ଭୁବନେଶ୍ୱର,୧୧/୨(ସତ୍ୟପାଠ ବ୍ୟୁରୋ): ଶେଷ ହେଲା ଗୋପାଳ ଦାସର ନାର୍କୋ ଟେଷ୍ଟ । ତିନି ଦିନ ଧରି ଗୁଜୁରାଟର ଗାନ୍ଧିନଗର ଲ୍ୟାବରେ ଚାଲିଥିବା ନାର୍କୋ ଟେଷ୍ଟ ପ୍ରକ୍ରିୟା ଶେଷ ହୋଇଛି । ଏବେ ଅପେକ୍ଷା ପରୀକ୍ଷା ରିପୋର୍ଟକୁ । ନାର୍କୋ ଟେଷ୍ଟ ସମୟରେ ମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କଲା ଗୋପାଳ ତାର କାରଣ ଜାଣିବାକୁ ପ୍ରୟାସ କରିଥିଲା କ୍ରାଇମବ୍ରାଞ୍ଚ ଟିମ।
ସୂଚନା ଅନୁସାରେ, ନାର୍କୋ ଟେଷ୍ଟର ତୃତୀୟ ଦିନରେ ଗୋପାଳ ସମ୍ପୁର୍ଣ୍ନ ସୁସ୍ଥ ଥିବା ଜଣାପଡିଛି । ଶନିବାର ଗୋପାଳର ଶେଷ ପର୍ଯ୍ୟାୟ ନାର୍କୋ ଟେଷ୍ଟ କରାଯାଇଛି । ଗୁଜୁରାଟର ଗାନ୍ଧି ନଗର ଠାରେ ଥିବା ଡିଏସଏଫଏଲରେ ଗୋପାଳକୁ ଦିନ ୧୦ ଟା ବେଳେ ପହଁଚାଇଥିଲା କ୍ରାଇମବ୍ରାଞ୍ଚ । ଏହାପରେ ଗୋପାଳକୁ ଟେଷ୍ଟ ସେଣ୍ଟର ଭିତରକୁ ନେଇଥିଲେ ବିଶେଷଜ୍ଞ ଦଳ ।
ଶୁକ୍ରବାର ଗୋପାଳ ଶରୀରରେ ପ୍ରୟୋଗ କରାଯାଇଥିବା ସୋଡିୟମ ପେଣ୍ଟାଥଲର ପରିମାଣ କେତେ ରହିଛି ତାର ପରୀକ୍ଷା କରାଯାଇଥିଲା । ଏହାପରେ ଗୋପାଳ ଶରୀରର ରକ୍ତଚାପ, ମଧୁମେହ ଓ ଅନ୍ୟାନ୍ୟ ପରୀକ୍ଷା କରାଯାଇଥିଲା । ପ୍ରାୟ ଛ ଘଣ୍ଟା କାଳ ଗୋପାଳର ପରୀକ୍ଷା ଚାଲିଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୁଚନା ମିଳିଛି ।
ଆସନ୍ତା କାଲି ମଧ୍ୟ ଗୋପାଳକୁ ଡିଏଫଏସଏସକୁ ଅଣାଯିବ । ସେଠାରେ ଗୋପାଳର ମାନସିକ ସ୍ଥିତି ସମ୍ପର୍କରେ ପରୀକ୍ଷା କରିବେ ସାଇକୋଲୋଜି ଡାକ୍ତର । ଏହାପରେ ଅପରାହ୍ନରେ ଗୋପାଳକୁ କ୍ରାଇମବ୍ରାଞ୍ଚ ଟିମ ଧରି ଝାରସୁଗୁଡା ଫେରିବ ବୋଲି ସୁଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ।
ଆସନ୍ତା ୧୩ ତାରିଖରେ ଗୋପାଳର ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଶେଷ ହେଉଛି । ଏହାପରେ ଗୋପାଳକୁ ଜେଲ ପଠାଇ ଦିଆଯିବ । ଗୋପାଳର ପୁର୍ବରୁ କରାଯାଇଥିବା ସମସ୍ତ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରିବ । ସମସ୍ତ ରିପୋର୍ଟ ପାଇବା ପରେ ଗୋପାଳ କାହିଁକି ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରିଛି ତାର ଖୁଲାସା କରିବ କ୍ରାଇମବ୍ରାଞ୍ଚ ।
