ନୂତନ ଆଇଟି ନିୟମ ସୋସିଆଲ ମିଡିଆ ଇକୋସିଷ୍ଟମକୁ ‘ସୁରକ୍ଷିତ ଏବଂ ଦାୟିତ୍ବସମ୍ପନ୍ନ’ କରିବ : କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ନୂତନ ଆଇଟି ନିୟମକୁ ନେଇ ଦେଶରେ କେନ୍ଦ୍ର ସରକାର ଏବଂ ସୋସିଆଲ ମିଡିଆ କମ୍ପାନୀ ମଧ୍ୟରେ ଦେଖାଦେଇଥିବା ବିବାଦ ମଧ୍ୟରେ ଅଶ୍ବିନୀ ବୈଷ୍ଣବ ଏହି ବିଭାଗର ଦାୟିତ୍ୱ ନେଇଛନ୍ତି। ଏହା ପରେ ନୂତନ ଆଇଟି ନିୟମକୁ ନେଇ ସେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଏହି ନିୟମ ସୋସିଆଲ ମିଡିଆ ୟୁଜର ମାନଙ୍କୁ ସଶକ୍ତ କରିବ। 

   ସୋସିଆଲ ମିଡିଆ ପ୍ଲାଟଫର୍ମ ‘କୁ’ ଉପରେ ପ୍ରତିକ୍ରିୟା ରଖି ବୈଷ୍ଣବ କହିଛନ୍ତି, “ମୋର ସହକର୍ମୀ ଶ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ସହ 2021 ମସିହାରେ ସୂଚନା ପ୍ରଯୁକ୍ତିବିଦ୍ୟା ନିୟମର କାର୍ଯ୍ୟକାରିତା ଏବଂ ଅନୁପାଳନର ସମୀକ୍ଷା କରିଛନ୍ତି। ଏହି ନିୟମ ଉପଭୋକ୍ତାମାନଙ୍କୁ ସଶକ୍ତ ଏବଂ ସୁରକ୍ଷା ଦେଉଛି ଏବଂ ଭାରତରେ ଏକ ନିରାପଦ ତଥା ଦାୟିତ୍ବପୂର୍ଣ୍ଣ ସୋସିଆଲ ମିଡିଆ ଇକୋସିଷ୍ଟମ ନିଶ୍ଚିତ କରିବ। ବେଙ୍ଗାଲୁରୁର ଏକ ଷ୍ଟାର୍ଟଅପ୍ ଦ୍ୱାରା ବିକଶିତ ‘କୁ’ ଟ୍ୱିଟରର ଅନୁରୂପ ସୋସିଆଲ ମିଡିଆ ପ୍ଲାଟଫର୍ମ।

   ସେ ଆହୁରି ମଧ୍ୟ କହିଛନ୍ତି ଯେ, ନୂତନ ଆଇଟି ନିୟମ ହେଉଛି ଏକ ବ୍ୟାପକ ନିୟମାବଳୀ – ଯାହା ଫେବୃଆରୀରେ ଘୋଷଣା ହୋଇଥିଲା ଏବଂ ମେ ମାସରେ କାର୍ଯ୍ୟକାରୀ ହୋଇଥିଲା – ସୋସିଆଲ୍ ମିଡିଆ କମ୍ପାନୀଗୁଡିକ, ଷ୍ଟ୍ରିମିଂ ଏବଂ ଡିଜିଟାଲ୍ ନ୍ୟୁଜ୍ ବିଷୟବସ୍ତୁକୁ ନିୟନ୍ତ୍ରଣ କରିବା ପାଇଁ ଫ୍ରେମ୍ କରାଯାଇଥିଲା, ପ୍ରଥମ ଥର ପାଇଁ ଏଗୁଡିକୁ ସରକାରୀ ତତ୍ତ୍ବାବଧାନକୁ ଆସିଥିଲା । ନୂତନ ନିୟମ ଅନୁଯାୟୀ, 50 ଲକ୍ଷରୁ ଅଧିକ ୟୁଜର ଥିବା ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ଏହି ନିୟମ ପାଳନ କରିବା ବାଧ୍ୟତାମୂଳକ ଏବଂ ସେମାନେ ଭାରତରେ ମୁଖ୍ୟ ନିୟମ ଅଧିକାରୀଙ୍କୁ ନିଯୁକ୍ତ କରିବା ଆବଶ୍ୟକ। କମ୍ପାନୀ ଦ୍ୱାରା ନିଯୁକ୍ତ ନୋଡାଲ ଅଧିକାରୀମାନେ ଆଇନ ପ୍ରଣୟନକାରୀ ସଂସ୍ଥା ସହିତ ସମନ୍ୱୟ ରକ୍ଷା କରିବେ। ସମସ୍ତ କର୍ମଚାରୀଙ୍କୁ ଭାରତରେ ରହିବା ବାଧ୍ୟତାମୂଳକ। ନୂତନ ନିୟମକୁ ନେଇ ଟ୍ୱିଟର ସହ କେନ୍ଦ୍ର ସରକାରଙ୍କ ବିବାଦ ମଧ୍ୟରେ ନୁତନ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଏହି ବୟାନ ଆସିଛି।  

