ଗିରଫ ହେବା ପରେ ବିଜେଡିରୁ ବିଦା ହେଲେ ଅନୁପ ସାଏ

ଭୁବନେଶ୍ୱର: ବିଜେଡିରୁ ବିଦା ହେଲେ ଅନୁପ ସାଏ । ରାଜ୍ୟ ପଣ୍ୟଗାର ଅଧ୍ୟକ୍ଷ ପଦରୁ ହଟିଲେ ଅନୁପ ସାଏ । ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ ନେଲେ କଡା କାର୍ଯ୍ୟାନୁଷ୍ଠାନ । ଦୁର୍ନୀତି ଓ ଅପରାଧକୁ ପ୍ରଶୟ ଦେଉନଥିବା ନବୀନ ଅନୁପଙ୍କ ପ୍ରତି ମଧ୍ୟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଛତିଶଗଡ଼ର ରାୟଗଡ଼ ଜିଲ୍ଲାର ଚକ୍ରଧରନଗର ଥାନା ପୁଲିସ୍‌ ଗତକାଲି ରାତି ପ୍ରାୟ ୯ଟା ୨୩ ମିନିଟ୍‌ ସମୟରେ ବ୍ରଜରାଜ ନଗରର ଶିରିଡ଼ିସାଇ ମନ୍ଦିର ନିକଟରୁ ଅନୁପ କୁମାର ସାଏଙ୍କୁ ଉଠାଇ ନେଇଥିଲା। ଅନୁପଙ୍କୁ ଏକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ ଉଠାଇ ନେଇ ପୁଲିସ୍‌ ପଚରାଉଚୁରା ପରେ ଗିରଫ କରିଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ୨୦୧୬ରେ ବ୍ରଜରାଜ ନଗରର ଜନୈକ ମହିଳା କଳ୍ପନା ଦାସ(୩୨) ଏବଂ ତାଙ୍କ ଝିଅ ବବଲି ଦାସ(୧୫)ଙ୍କୁ ହତ୍ୟା କରାଯାଇଥିଲା।  ଛତିଶଗଡ଼ର ରାୟଗଡ଼ ଜିଲ୍ଲାର ଏକ ଜଙ୍ଗଲରେ ପୁଲିସ୍ ଉଭୟଙ୍କର ଶବ ଜବତ କରିଥିଲା। ଏହି ଘଟଣାରେ ଛତିଶଗଡ଼ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହାପରେ ତତ୍କାଳୀନ ସ୍ଥାନୀୟ ବିଜେପି ବିଧାୟକ ରାଧାରାଣୀ ପଣ୍ଡା ବି ଏହି ଘଟଣାରେ ଅନୁପ କୁମାର ସାଏ ସମ୍ପୃକ୍ତ ଥିବା ଅଭିଯୋଗ ଆଣି ତାଙ୍କର ଗିରଫ ଦାବି କରିଥିଲେ।

ଉଲ୍ଲେଖଯୋଗ୍ୟ, ଅନୁପ କୁମାର ସାଏ ବ୍ରଜରାଜନଗର ନିର୍ବାଚନମଣ୍ଡଳୀରୁ ତିନି ଥର କଂଗ୍ରେସ ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପରେ ସେ କଂଗ୍ରେସ ଦଳ ଛାଡ଼ି ୨୦୧୪ରେ ବିଜେଡିରେ ଯୋଗ ଦେଇଥିଲେ । ସେ ଗତ ୨୦୧୪ ନିର୍ବାଚନରେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କଠାରୁ ପରାସ୍ତ ହୋଇଥିଲେ।

Related Posts