
ଚଣ୍ଡିଗଡ଼: ପଞ୍ଜାବ କଂଗ୍ରେସର ପୂର୍ବତନ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ପାଇଁ ପୁଣି ବଢିଛି ଅଡ଼ୁଆ | ନିର୍ଵାଚନ ପୂର୍ବରୁ ଦଳ ବିରୋଧୀ ମନ୍ତବ୍ୟ ଦେଇ ଚର୍ଚାରେ ରହି ଆସୁଥିବା ବେଳେ, ନିର୍ବାଚନ ପରେ ମଧ୍ୟ ନିଜ ର ଏହିକାର୍ଯ୍ୟରୁ ନିବୃତ ଆସିନାହାନ୍ତି ନବଜୋତ ସିଂହ ସିଦ୍ଧୁ | ଯାହାକୁ ନେଇ ଅନେକ ସମୟରେ କଡା ସମାଲୋଚନା ର ଶିକାର ହୋଇ ଆସୁଛନ୍ତି | ତେବେ ତାଙ୍କର ଏହି ପରି ଦଳ ବିରୋଧୀ କାର୍ଯ୍ୟକୁ ନେଇ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିସ କରିଛନ୍ତି ଏଆଇସିସିର ପଞ୍ଜାବ ଓ ଚଣ୍ଡିଗଡ଼ ଇନଚାର୍ଜ ହରିଶ ଚୌଧୁରୀ। ଏନେଇ ସେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଚିଠି ମଧ୍ୟ ଲେଖିଛନ୍ତି।
ଏପ୍ରିଲ ୨୩ରେ ଶ୍ରୀ ଚୌଧୁରୀ ପଠାଇଥିବା ଚିଠିରେ ଲେଖିଛନ୍ତି ଯେ “ନଭେମ୍ବର ମାସରୁ ଏଯାଏ ପଞ୍ଜାବର ଦଳୀୟ ବ୍ୟାପାରର ଇନଚାର୍ଜ ଭାବେ ମୁଁ ରହିଛି। ଏହି କାର୍ଯ୍ୟକାଳ ସମୟରେ ସିଦ୍ଧୁ ନିୟମିତ ଭାବେ କଂଗ୍ରେସ ସରକାରଙ୍କ କାର୍ଯ୍ୟକୁ ସମାଲୋଚନା କରୁଥିଲେ। କଂଗ୍ରେସ ସରକାରକୁ ଦୁର୍ନୀତି ଗ୍ରସ୍ତ ମଧ୍ୟ କହିଥିଲେ। ଦଳ ନିର୍ବାଚନ ଲଢ଼ୁଥିବା ବେଳେ ସିଦ୍ଧୁଙ୍କ ଏପରି ବୟାନ ଗ୍ରହଣଯୋଗ୍ୟ ନଥିଲା। ମୁଁ ତାଙ୍କୁ ବାରମ୍ବାର ଏପରି ବୟାନରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲି। ତଥାପି ସେ କଂଗ୍ରେସ ସରକାରଙ୍କୁ ସମାଲୋଚନା କରିଚାଲିଥିଲେ।
ସିଦ୍ଧୁ କେବେ ହେଲେ ବି ନିଜକୁ ଦଳ ଠାରୁ ଉପରେ ବୋଲି ପ୍ରଦର୍ଶିତ କରିପାରିବେ ନାହିଁ। ତାଙ୍କ ବିରୋଧରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ, ସେଥିପାଇଁ ସିଦ୍ଧୁଙ୍କୁ ହାଇକମାଣ୍ଡ ନୋଟିସ କରନ୍ତୁ।”
ସିଦ୍ଧୁଙ୍କ ବିରୋଧରେ ସୋନିଆଙ୍କୁ ଅଭିଯୋଗ କରିବା ସମ୍ପର୍କରେ ପଚାରିବାରୁ ଶ୍ରୀ ଚୌଧୁରୀ କହିଛନ୍ତି, “ଏହା ଆମ ଦଳର ଆଭ୍ୟନ୍ତରୀଣ ବ୍ୟାପାର।”
ସୂଚନାଯୋଗ୍ୟ, ନିକଟରେ ଶେଷ ହୋଇଥିବା ପଞ୍ଜାବ ବିଧାନସଭା ନିର୍ବାଚନରେ କଂଗ୍ରେସ ଗାଦିଚ୍ୟୁତ ହୋଇଛି। ଏପରି କି ସିଦ୍ଧୁ ମଧ୍ୟ ନିଜ ଆରସନରେ ହାରିଥିଲେ। ଅରବିନ୍ଦ କେଜ୍ରିୱାଲଙ୍କ ଆପ୍ ପଞ୍ଜାବ ବିଧାନସଭାର ୧୧୭ ଆସନରୁ ୯୪ରେ ଜିତି ସରକାର ଗଠନ କରିଛି।