ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଦୁଇ କେନ୍ଦ୍ରମନ୍ତ୍ରୀ

ଆଗୁଆ ଜାମିନ୍ ଆବେଦନ କରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି | ଝରିପାଣି ଥାନାରେ ରୁଜୁ ମାମଲାକୁ ନେଇ ଜୁଏଲ ଓରାମ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବା ବେଳେ, ତାଙ୍କୁ ଜାମିନ ମିଳିଛି | ହାଇକୋର୍ଟ ଆବେଦନର ଶୁଣାଣି କରି ଜୁଏଲ ଓରାମଙ୍କୁ ଆଗୁଆ ଜାମିନ୍ ପ୍ରଦାନ କରିଛନ୍ତି ।

ପଂଚାୟତ ନିର୍ବାଚନରେ ପ୍ରତିନ୍ଦ୍ୱନ୍ଦିତା କରୁଥିବା ଜଣେ ପ୍ରାର୍ଥିନୀଙ୍କ ପାଇଁ ସହାୟତା ଲୋଡିବାକୁ ଯାଇ ଜୁଏଲ ଓରାମଙ୍କଠାରୁ ଅଶାଳୀନ ବ୍ୟବହାରର ଶିକାର ହୋଇଥିବା ନେଇ ଜଣେ ମହିଳା ଅଭିଯୋଗ କରିଥିଲେ । ଏନେଇ ଝରିପାଣି ଥାନାରେ ଗୌରୀ ମୁଣ୍ଡାରୀଙ୍କ ପକ୍ଷରୁ ଏତଲା ଦିଆଯାଇଥିଲା । ଜୁଏଲ ଓରାମ ତାଙ୍କୁ ଫୋନରେ ଗାଳି ଗୁଲଜ କରିବା ଓ ଦୁର୍ବ୍ୟବହାର କରିଥିବା ସେ ଅଭିଯୋଗ କରିଥିଲେ । ଏହା ପରେ ଜୁଏଲ ଓରାମ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଥିଲେ ।

ସେପଟେ ଆଗୁଆ ଜାମିନ ପାଇଁ ହାଇକୋର୍ଟ ଯାଇଛନ୍ତି ମୟୁରଭଂଜ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ବାରିପଦା ଟାଉନ ଥାନାରେ ଦାୟର ମାମଲାରେ ଆଗୁଆ ଜାମିନ ଲୋଡି ସେ ହାଇକୋର୍ଟ ଯାଇଛନ୍ତି । ମୟୁରଭଞ୍ଜ ଜିଲ୍ଲାରେ ଦୁଇଜଣ ସରକାରୀ କର୍ମଚାରୀଙ୍କୁ ମାଡ ମାରିବା ନେଇ ଟୁଡୁଙ୍କ ବିରୋଧରେ ଥାନାରେ ମାମଲା ହୋଇଥିଲା ।

ଜିଲ୍ଲା ବିଜେପି ଅଫିସରେ ଦୁଇ ସରକାରୀ ଅଧିକାରୀ ଅଶ୍ୱିନୀ କୁମାର ମଲ୍ଲିକ ଓ ଦେବାଶିଷ ମହାପାତ୍ରଙ୍କୁ କେନ୍ଦ୍ରମନ୍ତ୍ରୀ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ପ୍ଲାଷ୍ଟିକ ଚେୟାରରେ ପିଟିଥିଲେ ଅଭିଯୋଗ ହୋଇଥିଲା । ଉଭୟ କର୍ମଚାରୀ ମେଡିକାଲରେ ଭର୍ତି ହୋଇଥିଲେ । ଏହାକୁ ନେଇ ବାରିପଦା ଟାଉନ ଥାନାରେ ମାମଲା ଦାୟର ହୋଇଥିଲା । ପୁଲିସ ମାମଲାର ତଦନ୍ତ କରୁଥିବାବେଳେ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିଶ୍ୱେଶ୍ୱର ଟୁଡୁ |

Related Posts