    ଏହା ପୂର୍ବରୁ ରବିଶଙ୍କର ପ୍ରସାଦ ଆଇଟି ମନ୍ତ୍ରାଳୟ ଦାୟିତ୍ୱରେ ଥିବା ସମୟରେ ବିଶେଷ କରି ଟୁଇଟର ସହ ବିବାଦ ଉଗ୍ର ରୂପ ନେଇଥିଲା। ଜୁଲାଇ ୫ ରେ ସରକାର ଦିଲ୍ଲୀ ହାଇକୋର୍ଟଙ୍କୁ କହିଥିଲେ ଯେ ଟୁଇଟର ଭାରତରେ ଏହାର ଆଇନଗତ ସୁରକ୍ଷା ହରାଇଛି। ଏହାର ଅର୍ଥ ହେଉଛି ଯଦି ସୋସିଆଲ ମିଡିଆ ୱେବସାଇଟଗୁଡିକ ଉପଭୋକ୍ତାଙ୍କ ଦ୍ବାରା ପୋଷ୍ଟ କରାଯାଇଥିବା ବେଆଇନ ପୋଷ୍ଟ୍ ଏବଂ କଣ୍ଟେଣ୍ଟ ପାଇଁ ସୋସିଆଲ ମିଡ଼ିଆ କମ୍ପାନି ଦାୟୀ ରହିବେ। ଏହାର ଗୋଟିଏ ଦିନ ପରେ ଦିଲ୍ଲୀ ହାଇକୋର୍ଟ ଅଭିଯୋଗ ଅଧିକାରୀ ନିଯୁକ୍ତ ନକରିଥିବାରୁ ସୋସିଆଲ ମିଡ଼ିଆ କମ୍ପାନୀକୁ ଜବାବ ତଲବ କରିଥିଲେ। ଜଷ୍ଟିସ ରେଖା ପଲ୍ଲୀ କହିଥିଲେ ଯେ, “ଯଦି ଟୁଇଟର ଭାବୁଛି ସେ ଯେତେ ସମୟ ଚାହିଁବ ସେତେ ସମୟ ନେଇ ପାରିବ ତେବେ ମୁଁ ଏପରି ଅନୁମତି ଦେବି ନାହିଁ। 

    ଏହାର ସପ୍ତାହକ ପରେ ସୋସିଆଲ ମିଡିଆ କମ୍ପାନୀ କହିଛି ଯେ ନୂତନ ଆଇଟି ନିୟମ ଅନୁଯାୟୀ ସେ ଭାରତ ପାଇଁ ଅଭିଯୋଗ ଅଧିକାରୀଙ୍କୁ ନିଯୁକ୍ତ କରିଛି।  ମେ 26, 2021 ରୁ ଜୁନ୍ 25, 2021 ପର୍ଯ୍ୟନ୍ତ ସମୟ ପାଇଁ ଟ୍ୱିଟର ପକ୍ଷରୁ ଅଭିଯୋଗ ଆସିଥିବା ରିପୋର୍ଟ ମଧ୍ୟ ପ୍ରକାଶ କରିଛି। ନୂତନ ନିୟମ ଅନୁଯାୟୀ ସବୁ ସୋସିଆଲ ମିଡ଼ିଆ କମ୍ପାନି ଏପରି କରିବାକୁ ବାଧ୍ୟ । ସୂଚନାଯୋଗ୍ୟ ଯେ ମାସକ ତଳେ ପୋଲିସ ଟ୍ୱିଟର ବିରୋଧରେ ଚାରିଟି ମାମଲା ଦାୟର କରିବା ପରେ ଆମେରିକା କମ୍ପାନୀ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା ।  ପୂର୍ବତନ ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଦାବି କରିଛନ୍ତି ଯେ ଟ୍ୱିଟର ଜାଣିଶୁଣି ଏହି ଆଇନକୁ ପାଳନ କରୁ ନାହିଁ। 

Related Posts