ଭୁବନେଶ୍ୱର,୧୯/୧୨(ସତ୍ୟପାଠ ବ୍ୟୁରୋ): କଟକ ରେଳ ଷ୍ଟେସନର ପୁନଃବିକାଶ ହେବ । ସେଥିପାଇଁ ଡିଜାଇନ୍ ପ୍ରସ୍ତୁତ କରିଛି ରେଳ ମନ୍ତ୍ରଣାଳୟ । ସେହି ପ୍ରସ୍ତାବିତ ଡିଜାଇନ୍କୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟରରେ ଅପଲୋଡ୍ କରିବା ସହ ଏହାକୁ ନେଇ ଜନମତ ଲୋଡ଼ିଥିଲେ । ଏହି ଡିଜାଇନ୍ ସପକ୍ଷରେ ୭୪% ଭୋଟ୍ ମିଳିଛି । ଏହି ଡିଜାଇନ୍ ରେ କଟକ ରେଳ ଷ୍ଟେସନକୁ କଟକ ବାରବାଟୀ ଦୁର୍ଗ ସ୍ଥାପତ୍ୟର ବିଷୟବସ୍ତୁ ଉପରେ ରୂପରେଖ ଦିଆଯାଇଛି ।
ଏହି ପ୍ରସ୍ତାବିତ ଡିଜାଇନ୍ ଉପରେ ରେଟିଂ ଦେବାକୁ ରେଳମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ଜନସାଧାରଣଙ୍କ ମୂଲ୍ୟାୟନ ଉପରେ ଆଧାର କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ କହିଥିଲେ । ତେବେ ରେଳମନ୍ତ୍ରୀଙ୍କ ଦ୍ୱାରା ଅପଲୋଡ୍ କରାଯାଇଥିବା ଡିଜାଇନ୍ ସପକ୍ଷରେ ପ୍ରାୟ ୭୪% ଭୋଟ ଉତ୍ତମ ଓ ଅତି ଉତ୍ତମ ରେଟିଙ୍ଗ ପାଇଛି । ଜନସାଧାରଣଙ୍କ ଏପରି ବ୍ୟାପକ ସକାରାତ୍ମକ ପ୍ରତିକ୍ରିୟାକୁ ଦୃଷ୍ଟିରେ ରଖି ରେଳମନ୍ତ୍ରୀଙ୍କ ଦ୍ୱାରା ଏହି ଡିଜାଇନକୁ ଚୂଡାନ୍ତ କରାଯାଇଛି ବୋଲି ପୂର୍ବତଟ ରେଳପଥର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
