ନବୀନଙ୍କ ଶେଷ ହସ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: 1997 ମସିହାରୁ ୩୦ ଜୁନ୍ ଯାଏଁ, ଯେବେଠୁ ନବୀନ ରାଜନୀତିରେ ପଦ ଦେଇଛନ୍ତି ପ୍ରତି ମୁହୂର୍ତ୍ତରେ, ପ୍ରତ୍ୟେକ ରାଜନୀତିକ ସଭା, ସମିତି, ରାଲିରେ, ମିଡିଆରେ ସବୁଠି ନିଜର ଗୋଟିଏ ଦୁର୍ବଳତା ପାଇଁ ତିରସ୍କୃତ ହେଇଛନ୍ତି। ଯେଉଁ ଅପବାଦର ବୋଝକୁ ନବୀନ ବିଗତ ୨୩ ବର୍ଷ ହେଲା ବୋହିଚାଲିଛନ୍ତି ସେଇଟା ହେଲା :- ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ଓଡ଼ିଆ ଜାଣିନାହାନ୍ତି।
ବିରୋଧୀ ଏହି ଗୋଟିଏ କଥାକୁ ଅସ୍ତ୍ର ଭଳି ନବୀନଙ୍କ ବିରୋଧରେ ବ୍ୟବହାର କରି ଆସିଛନ୍ତି। ଦୀର୍ଘ 23 ବର୍ଷ ଧରି ଏହି ଅପମାନ ଓ ଗ୍ଲାନିକୁ ନବୀନ ନୀରବରେ ସହି ଆସିଛନ୍ତି। ଯେତେବେଳେ ଯୁଆଡେ ନବୀନ ଯାଆନ୍ତୁନା କାହିଁକି ଏହି ଅପମାନ ଓ ଅପବାଦ ନବୀନଙ୍କ ପିଛା ଛାଡିନି।
ରାଜନୀତିରେ ନବୀନଙ୍କର ଆଉ ଏକ ପରିଚୟ ରହିଛି ସେଇଟା ହେଲା,ବରଂ ମିତ୍ରଙ୍କୁ ଊଣା ଅଧିକେ ଭୁଲି ପାରନ୍ତି ନବୀନ କିନ୍ତୁ ନିଜର ଶତ୍ରୁର ଅପମାନକୁ କଦାଚିତ ଭୂଳନ୍ତି ନାହିଁ। ଯାହାର ଅତୀତରେ ବହୁ ଉଦାହରଣ ରହିଛି। କିନ୍ତୁ ଓଡ଼ିଆ ନ ଜାଣିଥିବା ପାଇଁ ବହୁ ତିରସ୍କାର ସହିଚାନ୍ତି ନବୀନ ହେଲେ କେହି ବି ଭାବି ନା ଥିବେ ଏହାର ପ୍ରତିଶୋଧ ନେବେ ବୋଲି। ସମସ୍ତେ ଭାବି ଥିବେ ଓଡ଼ିଆ ଭାଷା ଜାଣି ନ ଥିବାର ବଦଲା କିଭଳି ନେବେ?
କିଭଳି ଭାବେ ଯେଉଁ ମାନେ ଅପମାନ କରିଛନ୍ତି ତାଙ୍କ ଉପରକୁ ପଲଟବାର କିଭଳି କରିବେ ?
ଶେଷରେ ନବୀନ ପ୍ରତିଶୋଧ ନେଲେ ଏବଂ ସାରା ଦୁନିଆ ସାମନାରେ ମିଠା ବଦଲା ନେଲେ। ଏଭଳି ଢଙ୍ଗରେ ଚୋଟ ମାରିଲେ ଯେ କେହି କଳ୍ପନା ବି କରି ନା ଥିବ, କାରଣ ଚୋଟ୍ ଖାଇବା ଲୋକ ବି ଜାଣିପାରିଲା ନାହିଁ ଯେ ଚୋଟ ଖାଇଛି ବୋଲି।
ନିଜକୁ ଓଡ଼ିଆ ଭାଷା ଜନନୀର ସନ୍ତାନ କହୁଥିବା ଏହି ଅଗଣିତ ବୁଦ୍ଧିଜୀବୀ, ସମାଲୋଚକ, ରାଜନେତା ଏବଂ ସାରସ୍ୱତ ସାଧକମାନଙ୍କର ବର୍ଷ ବର୍ଷର ଅପମାନର ଏଭଳି ମିଠା ପ୍ରତିଶୋଧ ନେବେ ବୋଲି।

