ଭୁବନେଶ୍ୱର,୪/୬(ସତ୍ୟପାଠ ବ୍ୟୁରୋ): ବିଧାନସଭା ନିର୍ବାଚନ ଫଳାଫଳର ପ୍ରାରମ୍ଭିକ ଟ୍ରେଣ୍ଡରେ ରାଜ୍ୟରେ ଅଢ଼େଇ ଦଶନ୍ଧି ଧରି କ୍ଷମତାସୀନ ବିଜେଡିକୁ ଶକ୍ତ ଧକ୍କା ଲାଗିଛି । କେବଳ ବିଜେଡି ନୁହେଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବି ଲୋକେ ପ୍ରତ୍ୟାଖ୍ୟାତ କରିଥିବାର ଟ୍ରେଣ୍ଡ ଆସିବାରେ ଲାଗିଛି । ଦାଦନପ୍ରବଣ କଂଟାବାଞ୍ଜି ବିଧାନସଭା ଆସନରେ ନବୀନଙ୍କୁ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ ପଛରେ ପକାଇ ଦେଇଛନ୍ତି ।
କଂଟାବାଞ୍ଜି ବିଧାନସଭା ଆସନରେ 3 ରାଉଣ୍ଡ ଗଣତି ପରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 1158 ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କଠୁ ପଛରେ ରହିଛନ୍ତି । ତେବେ ପ୍ରଥମ ରାଉଣ୍ଡ ଗଣତିରେ ନବୀନ ଆଗୁଆ ଥିବା ବେଳେ ଦ୍ଵିତୀୟ ରାଉଣ୍ଡରୁ ବାଜି ପଲଟିଛି | ଦ୍ଵିତୀୟ ଓ ତୃତୀୟ ରାଉଣ୍ଡରେ ବିଜେପି ପ୍ରାଥୀ ଲକ୍ଷ୍ମଣ ବାଗ ଆଗୁଆ ରହିଛନ୍ତି | ପ୍ରଥମଥର ପାଇଁ ନବୀନଙ୍କୁ ଏଭଳି ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେଡିର ଟ୍ରମ୍ପକାର୍ଡ ଓ ପୋଷ୍ଟରବଏ ନବୀନଙ୍କୁ ଲୋକଙ୍କ ପ୍ରତ୍ୟାଖ୍ୟାନ ତାଙ୍କର ଭାବମୂର୍ତ୍ତିକୁ ସଙ୍କଟରେ ପକାଇଛି । ତା’ଛଡ଼ା ନବୀନ ଲୋକପ୍ରିୟତା ହରାଇଛନ୍ତି ବୋଲି ସ୍ପଷ୍ଟ ସନ୍ଦେଶ ମିଳିଛି ।
ଏଥର ଗଂଜାମର ହିଞ୍ଜିଳି ଆସନ ସହିତ ନବୀନ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢୁଥିଲେ | ହିଞ୍ଜିଳିରେ ନବୀନ ଆଗୁଆ ଥିବା ବେଳେ କଣ୍ଟାବାଞ୍ଜିରେ ପଛୁଆ ଅଛନ୍ତି | ସେପଟେ ରାଜ୍ୟରେ ମଧ୍ୟ ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିଜେପି ଆଗୁଆ ରହିଛି ନିର୍ବାଚନ କମିଶନଙ୍କ ୱେବ ସାଇଟ ଅନୁସାରେ ରାଜ୍ୟରେ ବିଜେପି 78 ଆସନରେ ଆଗୁଆ ଥିବା ବେଳେ ବିଜେଡି 54 , କଂଗ୍ରେସ 11 , CPIM 1 ଓ 2 ସ୍ୱାଧୀନ ପ୍ରାର୍ଥୀ ଆଗୁଆ ରହିଛନ୍ତି |