‘ସ୍ପଟ୍ ରେ ହିଁ ନବ ଦାସଙ୍କ ମୃତ୍ୟୁ ହୋଇଥିଲା, ଏତେ ଡ୍ରାମା କରିବାର କଣ ଆବଶ୍ୟକତା ଥିଲା’: ଜୟନାରାୟଣ ମିଶ୍ର

ଭୁବନେଶ୍ୱର,୩୧/୧(ସତ୍ୟପାଠ ବ୍ୟୁରୋ): ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ପରେ ବିଭିନ୍ନ ମହଲରୁ ଅନେକ ପ୍ରକାରର ମନ୍ତବ୍ୟ ଆସିବା ଆରମ୍ଭ ହୋଇଛି । ସବୁଠୁ ବଡ଼ ପ୍ରଶ୍ନ ଗୋପାଳ ଦାସ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି କରିବା ପଛରେ କଣ ରହିଛି କାରଣ ? ଏହି ପ୍ରଶ୍ନକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ତେବେ ଏସବୁ ଭିତରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ତାଙ୍କ ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜୟନାରାୟଣ କହିଛନ୍ତି ଯେ, ମୁଁ ଯେତିକି ଖବର ପାଇଛି ଗୋପାଳ ଦାସ ଗୁଳି କରିବାର କିଛି ସମୟ ମଧ୍ୟରେ ସ୍ପଟ୍ ରେ ହିଁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ମୃତ୍ୟୁ ପରେ ଏତେ ଡ୍ରାମା କରିବା କଣ ଆବଶ୍ୟକତା ଥିଲା ବୋଲି ଜୟନାରାୟଣ ପ୍ରଶ୍ନ କରିଛନ୍ତି । କେବଳ ସେତିକି ନୁହେଁ ଚିକିତ୍ସା ପାଇଁ ମନ୍ତ୍ରୀଙ୍କୁ ପ୍ରଥମେ ଝାରସୁଗୁଡାରେ ଥିବା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା, ତେବେ ଝାରସୁଗୁଡ଼ା ହସ୍ପିଟାଲ ତାଙ୍କୁ ଭୁବନେଶ୍ୱର ରେଫର ପାଇଁ ସାର୍ଟିଫାଏ କରିଥିଲା କି? ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଯଦି ସେ ଘଟଣାରେ ସଂପୃକ୍ତ ଥିବା ପୋଲିସ ଏଏସଆଇ ପାଗଳ, ତାକୁ ସର୍ଭିସ ପିସ୍ତଲ କଣ ପାଇଁ ଦେଉଥିଲେ? ଘଟଣାରେ ବଡ଼ ରହସ୍ୟ ରହିଛି, ବହୁତ ବଡ଼ ବଡ଼ ଲୋକ ଏଥିରେ ସଂପୃକ୍ତ ବୋଲି ସେ କହିଛନ୍ତି। ଆଗରୁ ପ୍ଲଟ କରି ଏଏସଆଇକୁ ପାଗଳ ଆଖ୍ୟା ଦେଉଛନ୍ତି। ଓଡ଼ିଶା ପୋଲିସରେ ଆଉ କେତେ ପାଗଳ ଅଛନ୍ତି, ସରକାର ସ୍ପଷ୍ଟ କରନ୍ତୁ ବୋଲି ସେ କହିବା ସହିତ ଆଇମା କାହାଣୀ ଶୁଣିବାକୁ ଆମେ ପ୍ରସ୍ତୁତ ନୋହୁଁ ବୋଲି ଜୟନାରାୟଣ ମିଶ୍ର କହିଛନ୍ତି।

