
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମୋହନ ସରକାରଙ୍କୁ ବର୍ଷେ ପୂରିବାକୁ ଯାଉଥିବା ବେଳେ ଏହାର ଅବ୍ୟବହିତ ପୂର୍ବରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ୧ ବର୍ଷର ସଫଳତା ବଖାଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ସେ କେବଳ ନିଜ ରିପୋର୍ଟ କାର୍ଡ ଉପସ୍ଥାପନ କରିନାହାନ୍ତି ବରଂ ସାମ୍ବାଦିକମାନଙ୍କର ଗୋଟି ଗୋଟି ପ୍ରଶ୍ନର ଉତ୍ତର ମଧ୍ୟ ରଖିଛନ୍ତି। ସବୁଠାରୁ ବଡ଼ କଥା ହେଲା ଏହି ସାମ୍ବାଦିକ ସମ୍ମିଳନୀରେ କେବଳ ବଛା ବଛା କିମ୍ବା ସ୍ୱୀକୃତିପ୍ରାପ୍ତ ସାମ୍ବାଦିକ ନୁହଁ ବରଂ ସବୁ ବର୍ଗର ସାମ୍ବାଦିକଙ୍କୁ ସାମିଲ କରାଯାଇଥିଲା । ପୂର୍ବ ନବୀନ ପଟ୍ଟନାୟକ ସରକାର ୨୪ବର୍ଷ ରହିବା ସତ୍ୱେ ଏଭଳି ସାମ୍ବାଦିକ ସମ୍ମିଳନୀ କରିବା କେବେ ଦେଖାଯାଇନଥିଲା । ସାମ୍ବାଦିକ ସମ୍ମିଳନୀ ତ ଦୂରର କଥା ନବୀନ ଓଡ଼ିଆ ସାମ୍ବାଦିକମାନଙ୍କୁ ପାଖରେ ପୁରାଉନଥିଲେ। ଏଭଳି ସ୍ଥିତିରେ ନିଜ ସରକାରର ବର୍ଷ ପୂର୍ତ୍ତି ଅବସରରେ ସାମ୍ବାଦିକଙ୍କୁ ସମ୍ବୋଧନ କରିବା ସହ ପ୍ରଶ୍ନ-ଉତ୍ତର କାର୍ଯ୍ୟକ୍ରମ କରି ମୋହନ ବାସ୍ତବରେ ଗଣତନ୍ତ୍ରକୁ ସୁଦୃଢ଼ କରିଥବା ମତ ପ୍ରକାଶ ପାଇଛି।
ସାମ୍ବାଦିକ ସମ୍ମିଳନୀରେ କଣ କହିଥିଲେ ମୁଖ୍ୟମନ୍ତ୍ରୀ?
“ଜନସେବା ପାଇଁ ୨୪ବର୍ଷର ଶାସନର ଆବଶ୍ୟକ ନାହିଁ । ୨୪ମିନିଟରେ ବି ଅନେକ କିଛି କରିହେବ । ଇଚ୍ଛାଶକ୍ତି ଥିବା ଦରକାର । ସାଧାରଣ ଜନତା ଓ ସରକାରଙ୍କ ମଧ୍ୟରେ ଥିବା କୃତ୍ରିମ ପ୍ରାଚୀରକୁ ଆମ ସରକାର ଧୂଳିସାତ କରିଦେଇଛି । ଯେକୌଣସି ଲୋକ ତାଙ୍କ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ଅବାଧରେ ଭେଟିପାରୁଛନ୍ତି । ଏବେ ‘ତୃତୀୟ ମହଲା’ ଲୋକଙ୍କ ଦୁଆରମୁହଁକୁ ଯାଉଛି । ଏହା ହେଉଛି ଆମ ସୁଶାସନର ଏକ ନୂଆ ଦିଗ ।” ନିଜର ସରକାରର ପ୍ରଥମ ଏକବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଭଳି ପ୍ରତିକ୍ରିୟା ରଖିଛନ୍ତି । ଏହାସହିତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଖୁବଶୀଘ୍ର ଲୋକାୟୁକ୍ତ ନିଯୁକ୍ତି ଓ ନିଗମ-ବୋର୍ଡ ଅଧ୍ୟକ୍ଷ ପଦବୀ ପୂରଣ ଆଦି କରାଯିବ ବୋଲି କହିଛନ୍ତି । ତାଙ୍କ ସରକାରଙ୍କ ପ୍ରଥମବର୍ଷର କାର୍ଯ୍ୟକୁ ସେ ନିଜେ ନୁହେଁ ସାମ୍ବାଦିକମାନେ ମୂଲ୍ୟାଙ୍କନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହ୍ୱାନ ଦେଇଛନ୍ତି । କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରଙ୍କ ୧୧ବର୍ଷର ସଫଳତା ଓ ରାଜ୍ୟରେ ନିଜ ସରକାରର ଏକବର୍ଷର କାର୍ଯ୍ୟ ସମ୍ପର୍କରେ ସୂଚନା ଦେବା ସହ ଭବିଷ୍ୟତ ଯୋଜନା ସମ୍ପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଚିତ୍ର ସ୍ପଷ୍ଟ ଉପସ୍ଥାପନ କରିଛନ୍ତି ।
ମୋହନ ସରକାରଙ୍କ ଏକବର୍ଷ: ପ୍ରତିଶ୍ରୁତି ପୂରଣ ଓ ନୂଆ ସଂକଳ୍ପ
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ୨୦୨୪ ଜୁନ୍ ୧୨ ତାରିଖରେ ଶପଥ ଗ୍ରହଣ କରିଥିବା ତାଙ୍କ ସରକାର ବିଗତ ବର୍ଷକ ମଧ୍ୟରେ ଦଳ ପକ୍ଷରୁ ପ୍ରସ୍ତୁତ ସଂକଳ୍ପପତ୍ରରେ ଦେଇଥିବା ୨୧ଟି ପ୍ରତିଶ୍ରୁତି ମଧ୍ୟରୁ ୧୧ଟି ପୂରଣ ଦିଗରେ ପଦକ୍ଷେପ ନିଆଯାଇଛି । ସରକାର ନିଜର ପ୍ରଥମ କ୍ୟାବିନେଟ୍ ବୈଠକରେ ଏହି ସଂକଳ୍ପପତ୍ର ମଧ୍ୟରୁ ଯେଉଁ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ନେଇଥିଲେ ତାକୁ ସମ୍ପୂର୍ଣ୍ଣ ଭାବେ ପୂରଣ କରିଛନ୍ତି । ୫ବର୍ଷ ମଧ୍ୟରେ ଏହି ସଂକଳ୍ପପତ୍ର ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲୁ । କିନ୍ତୁ ବର୍ଷକ ମଧ୍ୟରେ ସେଥିରୁ ଅଧିକାଂଶ ମୁଖ୍ୟ ପ୍ରତିଶ୍ରୁତି ପୂରଣ କରିବାରେ ସମର୍ଥ ହୋଇଛୁ । ଲୋକଙ୍କୁ ସୁଶାସନ ଦେବା ଓ ଦୁର୍ନୀତି ବିରୁଦ୍ଧରେ ଲଢ଼େଇ କରିବା ପାଇଁ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ । ଆଜି ପିଅନଠୁ ଆରମ୍ଭ କରି ଆଇଏଏସ୍ ଅଫିସର ପର୍ଯ୍ୟନ୍ତ କୌଣସି ଦୁର୍ନୀତିଗ୍ରସ୍ତ ଅଫିସର ସୁରକ୍ଷିତ ନୁହଁନ୍ତି । ଯଦି ଦୁର୍ନୀତି କରିବ, ଜେଲ ଯିବାକୁ ପଡ଼ିବ, ଦ୍ୱିତୀୟ ବିକଳ୍ପ ନାହିଁ ବୋଲି ତାଙ୍କ ସରକାର ସ୍ପଷ୍ଟ ଆଭିମୁଖ୍ୟ ପୋଷଣ କରିସାରିଛନ୍ତି ।
ସୁଭଦ୍ରା ଯୋଜନା ହେଉଛି ମହିଳା ସଶକ୍ତିକରଣ ପାଇଁ ଏକ ନୂଆ ପଦକ୍ଷେପ । ଯାହା ମାଧ୍ୟମରେ ୩ ଲକ୍ଷରୁ ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରାଯାଇଛି । କୃଷକଙ୍କୁ କ୍ୱିଂଟାଲ ପିଛା ୮୦୦ ଟଙ୍କା ଇନପୁଟ ସବସିଡି ଓ ୨୯୨ କୋଟି ଟଙ୍କାର ଅଦିନିଆ ବର୍ଷା କ୍ଷତିପୂରଣ ପ୍ରଦାନ କରାଯାଇଛି । ଶ୍ରୀମନ୍ଦିରରେ ସୁଗମ ଦର୍ଶନ ପାଇଁ ୪ଟି ଦ୍ୱାର ଖୋଲା ଓ ୫୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ ହୋଇଛି । ସମୃଦ୍ଧ କୃଷି ଯୋଜନାରେ କୃଷି କ୍ଷେତ୍ରରେ ୩୭,୮୩୮ କୋଟି ଟଙ୍କାର ରେକର୍ଡ ବଜେଟ ଏବଂ ୩୦ହଜାର କୋଟି ଟଙ୍କାର ଇନପୁଟ ସବସିଡି ଚାଷୀଙ୍କୁ ଲାଭ ପ୍ରଦାନ କରାଯାଇଛି ।
ପୂର୍ବର ବିଜେଡି ସରକାରଙ୍କୁ କଟାକ୍ଷ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ପୂର୍ବ ସରକାର \”ଫାଇଭ ଟି’ ରୂପାନ୍ତରଣ ନାମରେ ଭଙ୍ଗା କାନ୍ଥରେ ରଙ୍ଗ ମାରି ସ୍ମାର୍ଟ ସ୍କୁଲ କହୁଥିଲେ । ମୋହନ ସରକାର ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଇ ପ୍ରତି ପଂଚାୟତରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ୧୨ଶହ କୋଟି ଟଙ୍କାରୁ ଅଧିକ ବଜେଟ ବରାଦ କରିଛନ୍ତି । ରାଜ୍ୟରେ ଜାତୀୟ ଶିକ୍ଷା ନୀତି- ୨୦୨୦ ଲାଗୁ କରାଯାଇଛି ଏବଂ ଗଣଶିକ୍ଷା ପାଇଁ ୧୬% ବଜେଟ ବରାଦ ହୋଇଛି । ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟରେ ଲାଗୁ କରାଯାଇଛି । ଆଉ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରାଯାଇଛି ।
ଗତ ଏକ ବର୍ଷ ମଧ୍ୟରେ ୯ଟି ନିଯୁକ୍ତି ମେଳା ମାଧ୍ୟମରେ ୨୮ହଜାର ସରକାରୀ ପଦବୀ ପୂରଣ କରାଯାଇଛି । ୨୦୨୫-୨୬ରେ ୪୦ହଜାର ନିଯୁକ୍ତି ଏବଂ ୫ ବର୍ଷରେ ଦେଢ଼ ଲକ୍ଷ ପଦବୀ ପୂରଣର ଲକ୍ଷ୍ୟ ରହିଛି ।
ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଆଗ୍ରହ ଓ ୧୩ ଲକ୍ଷ କୋଟି ଟଙ୍କାର ଏମଓୟୁ ସ୍ୱାକ୍ଷରିତ ହୋଇଛି । ଓଡ଼ିଶା ଶିଳ୍ପର ହବ୍ ହେବ । ଭିତ୍ତିଭୂମି କ୍ଷେତ୍ରରେ ରେଳ, ଜାତୀୟ ରାଜପଥ ଓ ବିମାନ ସେବାରେ ଉନ୍ନତି ଆସିଛି । ଗୁଡ଼ ଗଭର୍ଣ୍ଣାନ୍ସରେ ଓଡ଼ିଶାକୁ ଗୋଟିଏ ବର୍ଷ ଭିତରେ ଅନେକ ସଫଳତା ମିଳିଛି । ‘ବର୍ଷ ଏକ ସଫଳତା ଅନେକ’ ମିଳିଛି ।
ଭବିଷ୍ୟତ ଯୋଜନା: ବିକଶିତ ଓଡ଼ିଶା
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ୨୦୩୬ ସୁଦ୍ଧା ଓଡ଼ିଶା ଦେଶର ଶ୍ରେଷ୍ଠ ୫ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇବ । ଏହା ସହିତ ୫୦୦ ବିଲିୟନ ଡଲାରର ଅର୍ଥନୀତି ଗଠନ ପାଇଁ ୩୬ଟି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ଯୋଜନାଗୁଡ଼ିକ ସଂପର୍କରେ ବିସ୍ତୃତ ଘୋଷଣା କରାଯିବ । ରେଳ, ଜାତୀୟ ରାଜପଥ, ପୋର୍ଟ, ଓ ଏୟାରପୋର୍ଟ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସହଯୋଗରେ ଓଡ଼ିଶାକୁ ଏକ ମଡେଲ ରାଜ୍ୟ ଭାବେ ଗଢ଼ାଯିବ । ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଓ ୨୦୪୭ ସୁଦ୍ଧା ପ୍ରଧାନମନ୍ତ୍ରୀ ମୋଦିଙ୍କ ପରିକଳ୍ପିତ ବିକଶିତ ଭାରତ ଗଢ଼ିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ଓଡ଼ିଶା ଦେବ ବୋଲି ଶ୍ରୀ ମାଝୀ କହିଛନ୍ତି । ପୂର୍ବ ସରକାର ଦଳୀୟ ଆଧାରରେ ଲୋକଙ୍କୁ ଗୃହ ବାଣ୍ଟୁଥିଲେ । କିନ୍ତୁ ଆମ ସରକାର ପ୍ରକୃତ ଗରିବ ଓ ବଂଚିତଙ୍କ ପାଇଁ ୫ ଲକ୍ଷ ଗୃହ ଯୋଗାଇ ଦେବାକୁ ଅନ୍ତୋଦୟ ଗୃହ ଯୋଜନା ଆରମ୍ଭ କରିଛନ୍ତି । ୨୦୨୬ ମସିହା ସୁଦ୍ଧା ୯୦% ଘରେ ପିଇବା ପାଣି ପହଂଚାଇବାର ଲକ୍ଷ୍ୟ ରହିଛି । ଓଡ଼ିଶା ଯେଭଳି ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଆଦର୍ଶ ହେବ ସେଥିପାଇଁ ଆମେ ପରିଶ୍ରମ କରୁଛୁ ବୋଲି ଶ୍ରୀ ମାଝୀ କହିଛନ୍ତି।
ମୋଦି ସରକାରଙ୍କ ୧୧ ବର୍ଷ: ସେବା, ସୁଶାସନ ଓ ସମୃଦ୍ଧି
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କେନ୍ଦ୍ର ସରକାରଙ୍କ ୧୧ ବର୍ଷର ସଫଳତା ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ସ୍ଥିର ଶାସନ ଓ ଅଦ୍ଭୂତପୂର୍ଣ୍ଣ ପରିବର୍ତ୍ତନର ସାକ୍ଷୀ ହୋଇଥିବା କହିଛନ୍ତି । ଧାରା ୩୭୦ ଉଚ୍ଛେଦ କରି ଜମ୍ମୁ ଓ କଶ୍ମୀରକୁ ଦେଶର ମୁଖ୍ୟସ୍ରୋତ ସହ ଯୋଡ଼ିବା, ଟ୍ରିପଲ ତଲାକ ଉଚ୍ଛେଦ ମାଧ୍ୟମରେ ମୁସଲିମ ମହିଳାଙ୍କ ସଶକ୍ତିକରଣ, ନାରୀ ଶକ୍ତି ବନ୍ଦନ ଅଧିନିୟମ, ଏକକ ଜିଏସଟି ବ୍ୟବସ୍ଥା, କୋଭିଡ୍ ମୁକାବିଲା, ୨୭କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତି, ଆୟୁଷ୍ମାନ ଭାରତ, ପିଏମ କିଷାନ, ପ୍ରଧାନମନ୍ତ୍ରୀ ଆବାସ, ସ୍ୱଚ୍ଛ ଭାରତ, ଜନଧନ ଯୋଜନା, ବେଟି ବଚାଓ ବେଟି ପଢାଓ, ଓ ଜାତୀୟ ଶିକ୍ଷା ନୀତି -୨୦୨୦ ସାଧାରଣ ଲୋକଙ୍କ ଜୀବନରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି । ସର୍ଜିକାଲ ଷ୍ଟ୍ରାଇକ ଓ ଅପରେସନ ସିନ୍ଦୁର ମାଧ୍ୟମରେ ଆତଙ୍କବାଦୀଙ୍କୁ କଡ଼ା ଜବାବ ଦିଆଯାଇଛି ବୋଲି ଶ୍ରୀ ମାଝୀ କହିଛନ୍ତି ।