ଜେଲ୍ ଗଲେ IAS ଚକମା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବର୍ଷ ପୂର୍ତ୍ତି ପୂର୍ବରୁ ଆକ୍ସନମୋଡରେ ମୋହନ ମାଝୀ ସରକାର । ଜେଲ ଗଲେ ୨୦୨୧ ବ୍ୟାଚ୍ ଆଇଏଏସ୍ ଅଫିସର ତଥା ଧର୍ମଗଡର ଉପଜିଲ୍ଲାପାଳ ଥିବା ଧିମନ ଚକମା । ଲାଂଚ ନେବା ମାମଲାରେ ଭିଜିଲାନ୍ସ ତାଙ୍କୁ ଗିରଫ କରି ସୋମବାର ଜେଲ୍ ହାଜତକୁ ପଠାଇ ଦେଇଛି । ତାଙ୍କଠୁ ୫୭.୪୭ଲକ୍ଷ ଟଙ୍କା ଜବତ ହୋଇଛି।

ଜଣେ କ୍ରସର ମାଲିକଙ୍କଠୁ ଲାଂଚ ନେବା ଘଟଣାରେ ଧର୍ମଗଡ଼ର ଉପଜିଲ୍ଲାପାଳ ତଥା ୨୦୨୧ ବ୍ୟାଚ୍ ଆଇଏଏସ୍ ଧିମନ ଚକମାଙ୍କୁ ଭିଜିଲାନ୍ସ ଗିରଫ କରିଛି । ତାଙ୍କ ବିରୁଦ୍ଧରେ ପ୍ରମାଣ ମିଳିବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଭିଜିଲାନ୍ସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ଲୋଡ଼ାଯାଇଥିଲା । ଯାହାକୁ ମୁଖ୍ୟମନ୍ତ୍ରୀ ତତ୍କାଳ ମଞ୍ଜୁରୀ ଦେଇଥିବା ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମତି ମିଳିବା ପରେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ୍ ତାଙ୍କ ଅଫିସ୍ ଓ ସରକାରୀ ବାସଭବନ ଚଢ଼ଉ କରି ମୋଟ ୫୭.୪୭ଲକ୍ଷ ଟଙ୍କା ଜବତ କରିଛି ।

ଭିଜିଲାନ୍ସ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେବା ସହ ତାଙ୍କୁ ଗିରଫ କରି ଜେଲ୍ ପଠାଇଛି । ୨୦୨୧ ବ୍ୟାଚର ଆଇଏଏସ୍ ଧିମନ ହେଉଛନ୍ତି ସିକିମର ବାସିନ୍ଦା। ସେ ୨୦୧୯ ମସିହାରେ ଭାରତୀୟ ଜଙ୍ଗଲ ସେବାର ଅଧିକାରୀ ଭାବେ ବାରିପଦାରେ ଯୋଗ ଦେଇଥିଲେ । କିନ୍ତୁ ପରେ ବର୍ଷକ ପରେ ଆଇଏଏସ୍ ସେବାରେ ଯୋଗ ଦେଇ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଥିଲେ । ଧିମନ ଏତେ ପରିମାଣର ଟଙ୍କା କେଉଁଠୁ ଆଣିଲେ ସେନେଇ କୌଣସି ସନ୍ତୋଷଜନକ ଉତ୍ତର ଭିଜିଲାନ୍ସକୁ ଦେଇପାରିନଥିବା ଭିଜିଲାନ୍ସ ଏସପି ଏମ. ରାଧାକ୍ରିଷ୍ଣନ କହିଛନ୍ତି ।

Related Posts