ସୂଚନାଯୋଗ୍ୟ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଗୁଳିମାଡ ଘଟଣାକୁ ୩ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗୁଳିକାଣ୍ଡର ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିପାରିନାହିଁ । କ୍ରାଇମବ୍ରାଞ୍ଚ ଟିମ ଗୋପାଳ ଦାସଙ୍କୁ ପଚରାଉଚରା କରିବା ସହ ଗିରଫ କରି କୋର୍ଟ ଫରୱାର୍ଡ କରିଥିଲା । ଗୋପାଳ ଦାସ ଗୁଳି କରିଥିବା ସ୍ୱିକାର କରିଥିବା କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଥିଲେ । ବର୍ତ୍ତମାନ ୭ଦିନିଆ ରିମାଣ୍ଡରେ ଆଣି ଗୋପାଳଙ୍କୁ ଅଧିକ ପଚରାଉଚରା କରାଗଲେ ଗୁଳିକାଣ୍ଡର ପ୍ରକୃତ କାରଣ ଜଣାପଡିବ ବୋଲି କ୍ରାଇମବ୍ରାଞ୍ଚ କହିଛି । ତେବେ ସତ୍ୟ ସାମ୍ନାକୁ ଆସିବା ପୂର୍ବରୁ ବିଭିନ୍ନ ସ୍ଥାନରୁ ପ୍ରତିକ୍ରିୟା ଆସିବାରେ ଲାଗିଛି । ପୂର୍ବରୁ କୌଣସି ଶତୃତା ଥିଲା ନା ଏହା ଏକ ବିଦ୍ଧିବଦ୍ଧ ଯୋଜନା ସେନେଇ ଏବେ ବି ପ୍ରଶ୍ନବାଚୀ ରହିଛି । ଅନ୍ୟପଟେ ନବ ଦାସଙ୍କ ବାପା ପ୍ରତିକ୍ରିୟାରେ କହିଛନ୍ତି ହତ୍ୟା ଘଟଣାରେ ଟପ୍ ଲେବୁଲର ଷଡ଼ଯନ୍ତ୍ର ରହିଛି । ଯଦି ନବ ଦାସଙ୍କ ବାପାଙ୍କ କଥାକୁ ବିଚାରକୁ ନିଆଯାଏ ତେବେ ପ୍ରଶ୍ନ ଉଠୁଛି, କିଏ ରଚିଥିଲା ଷଡ଼ଯନ୍ତ୍ର ? ଯଦି ଷଡ଼ଯନ୍ତ୍ର ତେବେ ଏହା ରାଜନୈତିକ ନା ବ୍ୟବସାୟୀକ ? କାରଣ କେବଳ ରାଜନୀତି ନୁହେଁ ବ୍ୟବସାୟରେ ମଧ୍ୟ ମନ୍ତ୍ରୀ ନବ ଦାସ ଥିଲେ ଜଣେ ସଫଳ ବ୍ୟକ୍ତିତ୍ୱ । ମନ୍ତ୍ରୀଙ୍କର ଟ୍ରାନସପୋର୍ଟ ବ୍ୟବସାୟ ସମେତ ଆହୁରୀ ଅନେକ ବ୍ୟବସାୟ ରହିଥିଲା ।

ଅନ୍ୟପଟେ, ଅଭିଯୁକ୍ତ ଗୋପାଳ ଦାସଙ୍କ ପତ୍ନୀଙ୍କ କହିବାନୁଯାୟୀ ଗୋପାଳ ମାନସିକ ଭାବରେ ସୁସ୍ଥ ନଥିବାରୁ ୮ବର୍ଷ ହେବ ମେଡିସିନ ଖାଉଥିଲେ । ଗୋପାଳଙ୍କୁ ଚିକିତ୍ସିତ କରିଥିବା ଡାକ୍ତର ମଧ୍ୟ ଗଣମାଧ୍ୟମରେ ନିଜର ମତ ରଖିଥିଲେ । ଯାହାକୁ ନେଇ ଆହୁରୀ ସନ୍ଦେହ ବଢିବାରେ ଲାଗିଛି । କାରଣ ଡାକ୍ତର କହିଛନ୍ତି କିଛି ବର୍ଷ ତଳେ ଗୋପାଳ ମୋ ପାଖକୁ ଚିକିତ୍ସା ପାଇଁ ଆସିଥିଲେ । ତେବେ ଏତେ ଦିନର କଥାକୁ ଡାକ୍ତର କିପରି ମନେ ରଖିଲେ ତାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts