‘ନବୀନ କେବଳ ଧୃତରାଷ୍ଟ୍ର ଭଳି ସିଟ୍ ରେ ବସିଛନ୍ତି, ପ୍ରକୃତ ମୁଖ୍ୟମନ୍ତ୍ରୀ ହେଉଛନ୍ତି ପାଣ୍ଡିଆନ’: ଜୁଏଲ ଓରାମ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଗକୁ ପଦ୍ମପୁର ଉପନିର୍ବାଚନ ଥିବାବେଳେ ଏବେ ଚାଷୀ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି । ବିଧାନସଭାଠୁ ନେଇ ରାଜରାସ୍ତା ପର୍ଯ୍ୟନ୍ତ ସବୁଠି ଚାଷୀ ଅବହେଳା ଏବେ ପ୍ରସଙ୍ଗ । ଏହି କ୍ରମରେ ଏବଠୁ ଅଧିକ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି । ତେବେ ମଣ୍ଡି ସମସ୍ୟାକୁ ନେଇ ବିଜେପି ବିଧାନସଭା ଆଗରେ ସତ୍ୟାଗ୍ରହରେ ବସିଥିବା ବେଳେ ଏମଏସପିକୁ ପ୍ରସଙ୍ଗ କରିଛି ବିଜେଡି ।

ତେବେ ବିଜେପି ର ଜାରି ରହିଥିବା ସତ୍ୟାଗ୍ରହରେ ଆଜି ଯୋଗଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସଂସଦ ଜୁଏଲ ଓରାମ । ଜୁଏଲ ଆଜି ଏହି ଅବସରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ଜୁଏଲ କହିଛନ୍ତି ଯେ, ନବୀନ ବାବୁ ପ୍ରକୃତରେ ରାଜ୍ୟର ମୁଖ୍ୟମନ୍ତ୍ରୀ ନୁହନ୍ତି, ସେ ହେଉଛନ୍ତି ଧୃତରାଷ୍ଟ୍ର ଭଳି । ନବୀନ ବାବୁ କେବଳ ସିଟରେ ବସିଛନ୍ତି ଆଉ କିଛି ନୁହେଁ, ପ୍ରକୃତ ମୁଖ୍ୟମନ୍ତ୍ରୀ ହେଉଛନ୍ତି ପାଣ୍ଡିଆନ । କିଛି ନିର୍ଦ୍ଧିଷ୍ଟ ଆଇଏଏସ ଅଫିସର ପାଣ୍ଡିଆନଙ୍କ ନେତୃତ୍ୱରେ ରାଜ୍ୟକୁ ଖାଲି ଲୁଟୁଛନ୍ତି ବୋଲି ସେ କହିଛନ୍ତି ।

ଜୁଏଲ ଆହୁରି କହିଛନ୍ତି ଯେ,ଜାନକୀ ବ୍ଳହବ ସରକାର ଠୁ ସବୁ ଗୁଣରେ ଏବେର ରାଜ୍ୟ ସରକାର ପାର ହୋଇ ଗଲେଣି । ବର୍ତମାନର ସରକାର ଧର୍ଷଣର, ହତ୍ୟାରେ, ଦାଦାଗିରିରେ, ଅତ୍ୟାଚାରରେ, ଲୁଟିବାରେ ସବୁଥିରେ ତତ୍କାଳୀନ ଜାନକୀ ସରକାର ଠୁ ବଳି ଗଲେଣି । ଏହାର ଜବାବ ଲୋକମାନେ ଧାମନଗରରେ ଦେଇ ସାରିଛନ୍ତି। ପଦ୍ମପୁରରେ ମଧ୍ୟ ଦେବେ ବୋଲି ଜୁଏଲ କହିଛନ୍ତି ।

ଅନ୍ୟପଟେ ଏମଏସପି ପ୍ରସଙ୍ଗରେ ଜୁଏଲ କହିଛନ୍ତି ଯେ, ଏମଏସପି ବଢାଇବାକୁ ରାଜ୍ୟ ସରକାର ଦାବି କରୁଛନ୍ତି। ହେଲେ ନିରନ୍ତର ଭାବରେ କେନ୍ଦ୍ରର ବିଜେପି ସରକାର ଏମଏସପିକୁ ବଢ଼ାଇ ଆସୁଛନ୍ତି କିନ୍ତୁ ଏହା ତୃଣମୂଳ ସ୍ତରରେ ଚାଷୀଙ୍କ ପାଖରେ ପହଞ୍ଚୁନାହିଁ । ଏହା ରାଜ୍ୟ ସରକାରଙ୍କ ଦାଇତ୍ୱ ଯେଉଁଥିରେ ସେମାନେ ସମ୍ପୂର୍ଣ ବିଫଳ ହୋଇଛନ୍ତି। ରାଜ୍ୟ ସରକାର ଖାଲି ଚାଷୀଙ୍କ ନାମରେ ଲୁଟୁଛନ୍ତି ବୋଲି ଜୁଏଲ କହିଛନ୍ତି ।

Related Posts