ଭୁବନେଶ୍ୱର,୬/୧(ସତ୍ୟପାଠ ବ୍ୟୁରୋ): ବିନା ଛୁଟିରେ ଦୀର୍ଘ ୧୨ ବର୍ଷ ଧରି ସ୍କୁଲରେ ଅନୁପସ୍ଥିତି ଥିବାରୁ ୨୪ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ନବରଙ୍ଗପୁର ଜିଲ୍ଲାରେ ୨୦୧୦ ମସିହାରୁ ଆଜି ପର୍ଯ୍ୟନ୍ତ ଅର୍ଥାତ୍‌ ଦୀର୍ଘ ୧୨ ବର୍ଷ ଧରି କାର୍ଯ୍ୟରେ ଅନୁପସ୍ଥିତ ରହିଥିବା ୨୪ ଜଣ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସୁପାରିସ କ୍ରମେ ଜିଲ୍ଲାପାଳ ଏହି ପଦକ୍ଷେପ ନେଇଥିବା ସୂଚନା ମିଳିଛି।

ତେବେ ବିନା କୌଣସି କାରଣରେ ସ୍କୁଲରେ ଦୀର୍ଘଦିନ ଧରି ଅନୁପସ୍ଥିତ ଥିବା ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ଗଣଶିକ୍ଷା ବିଭାଗ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ଅନୁସାରେ ତଦନ୍ତ ପରେ ନବରଙ୍ଗପୁର ଜିଲ୍ଲାରେ ୩୧ ଜଣ ଶିକ୍ଷକ ଅନୁପସ୍ଥିତ ଥିବା ନେଇ ସ୍ପଷ୍ଟ ହୋଇଥିଲା । ବ୍ଳକ ଶିକ୍ଷା ବିଭାଗର ରିପୋର୍ଟକୁ ଆଧାର କରି ଏକ ସପ୍ତାହ ମଧ୍ୟରେ ସମସ୍ତ ୩୧ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିଲା । ନୋଟିସ ପରେ ଏହି ୩୧ ଜଣକ ମଧ୍ୟରୁ କୋଷାଗୁମୁଡା ବ୍ଳକର ଜଣେ ଶିକ୍ଷକ ନିଜ ପଦରୁ ଇସ୍ତଫା ଦେଇଥିଲେ। ବାକି ୩୦ ଜଣକ ମଧ୍ୟରୁ ମାତ୍ର ୬ଜଣ ବିଭିନ୍ନ କାରଣ ଦର୍ଶାଇ ଥିବାବେଳେ ଅନ୍ୟ ୨୪ ଜଣ ୧୫ ଦିନ ମଧ୍ୟରେ କୌଣସି ଉତ୍ତର ରଖିପାରିନଥିଲେ । ତେଣୁ ସମସ୍ତ ୨୪ ଜଣ ଶିକ୍ଷକଙ୍କୁ ନିଲମ୍ବିତ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ସୁପାରିସ କରିଥିବା ବେଳେ ଜିଲ୍ଲାପାଳ ସେମାନଙ୍କୁ ନିଲମ୍ବିତ କରିଛନ୍ତି।