ଭୁବନେଶ୍ୱର ରେଳ ଷ୍ଟେସନକୁ ଏକ ଅତ୍ୟାଧୁନିକ ରୂପ ଦିଆଯିବ ଓ ମଲଟି-ମୋଡାଲ ହବରେ ପରିଣତ କରାଯିବ । ଏଥିପାଇଁ ଆଜି ଓଡ଼ିଶା ସରକାର ଓ ପୂର୍ବତଟ ରେଳବାଇ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରୁ ଭିଡିଓ ଲିଙ୍କ ମାଧ୍ୟମରେ ଯୋଗ ଦେଇଥିଲେ । ସେହିପରି ଦିଲ୍ଲୀରେ ରେଳମନ୍ତ୍ରୀ ପିୟୁଷ ଗୋଏଲ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ ।
ଏହି ବୁଝାମଣାପତ୍ର ଅନୁସାରେ ସ୍ମାର୍ଟ ସିଟି ପ୍ରକଳ୍ପର ଏକ ଅଂଶ ବିଶେଷ ସ୍ୱରୂପ ଭୁବନେଶ୍ୱର ରେଳ ଷ୍ଟେସନକୁ ଏକ ରେଳ ଷ୍ଟେସନ ମଲଟିମୋଡାଲ ହବ ( ଆରଏସଏମଏଚ) କରାଯିବ । ଓଡ଼ିଶା ସରକାର ବିଡିଏ ମାଧ୍ୟମରେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବେ ।