି । ଯଦି ଏମିତି ଘଟଣା ହୁଏ ତେବେ ମନ୍ତ୍ରୀ ବିଧାୟକ ଓ ଜନ ପ୍ରତିନିଧିଙ୍କୁ କିଏ ସୁରକ୍ଷା ଦେବ ।ଏଠାରେ ଗୁଇନ୍ଦା ଫେଲ ମାରିଛି । ଗୃହ ବିଭାଗ କଣ କରୁଛି ଓ କେଉଁ ପରିସ୍ଥିତି ଦେଇ ଗତି କରୁଛି ତାହା ଏହି ଘଟଣାରୁ ସ୍ପଷ୍ଟ ।
ସେହିଭଳି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଦିନ ଦ୍ଵିପ୍ରହରେ ଜଣେ ଶକ୍ତିଶାଳୀ ମନ୍ତ୍ରୀଙ୍କୁ ହତ୍ୟା କରିବା ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିର ଦୁରାଵସ୍ଥାକୁ ସୁଚାଉଛି । ହତ୍ୟାର ପ୍ରକୃତ କାରଣ କଣ ତାହା ସ୍ପଷ୍ଟ ହେବାର ଆବଶ୍ୟକତା ରହିଛି । ରାଜ୍ୟ ସରକାର ନିରପେକ୍ଷ ତଦନ୍ତ କରି ତଥ୍ୟ ସାମ୍ନାରେ ରଖନ୍ତୁ ।