୧୮ ବର୍ଷରେ ଛାତ୍ରଛାତ୍ରୀଙ୍କୁ ପୂର୍ଣ୍ଣ ସ୍ବାଧୀନତା ଦେବା ସମାଜ ପାଇଁ ଭଲ ନୁହେଁ; କେରଳ ହାଇକୋର୍ଟଙ୍କୁ କହିଲା କେରଳ ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୧୮ ବର୍ଷ ବୟସରେ ଛାତ୍ରଛାତ୍ରୀଙ୍କୁ ପୂର୍ଣ୍ଣ ସ୍ବାଧୀନତା ଦେବା ସମାଜ ପାଇଁ ଭଲ ନୁହେଁ। କେରଳ ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ କୋଝିକୋଡ ମେଡିକାଲ କଲେଜ ଛାତ୍ରୀମାନଙ୍କ ଏକ ଆବେଦନର ଶୁଣାଣି କରୁଥିବାବେଳେ କେରଳ ହାଇକୋର୍ଟଙ୍କୁ ଏଭଳି କହିଛନ୍ତି। ବିଶ୍ବବିଦ୍ୟାଳୟ କୋର୍ଟଙ୍କୁ ମଧ୍ୟ ଜଣାଇଛନ୍ତି ଯେ ଛାତ୍ରଛାତ୍ରୀମାନଙ୍କ ପାଇଁ ରାତ୍ରିଜୀବନ ଓ ରାତ୍ରି ଜାଗରଣ ସ୍ପୃହଣୀୟ ନୁହେଁ।

ସୂଚନାଯୋଗ୍ୟ, ରାତ୍ରି ସାଢ଼େ ୯ଟା ପରେ କୌଣସି ହଷ୍ଟେଲ ଅନ୍ତେବାସିନୀ ବାହାରକୁ ଯାଇପାରିବେ ନାହିଁ ଏବଂ ବାହାରକୁ ଯାଇଥିଲେ ତା’ ପୂର୍ବରୁ ଫେରିବାକୁ ପଡ଼ିବ ବୋଲି ରହିଥିବା ନିୟମକୁ ଚ୍ୟାଲେଞ୍ଜ କରି କୋଝିକୋଡ଼ ମେଡିକାଲ କଲେଜ ଛାତ୍ରୀମାନେ କୋର୍ଟରେ ଆବେଦନ କରିଥିଲେ। କୋର୍ଟ ରାଜ୍ୟ ସରକାର ଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏହା ଉପରେ ନିଜର ଉତ୍ତର ରଖିବା ପାଇଁ କହିଥିଲେ। ଏହି ସମୟରେ କେରଳ ରାଜ୍ୟ ସରକାର ହାଇକୋର୍ଟକୁ ଜଣାଇଛନ୍ତି ଯେ ସେମାନେ ହଷ୍ଟେଲ ସମୟସୂଚୀରେ କିଛି ପରିବର୍ତ୍ତନ କରି ଡିସେମ୍ବର ୬ରେ ଏକ ଆଦେଶନାମା ଜାରି କରିଛନ୍ତି। ତାହାକୁ କାର୍ଯ୍ୟକାରୀ କରିବା ପାଇଁ ଜଷ୍ଟିସ୍ ଦେବନ ରାମଚନ୍ଦ୍ରନ ନିର୍ଦ୍ଦେଶ ଦେଇଛନ୍ତି।

