ରାୟଗଡ଼ା: ମାଣିକେଶ୍ବରୀଙ୍କ ମନ୍ଦିରରୁ ଚୋରି ହେଲା ମା’ଙ୍କର ବିଗ୍ରହ

ମନ୍ଦିର ଓ ଠାକୁରଙ୍କୁ ବି ଛାଡ଼ିଲେନି । ରାୟଗଡ଼ାର ପ୍ରସିଦ୍ଧି ମା’ ମାଣିକେଶ୍ବରୀଙ୍କ ମନ୍ଦିରରୁ ଚୋରି ହୋଇଛି । ରାୟଗଡ଼ା ଜିଲ୍ଲା ଥିରୁବାଲି ଖେଦପଡ଼ାସ୍ଥିତ ମାଣିକେଶ୍ୱରୀଙ୍କ ମନ୍ଦିରରୁ ମା’ଙ୍କର ବିଗ୍ରହ ଚୋରି ହୋଇଯାଇଛି । ଚୋରି ହୋଇଥିବା ମା’ ମାଣିକେଶ୍ବରୀଙ୍କର ପିତ୍ତଳ ମୂର୍ତ୍ତି ହଜାର ହଜାର ବର୍ଷ ତଳର । ମା’ଙ୍କର ବିଗ୍ରହ ଚୋରି ହୋଇଥିବା ଖବର ପ୍ରଘଟ ହେବା ପରେ ସ୍ଥାନୀୟ ଲୋକଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇଛି ।

ସୂଚନା ଅନୁସାରେ ଗୁରୁବାର ରାତିରେ କେତେକ ଦୁର୍ବୃତ୍ତ ମାଣିକେଶ୍ୱରୀଙ୍କ ମନ୍ଦିର ଭିତରେ ପଶି ମା’ଙ୍କର ଅଢ଼େଇ ଫୁଟ୍‌ ଉଚ୍ଚର ପିତ୍ତଳ ନିର୍ମିତ ବିଗ୍ରହକୁ ଚୋରି କରି ନେଇଛନ୍ତି । ଆଜି ସକାଳେ ମନ୍ଦିରର ପୂଜକ ପୂଜା ପାଇଁ ମନ୍ଦିର ଖୋଲିବା ବେଳକୁ ମୂର୍ତ୍ତି ନଥିବା ଦେଖି ହତବାକ୍‌ ହୋଇଯାଇଥିଲେ । ଏ ସମ୍ପର୍କରେ ଗାଁ ଲୋକଙ୍କୁ ଅବଗତ କରିଥିଲେ ।

ପରେ ପୋଲିସ୍‌କୁ ମଧ୍ୟ ଘଟଣା ସମ୍ପର୍କରେ ଜଣାଯାଇଛି । ଏକ ବହୁ ପ୍ରାଚୀନ ପୀଠ ଭାବେ ମାଣିକେଶ୍ବରୀଙ୍କ ମନ୍ଦିରର ଖ୍ୟାତି ରହିଛି । ବହୁ ଲୋକ ମାଣିକେଶ୍ବରୀଙ୍କ ଦର୍ଶନ ଓ ମାନସିକ ପୂରଣ ପାଇଁ ପ୍ରତିଦିନ ଆସନ୍ତି ।

Related Posts