ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ୬ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ମଞ୍ଜୁର କଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର,୨୬/୫(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଆପ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ଅନ୍ତରୀଣ ଜାମିନ । ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ୬ ସପ୍ତାହ ପାଇଁ ବେଲ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଅସୁସ୍ଥତା ଯୋଗୁ ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି କୋର୍ଟ। ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ୬ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି। କିନ୍ତୁ, ଏହି ସମୟରେ ବିନା ଅନୁମତିରେ ସତ୍ୟେନ୍ଦ୍ର ଜୈନ୍‌ ଦିଲ୍ଲୀ ଛାଡ଼ି ଯାଇ ପାରିବେ ନାହିଁ କିମ୍ବା ଗଣମାଧ୍ୟମରେ କୌଣସି ବିବୃତି ଦେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମ୍‌କୋର୍ଟ କହିଛନ୍ତି, ସ୍ବାସ୍ଥ୍ୟ ସମସ୍ୟାଜନିତ ଡାକ୍ତରୀ ଚିକିତ୍ସା କାରଣରୁ ଆମେ ମଧ୍ୟବର୍ତ୍ତିକାଳୀନ ଜାମିନ କଥା ବିଚାର କଲୁ ଏବଂ ତାଙ୍କ ପସନ୍ଦ ଅନୁସାରେ ଘରୋଇ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ୬ ସପ୍ତାହ ଜାମିନ ମଞ୍ଜୁର କଲୁ। ଡାକ୍ତରୀ ଚିକିତ୍ସା ପାଇଁ ତାଙ୍କୁ ଜେଲ୍‌ରୁ ମୁକ୍ତ କରାଗଲା। କିନ୍ତୁ, ତାଙ୍କ ପ୍ରତି ଟ୍ରାଏଲ୍‌ କୋର୍ଟ ଲାଗୁ କରିଥିବା ସର୍ତ୍ତାବଳି ବଳବତ୍ତର ରହିବ ଏବଂ ସେ କ‌ୌଣସି ସାକ୍ଷୀଙ୍କୁ ପ୍ରଭାବିତ କରିପାରିବେ ନାହିଁ କି, ଭେଟି ପାରିବେ ନାହିଁ। ଏହି ଆଦେଶ ଜୁଲାଇ ୧୧ ତାରିଖ ପର୍ଯ୍ୟନ୍ତ କାଏମ ରହିବ।

ସୂଚନାଯୋଗ୍ୟ ଯେ, ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ଗତବର୍ଷ ମେ ମାସରେ ଜୈନ୍‌ଙ୍କୁ ଗିରଫ କରାଯାଇ ଜେଲ୍‌ ପଠାଯାଇଥିଲା। ଶ୍ବାସପ୍ରଶ୍ବାସ ଜନିତ ସମସ୍ୟା ପାଇଁ ଜୈନ୍‌ଙ୍କୁ ଦିଲ୍ଲୀସ୍ଥିତ ‘ଲୋକ ନାୟକ ଜୟପ୍ରକାଶ ନାରାୟଣ’ (ଏଲ୍‌ଏନ୍‌ଜେପି) ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଗତକାଲି ତାଙ୍କୁ ସେଠାରେ ‘ଆଇସିୟୁ’ରେ ରଖାଯାଇଥିଲା।

Related Posts