କେନ୍ଦ୍ର ବେଜେଟ୍ କୁ ନେଇ ନବୀନଙ୍କ ପ୍ରତିକ୍ରିୟା; ମୋଦୀଙ୍କୁ ପ୍ରଶଂସା, ରାଜ୍ୟ ବିଜେପିକୁ ଟାର୍ଗେଟ

ଭୁବନେଶ୍ୱର,୨/୨(ସତ୍ୟପାଠ ବ୍ୟୁରୋ): ବୁଧବାର ସଂସଦରେ ଆଗତ ହୋଇଛି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ। ଏହି ବଜେଟରେ କିଛି ଭଲ ଦିଗ ରହିଛି ଯାହାକୁ ପ୍ରଶଂସା କରାଯିବାର ଆବଶ୍ୟକତା ରହିଛି ଓ କିଛି ଚିନ୍ତା ରହିଛି ଯାହା ଉପରେ ଧ୍ୟାନ ଦେଇ ତା’ର ସମାଧାନ କରାଯିବା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ନବୀନ ଆଜି କେନ୍ଦ୍ରୀୟ ବଜେଟ୍ ଉପରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଦକ୍ଷେପକୁ ପ୍ରଶଂସା କରିଥିବାବେଳେ, ରାଜ୍ୟ ବିଜେପିକୁ ସିଧାସଳଖ ଟାର୍ଗେଟ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କେନ୍ଦ୍ରୀୟ ବଜେଟ ଉପରେ ପ୍ରତିକ୍ରିୟା ଦେବା ଆଳରେ ରାଜ୍ୟ ବିଜେପି ନେତୃବୃନ୍ଦଙ୍କୁ ସମାଲୋଚନା କରିଥିଲେ ମଧ୍ୟ କେନ୍ଦ୍ରୀୟ ବିଜେପି ନେତା ଓ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାର ସମ୍ପର୍କରେ ମୁହଁ ଖୋଲିନାହାନ୍ତି । ନବୀନ କହିଛନ୍ତି ଯେ, କେନ୍ଦ୍ରୀୟ ବଜେଟରେ ପୁଞ୍ଜିନିବେଶ ବୃଦ୍ଧି, ପାନୀୟ ଜଳ ପ୍ରୟାସକୁ ସମର୍ଥନ ଓ ଗ୍ରାମାଂଚଳ ଗୃହ ନିର୍ମାଣରେ ବୃଦ୍ଧି ଭଳି ଭଲ ପଦକ୍ଷେପ ନିଆଯାଇଛି । ଏସବୁ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ସହ ଗ୍ରାମାଂଚଳରେ ବି ସାମାଜିକ ପ୍ରଭାବ ପକାଇବ । ମାଣ୍ଡିଆକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟକୁ ସ୍ୱାଗତ କରୁଛି । ଦେଶରେ ‘ଓଡ଼ିଶା ମିଲେଟ୍ ମିଶନ’ ହେଉଛି ଅଗ୍ରଣୀ ପଦକ୍ଷେପ । ମାଣ୍ଡିଆକୁ ବଜେଟରେ ଗୁରୁତ୍ୱ ମିଳିଥିବାରୁ ଶ୍ରୀ ପଟ୍ଟନାୟକ ଖୁସି ବ୍ୟକ୍ତ କରିଛନ୍ତି ।ନୂଆ ଯୁଗର ଜ୍ଞାନକୌଶଳ ଯଥା-ଆର୍ଟଫିସିଆଲ ଇଣ୍ଟେଲିଜେନ୍ସ,ଇଂଟରନେଟ୍ ଅଫ୍ ଥିଙ୍ଗସ୍ ଆଦି ଉପରେ ଗୁରୁତ୍ୱ ପ୍ରଶଂସନୀୟ । ଏସବୁ ବଜେଟର ଭଲ ଦିଗ । ଆଦିମ ଜନଜାତି ଗୋଷ୍ଠୀଙ୍କ ଉପରେ ଧ୍ୟାନକେନ୍ଦ୍ରିତ କରାଯିବା ମଧ୍ୟ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ସେ କହିଛନ୍ତି ।

ତେବେ ମନରେଗା ପାଣ୍ଠିରେ ଦ୍ରୁତ ହ୍ରାସକୁ ନେଇ ଶ୍ରୀ ପଟ୍ଟନାୟକ ଚିନ୍ତା ବ୍ୟକ୍ତ କରିବା ସହ ଏହା ଗରିବ ଲୋକଙ୍କୁ ପ୍ରଭାବିତ କରିବ ବୋଲି କହିଛନ୍ତି । ଖାଦ୍ୟ ସୁରକ୍ଷା ବଜେଟ ସହ ଶସ୍ୟ କ୍ରୟରେ ହ୍ରାସ ମଧ୍ୟ ଚାଷୀ ଓ ଗରିବ ଲୋକଙ୍କୁ ପ୍ରଭାବିତ କରିବ । ୨୦୨୧-୨୨ ମସିହାରେ ପ୍ରାୟ ୮୦ହଜାର କୋଟି ଟଙ୍କା ଶସ୍ୟ କ୍ରୟ ପାଇଁ ଖର୍ଚ୍ଚ ହୋଇଥିବାବେଳେ ଏଥର ବଜେଟରେ ମାତ୍ର ୬୦ହଜାର କୋଟି ଟଙ୍କା ରହିଛି । ସର୍ବନିମ୍ନ ସହାୟକ ମୂଲ୍ୟରେ ଶସ୍ୟ ବିକ୍ରି କରିବାରେ ଏହା ଗୁରୁତର ସମସ୍ୟା ସୃଷ୍ଟି କରିବ ।

୨୦୨୧-୨୨ରେ ପ୍ରାୟ ୨ଲକ୍ଷ କୋଟି ଟଙ୍କା ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଖର୍ଚ୍ଚ ହୋଇଛି କିନ୍ତୁ ଏଥର ବଜେଟରେ ମାତ୍ର ୧.୩୭ଲକ୍ଷ ଟଙ୍କା ଏଥିପାଇଁ ଆବଂଟିତ ଅଛି । ସେହିପରି ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରର ବଜେଟରେ କିଛି ବି ବୃଦ୍ଧି ହୋଇନି ଅବା ହ୍ରାସ ପାଇଛି ବୋଲି ସେ କହିଛନ୍ତି ।

ଶ୍ରୀ ପଟ୍ଟନାୟକ ବଜେଟରେ ‘ଆୟୁଷ୍ମାନ ଭାରତ ଯୋଜନା’ରେ ସମଗ୍ର ଦେଶ ପାଇଁ ୭୨୦୦କୋଟି ଟଙ୍କାର ଆବଂଟନ କରାଯିବା ପ୍ରସଙ୍ଗ ରାଜ୍ୟ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି । ଶ୍ରୀ ପଟ୍ଟନାୟକ ସାଧାରଣତଃ ରାଜ୍ୟ ବିଜେପିକୁ ଆଜି ପର୍ଯ୍ୟନ୍ତ ସିଧାସଳଖ ସମାଲୋଚନା କରି ନଥିଲେ । କିନ୍ତୁ ପ୍ରଥମଥର ପାଇଁ ନିଜ ମନ୍ତବ୍ୟରେ ସ୍ପଷ୍ଟ ଭାବେ ଓଡ଼ିଶା ବିଜେପି କଥା ଉଲ୍ଲେଖ କରି କହିଛନ୍ତି ଯେ, ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ଓଡ଼ିଶା ବିଜେପି ସବୁବେଳେ ଆକ୍ରୋଶ ବ୍ୟକ୍ତ କରିଥାଏ । କିନ୍ତୁ କେବଳ ଘରୋଇ ହସ୍ପିଟାଲରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଓଡ଼ିଶା ପ୍ରାୟ ୨୪୦୦କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ କେନ୍ଦ୍ର ସରକାର ସମଗ୍ର ଦେଶ ପାଇଁ ୭୨୦୦କୋଟି ଟଙ୍କା ଆବଂଟନ କରିଛନ୍ତି । ଯଦି ସରକାରୀ ହସ୍ପିଟାଲରେ ମିଳୁଥିବା ସୁବିଧାକୁ ସାମିଲ କରାଯାଏ ତା’ହେଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଓଡ଼ିଶା ପ୍ରାୟ ୬ହଜାର କୋଟି ଟଙ୍କା ବ୍ୟୟ କରୁଛି । ଆମ ରାଜ୍ୟରେ ସ୍ୱାସ୍ଥ୍ୟକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଛି ଓ ଆମେ ନିଷ୍ଠାପର ଉଦ୍ୟମରେ ଏଥିରେ ନିବେଶ କରିବାରେ ବିଶ୍ୱାସ କରୁ । ତେଣୁ ଓଡ଼ିଶା ରାଜ୍ୟ ବିଜେପିର ନେତୃବୃନ୍ଦ ଆୟୁଷ୍ମାନ ଭାରତ ଯୋଜନା ନେଇ ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇବା ବନ୍ଦ କରନ୍ତୁ ବୋଲି ନବୀନ କହିଛନ୍ତି।

Related Posts