ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କେନ୍ଦ୍ରୀୟ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମାଲକାନଗିରି ଗସ୍ତରେ ଅଛନ୍ତି । ଏହା ମଧ୍ୟରେ ରେଳମନ୍ତ୍ରୀ ବଡ଼ ଘୋଷଣା କରିଥିବାର ଦେଖିବାକୁ ମିଳିଛି । ତେବେ ନବରଙ୍ଗପୁରରୁ ଜୁନାଗଡ ଯାଏଁ ହେବ ରେଳ ଲାଇନ ସଂଯୋଗୀକରଣ । ଏଥିପାଇଁ ସର୍ଭେ କାମ ଶେଷ ହୋଇଛି । ମାଲକାନଗିରି ଗସ୍ତରେ ଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ସମୀକ୍ଷା କରିବା ପରେ ସୂଚନା ଦେଇଛନ୍ତି । ସେହିପରି ମାଲକାନଗିରିରୁ ଭଦ୍ରାଚଳମ ରେଳ ଲାଇନ ପ୍ରକଳ୍ପର ଅଗ୍ରଗତି ନେଇ ମନ୍ତ୍ରୀ ସମୀକ୍ଷା କରିଛନ୍ତି । ୧୭୪ କିଲୋମିଟର ୪୧୬ ମିଟର ଲମ୍ବ ବିଶିଷ୍ଟ ମାଲକାନଗିରି-ଭଦ୍ରାଚଳମ ରେଳ ଲାଇନ ପ୍ରକଳ୍ପକୁ ଗତବର୍ଷ ସେପ୍ଟେମ୍ବର ୯ରେ ସ୍ୱିକୃତୀ ଦେଇଥିଲା ରେଳ ବୋର୍ଡ । ୨୮ ହଜାର କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ପ୍ରକଳ୍ପରେ ୪୮ଟି ଗୁରୁତ୍ୱପୂର୍ଣ୍ଣ ଓ ୧୬୫ଟି ଛୋଟ ବ୍ରିଜ ସହିତ ୨୧୩ଟି ସେତୁ ରହିବ ।
ପ୍ରସ୍ତାବିତ ପ୍ରକଳ୍ପରେ ଓଡିଶାର ୬ଟି ଷ୍ଟେସନ ମାଲକାନଗିରି, ବାଦଲି, କୋୱାସିଗୁଡା, ରାଜଡୁଙ୍ଗା, ମହାରାଜପାଲ୍ଲୀ ଓ ଲୁଣିମାନଗୁଡା ଥିବାବେଳେ ତେଲେଙ୍ଗାନାରେ କେତେକ ଷ୍ଟେସନ ରହିଛି । ଆକାଂକ୍ଷୀ ଜିଲ୍ଲା ମାଲକାନଗିରି ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମାଲକାନଗିରିରେ ମୋବାଇଲ ନେଟୱାର୍କ ଓ ପ୍ରସ୍ତାବିତ ରେଳ ଲାଇନର ସ୍ଥିତି ଅନୁଧ୍ୟାନ କରିଛନ୍ତି ।ଜୟପୁରଠାରୁ ମାଲକାନଗିରି ଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ହେବାକୁ ଥିବା ରେଳ ଲାଇନ ଓ ରେଲୱେ ଷ୍ଟେସନର ଆଲିୟେନ୍ସ କାମକୁ ତଦାରଖ କରିଛନ୍ତି ।
ଏହା ସହ କେବଳ ମାଲକାନଗିରି ଜିଲ୍ଲାରେ ୩୦୦ରୁ ଅଧିକ ନୂଆ ମୋବାଇଲ ନେଟୱର୍କକୁ ମଂଜୁରି ମିଳିଥିବା ବେଳେ ଖୁବଶୀଘ୍ର ଏହାକୁ କାର୍ୟ୍ୟକାରୀ କରାଯିବ ବୋଲି କହିଛନ୍ତି । ଗୋବିନ୍ଦପାଲିଠାରେ ଦଳୀୟ କର୍ମୀମାନେ ତାଙ୍କୁ ସ୍ୱାଗତ କରିବା ପରେ ମାଥିଲି ଥାନା ପରିସରରେ ଥିବା ସହୀଦ ପୀଠରେ ଶ୍ରଦ୍ଧାଂଜଳୀ ଦେଇଛନ୍ତି ଅଶ୍ୱିନୀ ବୈଷ୍ଣବ । ପ୍ରଥମେ ମାଲକାନଗିରି ଡାକଘର ଉଦଘାଟନ କରିବା ପରେ ସମୀକ୍ଷା ବୈଠକ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ରର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।
