ରାହୁଲ ଗାନ୍ଧୀଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ କଥିତ ଦୁଷ୍କର୍ମ ପୀଡିତାଙ୍କ ଭିଡିଓ ହଟାଇବାକୁ ସୋସିଆଲ ମିଡ଼ିଆ କମ୍ପାନିକୁ ଚିଠି ଲେଖିଲା ଏନସିପିସିଆର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଜାତୀୟ ରାଜଧାନୀ ଦିଲ୍ଲୀର କ୍ୟାଣ୍ଟର ନାଙ୍ଗଲା ରାୟା ଅଞ୍ଚଳରେ ଜଣେ ନଅ ବର୍ଷର ନବାଳିକାକୁ ଦୁଷ୍କର୍ମ ଓ ହତ୍ୟା ହୋଇଥିବା ପୀଡ଼ିତାଙ୍କ ପରିବାର ଟୁଇଟରରେ ସେୟାର କରି ପରିଚୟ ପ୍ରକାଶ କରିବା ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଟ୍ବିଟର ଆକାଉଣ୍ଟ ସସପେଣ୍ଡ ହୋଇଥିଲା। ତାଙ୍କ ଅଫିସିଆଲ୍ ଟ୍ବିଟର ଆକାଉଣ୍ଟକୁ ଟ୍ୱିଟର ଇଣ୍ଡିଆ ସସ୍‌ପେଣ୍ଡ କରିବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଥିଲା।

ଏହି ବିବାଦ ଥମିନଥିବା ଵେଳେ ନ୍ୟାସନାଲ କମିଶନ ଫର ପ୍ରୋଟେକସନ ଅଫ୍ ଚାଇଲ୍ଡ ରାଇଟ୍ସ (ଏନସିପିସିଆର) ଶୁକ୍ରବାର ଦିନ ଫେସବୁକ୍ ଓ ଇନଷ୍ଟାଗ୍ରାମ ପରି ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଏଭଳି ଫଟୋ ପୋଷ୍ଟ କରିଥିବା କାରଣରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଫେସବୁକ ଓ ଇନଷ୍ଟାଗ୍ରାମକୁ ଏକ ଚିଠି ଲେଖିଛନ୍ତି।

 ଅଗଷ୍ଟ ୪ ରେ, ଏନସିପିସିଆର ଟ୍ୱିଟରକୁ ଚିଠି ଲେଖି ରାହୁଲ ଗାନ୍ଧୀଙ୍କ ଅଫିସିଆଲ ଟୁଇଟର ଆକାଉଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ। ଏହା ପରେ ଟୁଇଟର କଂଗ୍ରେସ ନେତାଙ୍କ ଆକାଉଣ୍ଟ ବନ୍ଦ କରିଦେଇଥିଲା।

ଏନସିପିସିଆର ଫେସବୁକକୁ ଲେଖିଥିବା ଏକ ଚିଠିରେ କହିଛି ଯେ ରାହୁଲ ଗାନ୍ଧୀଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରାଯାଇଛି ଯେଉଁଥିରେ ଉକ୍ତ ନାବାଳିକା ଝିଅର ପିତାମାତାଙ୍କ ପରିଚୟ ପ୍ରକାଶ ପାଇଛି। ତାଙ୍କ କହିବାନୁସାରେ, ଏହି ଭିଡିଓରେ ଝିଅର ବାପା ଏବଂ ମା’ଙ୍କ ଚେହେରା ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ଯାହାକି ଆଇନର ଉଲ୍ଲଂଘନ ଅଟେ।

 ରାହୁଲ ଗାନ୍ଧୀଙ୍କ ଇନଷ୍ଟାଗ୍ରାମରେ ଅପଲୋଡ୍ ହୋଇଥିବା ଭିଡିଓ ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟ, ୨୦୧୫ ଏବଂ ଶିଶୁମାନଙ୍କୁ ଯୌନ ଅପରାଧ ଆଇନ (POCSO) ଏବଂ ଭାରତୀୟ ଦଣ୍ଡବିଧି ଆଇନର ବିଭିନ୍ନ ନିୟମ ଉଲ୍ଲଂଘନ କରୁଥିବାରୁ ଆୟୋଗ ଫେସବୁକକୁ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛି। NCPCR କହିଛି ଯେ ନାବାଳିକାଙ୍କ ପିତାମାତାଙ୍କ ପରିଚୟ ପ୍ରକାଶ କରିବା ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟର ଧାରା ୭୪, POCSO ଆକ୍ଟର ଧାରା ୨୩ ଏବଂ ଭାରତୀୟ ଦଣ୍ଡବିଧି ଆଇନର ଧାରା 228A କୁ ଉଲ୍ଲଂଘନ କରୁଛି।

ଏପଟେ ରାହୁଲ ଗାନ୍ଧୀ କହିଛନ୍ତି ଯେ ଟ୍ୱିଟର ପକ୍ଷପାତିତ କରୁଛି । ସରକାର ଯାହା କହୁଛନ୍ତି ସେ ତାହୁ ଶୁଣୁଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ।ଏହା କେବଳ ପୃଥକ ଭାବରେ ଅନ୍ୟାୟ ନୁହେଁ ବରଂ ଟ୍ୱିଟର ଏକ ନିରପେକ୍ଷ ପ୍ଲାଟଫର୍ମ ବୋଲି ଧାରଣାକୁ ମଧ୍ୟ ଖଣ୍ଡନ କରୁଛି । ନିବେଶକମାନଙ୍କ ପାଇଁ ଏହା ଏକ ବିପଜ୍ଜନକ ଜିନିଷ । ରାଜନୈତିକ ପ୍ରସଙ୍ଗରେ ପକ୍ଷ ରଖିବା ଟ୍ୱିଟର ପାଇଁ ପ୍ରତିକ୍ରିୟା ରହିଛି ବୋଲି ଗାନ୍ଧୀ କହିଛନ୍ତି ।

Related Posts