କୋଭିଡ ଯୋଦ୍ଧାଙ୍କ କାନ୍ଧରେ ବନ୍ଧୁକ ରଖି ପ୍ରତିଶୋଧର ଗୁଳି ଚଲେଇ ଦେଲେ ନବୀନ। #Covidwarior ଙ୍କୁ ସମ୍ମାନ ଜଣାଇବାକୁ ସମୂହ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ସମସ୍ତଙ୍କୁ କହିଲେ ନବୀନ।
ଏହି ସମୂହ ଗାନ ଅବସରରେ ସମସ୍ତଙ୍କ ମୁଖା ଖୋଲିଦେଲେ। ଯେଉଁମାନେ ତାଙ୍କୁ ସବୁବେଳେ ସମାଲୋଚନା କରୁଥିଲେ ଯେ ନବୀନ ବାବୁ ଓଡ଼ିଆ ଜାଣିନାହାନ୍ତି, ମାଟି ମାଆ ପ୍ରତି ତାଙ୍କର ସମ୍ମାନ ନାହିଁ ବୋଲି। ଏ ସମସ୍ତଙ୍କର ପାଣ୍ଡିତ୍ୟର ମୁଖା ଏକା ମାଡ଼କରେ ଖୋଲିଦେଲେ।

ଦ୍ଵିତୀୟରେ ବନ୍ଦେ ଉତ୍କଳ ଜନନୀ ଗାନ ନେଇ ନବୀନଙ୍କ ଘୋଷଣା ପରେ ପ୍ରମୁଖ ରାଜନୈତିକ ଦଳର ନେତା ଏପରିକି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବି ସମାଲୋଚନା କରି କହିଲେ ଯେ ନବୀନ ନିଜେ ଏହି ସଙ୍ଗୀତ ଗାନ କରିପାରିବେ ତ ? ଯଦି ହଁ ତେବେ ନିଜେ ଆସି ବିଧାନସଭା ସାମ୍ନାରେ ଗାଆନ୍ତୁ, ଆମେ ବି ଯାଇ ଯୋଗ ଦେବୁ ଏବଂ ସମୂହ ବନ୍ଦେ ଉତ୍କଳ ଜନନୀ ଗାନ କରିବୁ ବୋଲି ଆହ୍ୱାନ ବି କଲେ। ଶେଷରେ ସୁନ୍ଦର ଭାବେ ହସି ହସି ନବୀନ ଏହାର ମିଠା ପ୍ରତିଶୋଧ ନେଲେ। ତାହା ପୁଣି ଏପରି ଚତୁରତାର ସହ ହିସାବ କରି, ଯାହାକୁ କେହି କେବେ ଭାବି ନଥିବେ। ଗତ ୨୩ ବର୍ଷର ଅପମାନ ପ୍ରତିଶୋଧ ଗତ ୩୦ ତାରିଖରେ ନେବାକୁ ଯୋଜନା କଲେ ଆଉ ଭଲ ଭାବେ ସଫଳ ବି ହେଲେ ନବୀନ।

ସେହି ସମୟରେ ଯେଉଁ ସନ୍ଦେହ ଉପୁଜିଥିଲା ଯେ, କୋଭିଡ ଯୋଦ୍ଧାଙ୍କ ପାଇଁ ନବୀନ କାହିଁକି କୃତଜ୍ଞନ୍ତା ଭରା ବନ୍ଦେ ଉତ୍କଳ ଜନନୀର ସମୂହ ଗାନ କୁ ବାଛିଲେ ?

ମେ ୩୦ ତାରିଖ ସକାଳେ ଓଡିଶାରୁ ପ୍ରକାଶ ପାଉଥିବା ସମସ୍ତ ନ୍ୟୁଜ ପେପର ଏପରିକି ଜାତୀୟସ୍ତରର ଇଂରାଜୀ ପେପର Times of India, The new Indian Expressର ପ୍ରଥମ ପୃଷ୍ଠାରେ ଲକ୍ଷ୍ୟଧିକ ଟଙ୍କା ସାରି ବନ୍ଦେ ଉତ୍କଳ ଜନନୀ ଗାନ ପାଇଁ ବିଜ୍ଞାପନ ବାହାର କରାଗଲା। ବନ୍ଦେ ଉତ୍କଳ ଜଣାନୀର ଆଲେଖ୍ୟ (ମୂଳ ଲେଖା) ବାହାର କରାଗଲା। ପୁରା ସଙ୍ଗୀତର lyrics କୁ ବିଜ୍ଞାପନ ଜରିଆରେ ପ୍ରକାଶ କରାଗଲା। ଆଶ୍ଚର୍ଯ୍ୟର କଥା କେହି ସମାଲୋଚକ ଏବଂ ବୁଦ୍ଧିଜୀବୀ ଏହାର ପ୍ରତିବାଦ କଲେ ନାହିଁ।

