ନବ ଦାସଙ୍କ ଦେହାନ୍ତ ପରେ ସ୍ବାସ୍ଥ୍ୟ ମନ୍ତ୍ରୀ ହେଲେ ନିରଞ୍ଜନ ପୂଜାରୀ, ଅର୍ଥ ସହ ସମ୍ଭାଳିବେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର,୩୦/୧(ସତ୍ୟପାଠ ବ୍ୟୁରୋ): ନିରଞ୍ଜନ ପୂଜାରୀ ହେଲେ ରାଜ୍ୟର ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ। ନବ ଦାସଙ୍କ ଦେହାନ୍ତ ପରେ ନିରଞ୍ଜନ ପୂଜାରୀଙ୍କୁ ଦିଆଗଲା ଅତିରିକ୍ତ ଦାୟିତ୍ୱ, ରାଜ୍ୟପାଳଙ୍କ ସୁପାରିଶ ପରେ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବେ ଅର୍ଥ ବିଭାଗ ସହ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱ ତୁଲାଇବେ ନିରଞ୍ଜନ ।

ସୂଚନାଯୋଗ୍ୟ ଯେ, ଗତକାଲି ପୋଲିସ ଏଏସଆଇଙ୍କ ଗୁଳିମାଡରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କର ଦେହାନ୍ତ ହୋଇଥିଲା । ଏସବୁ ଭିତରେ ନବ ଦାସଙ୍କୁ ଗୁଳିମାଡ ଘଟଣାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଂଚ । ଗତକାଲି ରାତିରେ ପାଖାପାଖି ୨ ଘଂଟା ଏଏସଆଇ ଗୋପାଳକୃଷ୍ଣ ଦାସଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ । ଏଡିଜି ଅରୁଣ ବୋଥ୍ରା ଗୋପାଳ ଦାସଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି । ଗୋପାଳଙ୍କ ହ୍ୟାଣ୍ଡ ସ୍ୱାବ ନିଆଯାଇଛି । ଏହା ସହ ସେ ପିନ୍ଧିଥିବା ପୋଲିସ ପୋଷାକକୁ ମଧ୍ୟ ନେଇଛି କ୍ରାଇମବ୍ରାଂଚ ।

ଅନ୍ୟପଟେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାରି ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି କରିଛି ବିଜେପି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ଏହି ଘଟଣାରେ ମୁଁ ବହୁତ ମର୍ମାହତ । ଯେଉଁମାନେ ସୁରକ୍ଷା ଦାୟିତ୍ୱରେ ରହିବା କଥା ସେମାନଙ୍କ ଦ୍ୱାରା ହତ୍ୟା ହୋଇଛି । ଏହା ଏକ ଷଡଯନ୍ତ୍ର ହୋଇପାରେ ବୋଲି କହିଛନ୍ତି ଜୟନାରାୟଣ । କ୍ରାଇମବ୍ରାଞ୍ଚ ତଦନ୍ତରେ ଆମେ ସନ୍ତୁଷ୍ଟ ନୁହଁ । ଏହି ଘଟଣାରେ ସିବିଆଇ କିମ୍ବା ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତ ହେଉ । ପୋଲିସକୁ ପାଗଳ ଘୋଷଣା କରିବେ ବୋଲି ମୁଁ ଆଗରୁ କହିଥିଲି । ଯଦି ଉକ୍ତ ପୋଲିସ ପାଗଳ ଥିଲେ ତେବେ ତାଙ୍କୁ କାହିଁକି ବନ୍ଧୁକ ଦିଆଯାଇଥିଲା ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ ।

Related Posts