ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ପୂର୍ବରୁ କୋଭିଡ୍ ପଜିଟିଭ ଚିହ୍ନଟ ହେଲେ ହିମାଚଳର ନୂଆ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ

ଭୁବନେଶ୍ୱର,୧୯/୧୨(ସତ୍ୟପାଠ ବ୍ୟୁରୋ): ହିମାଚଳ ପ୍ରଦେଶର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଛନ୍ତି। ରିପୋର୍ଟ ଅନୁସାରେ, ମୁଖ୍ୟମନ୍ତ୍ରୀ ସୁଖୁଙ୍କ ଗଳାରେ ଦରଜ ଅନୁଭବ ହୋଇଥିଲା, ଏହାପରେ ୧୮ ଡିସେମ୍ବରରେ ତାଙ୍କର ନମୁନା ସଂଗ୍ରହ କରାଯାଇଥିଲା। ସୋମବାର ଏହାର ରିପୋର୍ଟ ସାମନାକୁ ଆସିବା ପରେ ସେ କରୋନା ପଜିଟିଭ ଥିବା ଜଣାପଡିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବା ପୂର୍ବରୁ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା।

ଖବର ଅନୁସାରେ, ଏବେ ମୁଖ୍ୟମନ୍ତ୍ରୀ ସୁଖୁ ତିନି ଦିନ ପର୍ଯ୍ୟନ୍ତ ଦିଲ୍ଲୀର ହିମାଚଳ ସଦନରେ କ୍ବାରେଣ୍ଟିନ୍‌ରେ ରହିବେ। ଅର୍ଥାତ ଏହା ସ୍ପଷ୍ଟ ଯେ, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏବେ ତାଙ୍କର ସାକ୍ଷାତ ହୋଇ ନପାରେ।

ଉଲ୍ଲେଖଯୋଗ୍ୟ ଯେ, ସୁଖବିନ୍ଦର ସିଂ ସୁଖୁ ନିକଟରେ ହିମାଚଳ ପ୍ରଦେଶର ୧୫ ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ। ଚାରିଥରର ବିଧାୟକ ଥିବା ସୁଖୁ ହିମାଚଳ ପ୍ରଦେଶ କଂଗ୍ରେସର ମୁଖ୍ୟ ମଧ୍ୟ ରହି ସାରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ ସେ ପ୍ରଧାନମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ପାଇଁ ଦିଲ୍ଲୀ ଗସ୍ତ କରିଛନ୍ତି।

Related Posts