ଗୁରୁତ୍ୱପୂର୍ଣ କଥା ହେଲା ଯେଉଁ କରୋନା ଭୁତାଣୁ ପାଇଁ ଦେଶର ଏବଂ ରାଜ୍ୟର ଅର୍ଥନୀତି ଭୁଶୁଡି ପଡିଛି, ଏଭଳି ଦୁର୍ବଳ ଅର୍ଥନୀତି ସମୟରେ ନବୀନ ବାବୁ ଲକ୍ଷ ଲକ୍ଷ ଟଙ୍କା ସାରି ବ୍ୟୟ ବହୁଳ ବିଜ୍ଞାପନ ଛାପିବାର କି ଆବଶ୍ୟକତା ଥିଲା ? କାରଣ ଏହା ତ ମାଆର ବନ୍ଦନା। ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତର ମାନ୍ୟତା କାହିଁକି ଦିଆଯାଉନି ବୋଲି ଏବେ ବି ପାଟିତୁଣ୍ଡ ଚାଲିଛି। ତା ପରେ ପୁଣି ଏଭଳି ବିଜ୍ଞାପନର କି ଆବଶ୍ୟକତା ଅଛି।
ଏଠି ପ୍ରଶ୍ନ ଉଠୁଛି ନବୀନ ବନ୍ଦେ ଉତ୍କଳ ଜନନୀ କାହାକୁ ପଢ଼ାଉଛନ୍ତି ? ବାସ୍ତବରେ ବିଜ୍ଞାପନ ଦେଇ ଯେଉଁ ସନ୍ଦେଶ ଟି ଦେଲେ ସେଇଟା ହେଲା, ଭାଷା ଜନନୀର ତଥାକଥିତ ସନ୍ତାନ ମାନଙ୍କୁ ମାଆର ବନ୍ଦନାକୁ କାଗଜ ବିଜ୍ଞାପନରେ ପଢେଇଲେ ନବୀନ।
ଇଏ ଭିନ୍ନ କଥା ଯେ ନବୀନ ଜାଣିନାହାନ୍ତି ତେବେ ସେ ନିଜେ ପଢନ୍ତୁ। ରାଜକୋଷରୁ ଟଙ୍କା ସାରି ରାଜ୍ୟବାସୀଙ୍କୁ ଆଉ ଆଇନା ଦେଖାନ୍ତୁନି। ମାଆର ପରିଚୟ, ମାଆର ଗୀତକୁ ପୁଣି ଛୁଆଙ୍କୁ ବହି ଖାତାରୁ ପଢିବାକୁ ପଡିବ। ଏହା ଓଡ଼ିଆ ଲୋକଙ୍କ ପାଇଁ ଆଇନା ଦେଖାଇବା ନୁହେଁ ତ ଆଉ କଣ। ଏକଥା କରି ନବୀନ ସୁଚାଇ ଦେଲେ ଯେ ଯେଉଁମାନେ ମୋତେ ଆଙ୍ଗୁଳି ଦେଖାଉଛ, ତୁମେ ନିଜେ ଦେଖି ରଖ ଯେ ବାବୁମାନେ ତୁମ ଆଡକୁ ୩ଟା ଆଙ୍ଗୁଳି ଦେଖାଯାଉଛି।
ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ କହି ନବୀନ ଦେଖାଇଦେବାକୁ ଚାହିଁଲେ ଯେ, ଯେଉଁମାନେ ମୋ ବିଷୟରେ କହୁଛନ୍ତି ତାହା କେବଳ ରାଜନୈତିକ ଉଦେଶ୍ୟ ରଖି।

