ସୀମାନ୍ତ ଛତିଶଗଡର କାଂକେର ଜିଲ୍ଲାର ଦୁର୍ଗକନ୍ଦଲ ଥାନା ଅଂଚଳରେ ନକ୍ସଲଙ୍କ ହିଂସାକାଣ୍ଡ: ପୋଡ଼ିଲେ ରାସ୍ତା କାମରେ ନିୟୋଜିତ ଗାଡ଼ି

ମାଲକାନଗିରି: ସୀମାନ୍ତ ଛତିଶଗଡର କାଂକେର ଜିଲ୍ଲାର ଦୁର୍ଗକନ୍ଦଲ ଥାନା ଅଂଚଳରେ ପୁଣି ଦେଖିବାକୁ ମିଳିଲା ନକ୍ସଲ ଙ୍କ ହିଂସା। ଗତକାଲି ରାତିରେ ନକ୍ସଲ ପୁଣି ହିଂସା ଘଟାଇଛନ୍ତି। ରାସ୍ତା କାମରେ ନିୟୋଜିତ ଥିବା ଗାଡିକୁ ନିଆଁ ଲଗାଇ ପୋଡି ଦେଇଛନ୍ତି। ଘଟଣା ଅନୁଯାୟୀ ମେଡୋ ଠାରୁ ଲାଟମରକା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ନିର୍ମାଣ କରାଯାଉଥିବା ରାସ୍ତା କାମରେ ଗତକାଲି ବିଳମ୍ବିତ ରାତିରେ ସଶସ୍ତ୍ର ନକ୍ସଲ ପହଞ୍ଚି କ୍ୟାମ୍ପରେ ଥିବା ଲୋକଙ୍କୁ ଉଠାଇଥିଲେ। ସମସ୍ତଙ୍କୁ ଏଠାରୁ ଚାଲିଯିବାକୁ ଧମକ ଦେଇଥିଲେ।ପରେ ଏହି କାମରେ ନିୟୋଜିତ ଥବା ଗାଡିଗୁଡିକକୁ ନିଆଁ ଲଗାଇ ପୋଡି ଦେଇଥିଲେ। ତେବେ ଏହା ପୂର୍ବରୁ ଏହି ରାସ୍ତା କାମକୁ ବନ୍ଦ କରିବା ପାଇଁ ନକ୍ସଲ ଚେତାବନୀ ଦେଇ ଆସୁଥିଲେ।କିନ୍ତୁ ଠିକାଦାର ନକ୍ସଲକୁ ଭୟ ନକରି କାମକୁ ଆଗେଇ ନେଇଥିଲା।

ଏନେଇ ଖବର ପାଇବା ପରେ ଆଜି ସକାଳୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆଗାମୀ ଦିନରେ କଡା ସୁରକ୍ଷାରେ କାମ ଆରମ୍ଭ କରାଯିବ ବୋଲି କୁହାଯାଇଛି।

Related Posts