
କାଳିଆ ଯୋଜନାରେ ରାଜ୍ୟ ସରକାର ଖର୍ଚ୍ଚ କରୁଥିବା ପାଣ୍ଠିକୁ ନେଇ ଏବେ ଦେଖାଦେଇଛି ବିବାଦ । ରାଜ୍ୟର ଆପଦକାଳୀନ ପାଣ୍ଠିରେ ଅର୍ଥକୁ ‘କାଳିଆ’ ଯୋଜନାରେ ଖର୍ଚ୍ଚ କରିବାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିବାବେଳେ ଜାତୀୟ ଗଣମାଧ୍ୟମରେ ଏ ନେଇ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କରାଯାଇଛି ସମାଲୋଚନା ।
ରାଜ୍ୟରେ ଥିବା କଣ୍ଟିଜେନ୍ସି ଫଣ୍ଡ ବା ଆପଦକାଳୀନ ପାଣ୍ଠିରେ ଥିବା ଅର୍ଥକୁ ‘କାଳିଆ’ ଯୋଜନାରେ ଖର୍ଚ୍ଚ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ନେଇ ଏବେ ବିବାଦ ଜୋର ଧରିଛି । ଆପଦକାଳୀନ ପାଣ୍ଠିରୁ ପ୍ରାୟ 735 କୋଟି ଟଙ୍କା ଆଣି ‘କାଳିଆ’ ଯୋଜନାରେ ଖର୍ଚ୍ଚ କରିବେ ରାଜ୍ୟ ସରକାର । ଏ ନେଇ ରାଜ୍ୟ ଅର୍ଥ ବିଭାଗ ମଞ୍ଜୁରୀ ଦେଇଛି । ଗତ ଦୁଇ ଦିନ ଧରି ଜାତୀୟ ଗଣମାଧ୍ୟମ ‘ଟାଇମ୍ସ ନାଓ’ରେ ନବୀନଙ୍କ ଆଭିମୁଖ୍ୟ ନେଇ ସମାଲୋଚନା କରାଯିବା ସହ ଖବର ପ୍ରସାରଣ କରାଯାଇଛି ।

ଏ ନେଇ ରାଜ୍ୟରେ ବିରୋଧୀ ଦଳ ମଧ୍ୟ କଡ଼ା ଆପତ୍ତି କରିଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ଆପଦକାଳୀନ ପାଣ୍ଠି ଅର୍ଥକୁ ମୁଖ୍ୟତଃ ପ୍ରାକୃତିକ ବିପର୍ଯ୍ୟସ ସମୟରେ ବ୍ୟବହାର କରାଯାଏ । କିନ୍ତୁ ଏହାକୁ ନିର୍ବାଚନରେ ଭୋଟ ଗୋଟାଇବାକୁ ବ୍ୟବହାର କରିଛନ୍ତି ନବୀନ । ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏହାକୁ ସମ୍ବିଧାନ ବିରୋଧୀ ବୋଲି କହିଛନ୍ତି ।
ବିଜେପି ପକ୍ଷରୁ ନବୀନଙ୍କର ଏହି ନିଷ୍ପତ୍ତିକୁ କଡ଼ା ସମାଲୋଚନା କରାଯାଇଛି । ଏହାକୁ ନିର୍ବାଚନୀ ଚାଲ୍ ବୋଲି କହିଛି ବିଜେପି । ସରକାରଙ୍କ ପକ୍ଷରୁ ଏ ସବୁ ସମାଲୋଚନାର ଉତ୍ତର ଦେଇ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି, ରାଜ୍ୟ ସରକାର ତାଙ୍କ ପାଣ୍ଠିରୁ କାଳିଆ ଯୋଜନା ପାଇଁ ଅର୍ଥ ଦେଉଛନ୍ତି । କେଉଁ ପାଣ୍ଠିରୁ ଦେଉଛନ୍ତି ସେଥିରେ କାହାରି କିଛି କହିବାର ନାହିଁ ।
ଓଡ଼ିଶା ଭଳି ରାଜ୍ୟର ପ୍ରାକୃତିକ ବିପର୍ଯ୍ୟୟ ସବୁବେଳେ ସହଚର ରହିଆସିଛି । ଏଥିପାଇଁ ଆପଦକାଳୀନ ପାଣ୍ଠିର ଆବଶ୍ୟକତା ଢେର ବେଶୀ । କିନ୍ତୁ ଏବେ ରାଜ୍ୟ ସରକାର ଏହି ପାଣ୍ଠିକୁ ଅନ୍ୟ ଉଦ୍ଦେଶ୍ୟରେ ନିର୍ବାଚନ ଋତୁରେ ବ୍ୟବହାର କରିବାକୁ ନେଇ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନ । କଥା ହେଲା ଜରୁରୀ ପାଣ୍ଠିକୁ ଏମିତି ତରତରରେ ଖର୍ଚ୍ଚ କରିବାକୁ ନବୀନଙ୍କ ପାଇଁ କାହିଁକି ଜରୁରୀ ପଡ଼ିଲା ।