ନବୀନ ଜଣାଇଦେଲେ ଯେ ମୁଁ ତ ଓଡ଼ିଆ ଜାଣିନି କିନ୍ତୁ ଯେଉଁମାନେ ମୋତେ ସମାଲୋଚନା କରୁଛନ୍ତି ସେମାନେ ବି ବନ୍ଦେ ଉତ୍କଳ ଜନନୀ ଜାଣିନାହାନ୍ତି। ଆଉ ତାହା ପ୍ରମାଣିତ ବି ହେଲା ଯେତେବେଳେ ଛକ, ବଜାର, ବିଧାନସଭା, ଲୋକସେବା ଭବନ, ଥାନା କଚେରୀ ଏବଂ ଡାକ୍ତରଖାନାରେ ସବୁଠି ବନ୍ଦେ ଉତ୍କଳ ଜନନୀ ଗାନ କରାଗଲା। ସେତେବେଳେ ଯେଉଁ ଚିତ୍ର ଟି ସବୁଠି ଭାଇରାଲ ହେଲା ସେଇଟା ହେଉଛି, ନେତା ମନ୍ତ୍ରୀ ବିଧାୟକ ଅମଲା ସାମ୍ବାଦିକ ସାହିତ୍ୟିକ ସମସ୍ତଙ୍କ ହାତରେ କାଗଜ, ଲାପଟପ ନହେଲେ ମୋବାଇଲ ରହିଲା। ଯାହାକୁ ଦେଖ ସମସ୍ତେ କାଗଜ ପଢି ବନ୍ଦେ ଉତ୍କଳ ଜନନୀ ଗାନ କଲେ। ଏଭଳି ବିଡ଼ମ୍ବନର ଚିତ୍ର କେବଳ ରାଜ୍ୟରେ ନୁହେଁ, ଦେଶ ବିଦେଶରେ ବି ଘୁରି ବୁଲିଲା। ନବୀନ ପ୍ରମାଣ କରିଦେଲେ ଯେ ମୋତେ ଓଡ଼ିଆ ଅସୁନଥିବା କହି ସମାଲୋଚନା କରୁଥିବା ଲୋକ ନିଜେ ବି ଓଡ଼ିଆ ଭାଷା ଜନନୀ ର ବନ୍ଦନା ଜାଣିନାହାନ୍ତି। ସମସ୍ତେ ପଢି ବନ୍ଦେ ଉତ୍କଳ ଜନନୀ ଗାଉଛନ୍ତି। ଏଥିରେ ବୁଦ୍ଧିଜୀବୀ, ରାଜନେତା, ବ୍ୟୁରୋକ୍ରଟ ସାମ୍ବାଦିକ ସମସ୍ତେ ଥିଲେ।

ଗୋଟିଏ କଥାକୁ ପ୍ରାୟ ସମସ୍ତେ ନଜର ଦେଇ ନାହାନ୍ତି, ସେଇଟା ହେଲା,ନବୀନ ନିବାସରେ ନିଜେ ନବୀନ ଏବଂ ତାଙ୍କ ବ୍ୟକ୍ତିଗତ ସଚିବ ପଣ୍ଡିଆନ ଯେତେବେଳେ ବନ୍ଦେ ଉତ୍କଳ ଜନନୀ ଗାଇଲେ ସେତେବେଳେ କିନ୍ତୁ ନବୀନ କି ପଣ୍ଡିଆନ କେହି କାଗଜ ଖଣ୍ଡିଏ ବି ଧରିନଥିଲେ। ଏହା ଭିନ୍ନ କଥା ହୋଇପାରେ ଯେହେତୁ ତାଙ୍କ ମୁହଁରେ ମୁଖା ଥିଲା, ବାସ୍ତବରେ ସେ ଗାଉଥିଲେ କି ନାହିଁ କେହି ଜାଣିନାହାନ୍ତି। କିନ୍ତୁ ସାରା ଦୁନିଆକୁ ଯେଉଁ ଚିତ୍ର ବା ଫୋଟୋଟି ଗଲା ଯେ ନବୀନ ପଟ୍ଟନାୟକ ବିନା କାଗଜ ପଢି ବନ୍ଦେ ଉତ୍କଳ ଜନନୀ ଗାନ କଲେ। ଏହିଭଳି ଭାବରେ ନବୀନ ୨୩ ବର୍ଷର ଅପମାନର ହିସବକୁ ବରାବର କରିଦେଲେ ୩୦ମେ ୨୦୨୦ରେ।
ସମାଲୋଚକ ଙ୍କ ପାଇଁ ସେଦିନ ଥିଲା ନବୀନଙ୍କ ଶେଷ ହସ।

Related Posts