ନୂଆ ଆଦେଶନାମା ଅନୁସାରେ ରାତି ସାଢ଼େ ୯ଟାରେ ହଷ୍ଟେଲ ଗେଟ୍ ବନ୍ଦ କରାଯିବ। ପ୍ରଥମ ବର୍ଷର ଛାତ୍ରୀଙ୍କ ପାଇଁ ଏହି ସମୟ ପରେ ବାହାରେ ରହିବାର ଅନୁମତି ନାହିଁ କାରଣ ସେମାନେ ନୂଆ ଏବଂ ଅଞ୍ଚଳର ପରିବେଶ ସହ ପରିଚିତ ନୁହନ୍ତି। ପୁରୁଣା ଛାତ୍ରୀମାନେ ବି ଏହି ସମୟ ଭିତରେ ହଷ୍ଟେଲକୁ ଫେରିବାକୁ ଚେଷ୍ଟା କରିବା ଉଚିତ। କିନ୍ତୁ କୌଣସି ବିଶେଷ କାରଣ ଥିଲେ ତାହା ଦର୍ଶାଇ ସେମାନେ ରାତି ସାଢ଼େ ୯ଟା ପରେ ହଷ୍ଟେଲକୁ ଫେରିପାରିବେ। ସରକାରଙ୍କ ଏହି ଆଦେଶକୁ କୋର୍ଟ ଗ୍ରହଣ କରିଥିବା ବେଳେ ଅନ୍ୟମାନେ ବି ସ୍ବାଗତ କରିଛନ୍ତି। ତେବେ ବିଶ୍ବବିଦ୍ୟାଳୟ ତରଫରୁ କରାଯାଇଥିବା ସତ୍ୟପାଠରେ ଦର୍ଶାଯାଇଛି ଯେ, ୧୮ ବର୍ଷ ହେବା ପରେ ବି ଜଣକର ମସ୍ତିଷ୍କ ପାକଳ ନ ହୋଇପାରେ। ତରୁଣ ମସ୍ତିଷ୍କ ପାରିବେଶିକ ଚାପ, ବିପଦପୂର୍ଣ୍ଣ ବ୍ୟବହାର, ନିଶାସେବନ, ଅନିୟନ୍ତ୍ରିତ ଗାଡ଼ିଚାଳନା ଓ ଅସୁରକ୍ଷିତ ‌‌ଯୌନ କାର୍ଯ୍ୟକଳାପ ଆଦି ଦ୍ବାରା ପ୍ରଭାବିତ ହୋଇପାରେ ବୋଲି ବୈଜ୍ଞାନିକ ପ୍ରମାଣ ରହିଛି। ୨୫ ବର୍ଷ ହେଲା ପରେ ଯାଇ ମସ୍ତିଷ୍କ ପାକଳ ହୋଇଥାଏ। ତେଣୁ ୧୮ ହେଲା ପରେ ପୂର୍ଣ୍ଣ ସ୍ବାଧୀନତା ଚାହିବା ଠିକ୍ ନୁ‌ହେଁ ଓ ସମାଜ ପାଇଁ ମଧ୍ୟ ଭଲ ନୁହେଁ।

ପୁନଶ୍ଚ ବିଶ୍ବବିଦ୍ୟାଳୟ ଜଣାଇଛି ଯେ, ଆବେଦନକାରୀମାନେ ଯେହେତୁ ମେଡିକାଲ ଛାତ୍ରୀ ଏବଂ ସେମାନଙ୍କର କ୍ଲାସ୍ ସକାଳ ୮ଟାରୁ ଆରମ୍ଭ ହେଉଛି, ତେଣୁ ସେମାନେ ପ୍ରତିଦିନର କାର୍ଯ୍ୟ ପରେ ରାତିରେ ଭଲକରି ଶୋଇବା ଦରକାର। ରାତ୍ରି-ଜାଗରଣ ଓ ରାତ୍ରି-ଜୀବନ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ। ତେଣୁ ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ବିଶ୍ବବିଦ୍ୟାଳୟ ନିୟାମକ ସଂସ୍ଥାମାନଙ୍କର କର୍ତ୍ତବ୍ୟ ହେଉଛି ଛାତ୍ରଛାତ୍ରୀମାନେ ଯେପରି ଯଥେଷ୍ଟ ବିଶ୍ରାମ ନିଅନ୍ତି ତାହା ଦେଖିବା। ତେବେ ଯେଉଁମାନେ କୌଣସି ନିର୍ଦ୍ଦିଷ୍ଟ କାରଣରୁ ଡେରିରେ ଫେରିବାର ଅଛି ସେମାନଙ୍କୁ ଲେଟ୍ ପାସ୍ ମଧ୍ୟ ଦିଆଯାଏ। ଶୃଙ୍ଖଳା ହେଉଛି ହଷ୍ଟେଲ ପାଇଁ ସବୁଠାରୁ ବଡ଼ କଥା ଏବଂ ଛାତ୍ରଛାତ୍ରୀମାନଙ୍କର ଯେଉଁଥିରେ ଭଲ ହେବ ତାହା ଦେଖିବା ନିୟାମକ ସଂସ୍ଥାର କର୍ତ୍ତବ୍ୟ ବୋଲି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସତ୍ୟପାଠରେ ଦର୍ଶାଇଛନ୍ତି।

Related Posts