ପହିଲାରୁ ଯାଞ୍ଚ କଡ଼ାକଡ଼ି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ଆଉ ଦୁଇଦିନ ପରେ ଅର୍ଥାତ ମାର୍ଚ ପହିଲାରୁ ରାଜ୍ୟରେ ମୋଟରଯାନ ଯାଞ୍ଚ କଡାକଡି ହେବ । ନୂତନ ପରିବହନ ଆଇନ୍‍ ଅନୁଯାୟୀ ଏହି ଯାଞ୍ଚ ଚଲାଯିବ ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

ରାଜ୍ୟରେ ନୂତନ ପରିବହନ ଆଇନ୍‍ ଗତବର୍ଷ ସେପ୍ଟେମ୍ବର ପହିଲାରୁ ଲାଗୁ ହେବା ପରେ ଗାଡିମୋଟର ଯାଞ୍ଚ ଜୋରଦାର ହୋଇଥିଲା । ଚାଳକମାନଙ୍କ ଡ୍ରାଇଭିଂ ଲାଇସେନ୍ସ ସହିତ ଗାଡିର ଫିଟ୍‍ନେସ୍‍, ବୀମା, ପ୍ରଦୂଷଣ ଆଦି ଯାଞ୍ଚ କରାଯାଇଥିଲା । ଖିଲାପକାରୀଙ୍କଠାରୁ ମୋଟା ଅଙ୍କର ଜୋରିମାନା ବି ଆଦାୟ ହୋଇଥିଲା । ତେବେ ହଠାତ୍‍ ଏଭଳି ଯାଞ୍ଚ ଆରମ୍ଭ ହେବାରୁ ଲୋକେ ନିଜ ନିଜ ଗାଡିର କାଗଜପତ୍ର ଠିକ୍‍ କରିବା ଲାଗି ସମୟ ଦେବାକୁ ଦାବି କରିଥିଲେ ।

ଡ୍ରାଇଭିଂ ଲାଇସେନ୍ସ ପାଇଁ ଆଞ୍ଚଳିକ ପରିବହନ ଦପ୍ତର ଗୁଡିକରେ ଲୋକେ ମଧ୍ୟରାତ୍ରୀରୁ ଧାଡିରେ ଛିଡା ହେଉଥିବାବେଳେ ପ୍ରଦୂଷଣ ଯାଞ୍ଚ କେନ୍ଦ୍ର ଗୁଡିକରେ ଅନୁରୂପ ଅବସ୍ଥା ଲକ୍ଷ୍ୟ କରାଯାଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରେ ଗାଡିମୋଟର ଯାଞ୍ଚ ଓ ମୋଟା ଅଙ୍କର ଫାଇନ୍‍ ଆଦାୟକୁ ନେଇ ପୁଲିସ୍‍ ଓ ପରିବହନ ଅଧିକାରୀଙ୍କ ସହିତ ଲୋକେ ହାତାହାତି ହେବାକୁ ପଛାଇ ନଥିଲେ । ଖୋଦ୍‍ ରାଜଧାନୀରେ ବି ବଡ ଧରଣର ଗଣ୍ଡଗୋଳ ହୋଇଥିଲା ।

ଜନସାଧାରଣଙ୍କ ଦାବି ଏବଂ କମ୍‍ ସଂଖ୍ୟକ ପ୍ରଦୂଷଣ ଯାଞ୍ଚ କେନ୍ଦ୍ରକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦୁଇ ପର୍ଯ୍ୟାୟରେ ଯାଞ୍ଚ ପ୍ରକ୍ରିୟାକୁ ୬ମାସ ପାଇଁ କୋହଳ କରିଥିଲେ । ତେବେ ଏହି ସମୟ ସୀମା ଆସନ୍ତା ୨୯ ତାରିଖରେ ପୂରିଯାଉଥିବାରୁ ମାର୍ଚ୍ଚ ପହିଲାରୁ କଡାକଡି ଯାଞ୍ଚ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି ।

ନୂତନ ମୋଟରଯାନ ଆଇନ୍‍ ଅନୁଯାୟୀ ନିୟମ ମାନୁନଥିବା ଲୋକଙ୍କ ଉପରେ ଜୋରିମାନାର ପରିମାଣ ବହୁଗୁଣ ବଢି ଯାଇଥିବାରୁ ଅଧିକାଂଶ ଲୋକେ ଇତି ମଧ୍ୟରେ ତଣ୍ଡଗଣିବା ଭୟରେ କାଗଜପତ୍ର ସଜାଡି ନେଇଛନ୍ତି । ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ଜୋରିମାନା ପରିମାଣ ୧୦ହଜାର ଟଙ୍କା ଥିବାବେଳେ ଏବେ କିନ୍ତୁ ଏକାଧିକ ପ୍ରଦୂଷଣ ଯାଞ୍ଚ କେନ୍ଦ୍ର ଓ ଭ୍ରାମ୍ୟମାଣ ପ୍ରଦୂଷଣ ଯାଞ୍ଚ ଗାଡି ସହରରେ ଦେଖିବାକୁ ମିଳୁଛି ।

ସଂଖ୍ୟାଧିକ ଗାଡିଚାଳକ ସେମାନଙ୍କ ଗାଡିର କାଗଜପତ୍ର ଠିକ୍‍ କରିସାରିଥିବାରୁ ଯାଞ୍ଚରେ ଆଉ କୌଣସି ସମସ୍ୟା ହେବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା ଆଶା ପ୍ରକାଶ କରିଛନ୍ତି ।

Related Posts