ନବ ହତ୍ୟା ଚାର୍ଜସିଟ୍; ଗୋପାଳ ପାଗଳ ନୁହେଁ, ବ୍ୟକ୍ତିଗତ ଆକ୍ରୋଶ ରଖି ନବ ଦାସଙ୍କୁ କରିଥିଲା ହତ୍ୟା

ଭୁବନେଶ୍ୱର,୨୬/୫(ସତ୍ୟପାଠ ବ୍ୟୁରୋ): ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯିବାର ୧୧୮ ଦିନ ପରେ ଆଜି ମାମଲାର ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ଝାରସୁଗୁଡା ଜେଏମଏଫସି କୋର୍ଟରେ ମୋଟ ୫୪୩ ପୃଷ୍ଠାର ଚାର୍ଜସିଟ୍ କ୍ରାଇମବ୍ରାଞ୍ଚ ଦାଖଲ କରିଛି।

ବ୍ୟକ୍ତିଗତ ଆକ୍ରୋଶ ରଖି ନବଙ୍କୁ ଗୋପାଳ ଦାସ ହତ୍ୟା କରିଥିବା ଚାର୍ଜସିଟ୍‌ରେ ଉଲ୍ଲେଖ ରହିଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ସୂଚନା ଦିଆଯାଇଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ଜାରି କରାଯାଇଥିବା ପ୍ରେସ ରିଲିଜରେ କୁହାଯାଇଛି ଯେ ନବଙ୍କ ପ୍ରତି ଗୋପାଳଙ୍କ ମନରେ ବ୍ୟକ୍ତିଗତ ଆକ୍ରୋଶ ଓ ରାଗ ସୃଷ୍ଟି ହୋଇଥିଲା। ନବ ଦାସ ଓ ତାଙ୍କ ସମର୍ଥକଙ୍କ ପଟୁ ବିପଦ ଥିବା ଗୋପାଳ ଭାବୁଥିଲେ। ସେମାନେ ତାଙ୍କୁ ମାରି ଦେଇ ପାରନ୍ତି ବୋଲି ସେ ଭାବୁଥିଲେ। ତେଣୁ ସେ ନବ ଦାସଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ। ତେବେ ନବ ଦାସ ଓ ତାଙ୍କ ସମର୍ଥକମାନେ କାହିଁକି ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରନ୍ତି ବୋଲି ଗୋପାଳ ଦାସ ମନେ କରୁଥିଲେ, ସେ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଜାରି କରାଯାଇଥିବା ପ୍ରେସ ରିଲିଜରେ କୌଣସି ସୂଚନା ଦିଆଯାଇ ନାହିଁ।

ତେବେ ମିଳିଥିବା ସୂଚନା ଅନୁସାରେ କ୍ରାଇମବ୍ରାଞ୍ଚ ୫୪୩ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି। ଅଭିଯୁକ୍ତ ଗୋପାଳକୃଷ୍ଣ ଦାସ ବିରୁଦ୍ଧରେ ୩୦୭/୩୦୨/ଆର୍ମ୍ସ ଆକ୍ଟ ୨୭(୧) ଅନୁଯାୟୀ ଚାର୍ଜ ଫ୍ରେମ କରାଯାଇଥିବା ସୂଚନା ମିଳିଛି। ମାମଲାରେ ତଦନ୍ତ ଅଧିକାରୀଙ୍କୁ ମିଶାଇ ମୋଟ ୮୯ ଜଣ ସାକ୍ଷୀ ଥିବା ସୂଚନା ରହିଛି।

କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ଯେ ସଂପୂର୍ଣ୍ଣ ସୁସ୍ଥ ମସ୍ତିଷ୍କରେ ଗୋପାଳ ଏହି ହତ୍ୟାକାଣ୍ଡ ଘଟାଇଥିଲେ। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଥିଲା। ଏହି ହତ୍ୟା ଘଟଣା ପରେ ପରେ ଗୋପାଳ ପାଗଳ ଥିବା ପରିବାର କହିଥିଲେ। ତାଙ୍କର ବାଇପୋଲାର ଡିଜ୍‌ଅର୍ଡର ଅଛି ଓ ସେ ଔଷଧ ଖାଉଥିବା କଥା କହିଥିଲେ। ତେଣୁ ଏନେଇ ପରୀକ୍ଷା ପାଇଁ DMETଙ୍କ ଦ୍ୱାରା ଏକ ମେଡିକାଲ ଟିମ୍ ଗଠନ ହୋଇଥିଲା। ମେଡିକାଲ ଟିମ୍ ପରୀକ୍ଷା କରି ଗୋପାଳର ମାନସିକ ବିଲକ୍ଷଣ ନଥିବା କହିଥିଲେ। ସେହିପରି ସ୍ଥାନୀୟ ଲୋକ ଓ ଗୋପାଳଙ୍କ ସହକର୍ମୀମାନେ କହିଥିଲେ ଯେ ସେ ସୁସ୍ଥ ଥିଲେ। ତାଙ୍କଠାରେ କିଛି ଅସ୍ୱାଭାବିକ ପରିଲକ୍ଷିତ ହେଉ ନଥିଲା। ତଦନ୍ତ କାଳରେ ସେ ସହଯୋଗ କରୁଥିଲେ ଓ ପ୍ରଶ୍ନର ଉତ୍ତର ଦେଉଥିଲେ। ତଦନ୍ତ ବେଳେ ସ୍ପଷ୍ଟ ହୋଇଥିଲା ଯେ ଗୋପାଳ ସୁସ୍ଥ ମନରେ ଓ ଯୋଜନାବଦ୍ଧ ଭାବେ ଏହି ଅପରାଧ ଘଟାଇଥିଲେ। ତାଙ୍କର ମାନସିକ ସ୍ଥିତି ସ୍ୱାଭାବିକ ଓ ସ୍ଥିର ଥିଲା।

ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ୨୯ ତାରିଖରେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ପୁଲିସ ଏଏସଆଇ ଗୋପାଳ ଦାସ ନବଙ୍କୁ ଗୁଳି କରି ହତ୍ୟା କରିଥିଲେ। ପ୍ରଥମେ ଗୋପାଳକୁ ଝାରସୁଗୁଡ଼ା ଜେଲରେ ରଖିଯାଇଥିଲା। ପରେ ତାକୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରାଯାଇ଼ଥିଲା। ନବ ଦାସ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଥିଲା। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହାର ତଦନ୍ତଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲେ ରାଜ୍ୟ ସରକାର। କିନ୍ତୁ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ ବିରୋଧୀ। ସିବିଆଇ ଏହି ଘଟଣାର ତଦନ୍ତ କରୁ ବୋଲି ବିରୋଧୀ ଦାବି କରିଥିଲେ।ଅନ୍ୟପକ୍ଷରେ ନବ ଦାସଙ୍କୁ ହତ୍ୟା କରାଯିବା ପରେ ଚଳିତ ମାସରେ ଝାରସୁଗୁଡ଼ାରେ ଉପନିର୍ବାଚନ ହୋଇଥିଲା। ନବଙ୍କ ଝିଅ ଦୀପାଳି ଦାସ ଏଥିରେ ବିଜୟୀ ହୋଇଛନ୍ତି।

Related Posts