ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ହାତୀପୋଡ଼ି ଘଟଣାରେ ଏକମାତ୍ର ପ୍ରତ୍ୟକ୍ଷଦର୍ଶୀ ତଥା ଅସ୍ଥାୟୀ ବନ କର୍ମଚାରୀ ତୁରାମ ପୂର୍ତ୍ତି ବିଷପିଇ ମୃତ୍ୟୁ ବରଣ କରିବା ଘଟଣାରେ ଆସିଛି ନୂଆ ମୋଡ। ଅସ୍ଥାୟୀ ବନ କର୍ମଚାରୀ ତୁରାମ ପୂର୍ତ୍ତିଙ୍କୁ ହତ୍ୟା କରାଯାଇଛି ବୋଲି ମୃତ ତୁରାମଙ୍କ ପତ୍ନୀ ଝିଲମ୍ ପୂର୍ତ୍ତି ଅଭିଯୋଗ କରିଛନ୍ତି। ଏନେଇ ତୁରାମଙ୍କ ପତ୍ନୀ ଯଶୀପୁର ଥାନାରେ ଗତକାଲି ଲିଖିତ ଅଭିଯୋଗ କରିଛନ୍ତି। ଜେନାବିଲ ରେଞ୍ଜର ଶଙ୍କର ସାମଲ, ଫରେଷ୍ଟର ଚନ୍ଦ୍ରଭାନୁ ବେହେରା ଓ ଫରେଷ୍ଟ ଗାର୍ଡ ବିନୋଦ ଦାସଙ୍କ ନାଁରେ ସେ ଏହି ହତ୍ୟା ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ, ଗତ ୧୧ତାରିଖ ଦିନ ଜେନାବିଲି ରେଞ୍ଜର ଶିଵ ଶଙ୍କର ସାମଲ ଏବଂ ତାଙ୍କର ଦୁଇ ସହଯୋଗୀ ବନ କର୍ମଚାରୀ ମିଶି ହାତୀ ପୋଡି ଘଟଣା କାହିଁକି ପ୍ରକାଶ କଲୁ ବୋଲି କହି ମୋ ସ୍ୱାମୀ ତୁରାମ ପୂର୍ତ୍ତିଙ୍କୁ ନିସ୍ତୁକ ପିଟିଥିଲେ। ପରେ ସେମାନେ ମୋ ସ୍ୱାମୀଙ୍କୁ ଜୋର ଜବରଦସ୍ତ ବିଷ ପିଆଇ ଦେଇଥିଲେ। ତୁରାମଙ୍କ ପତ୍ନୀଙ୍କ ଅଭିଯୋଗ ଆଧାରରେ ୩ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ଯଶୀପୁର ପୁଲିସ। ଡିସେମ୍ବର ୧୫ ତାରିଖରେ ତୁରାମ ପୂର୍ତ୍ତି କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।

ସୂଚନାଯୋଗ୍ୟ ଯେ, ଶିମିଳିପାଳ ଅଭୟାରଣ୍ୟରେ କିଛି ଦିନ ପୂର୍ବେ ଏକ ଦନ୍ତା ଶିକାର ହୋଇଥିବା ବେଳେ ଏହାକୁ ଲୁଚାଇବାକୁ କିଛି ବନ କର୍ମଚାରୀ ଗତ ୭ ତାରିଖରେ ହାତୀଟିକୁ ପୋଡ଼ି ଦେଇଥିଲେ। ଏପରିକି ପ୍ରମାଣ ନଷ୍ଟ କରିବାକୁ ଅବଶିଷ୍ଟାଂଶକୁ ସେମାନେ ନଦୀରେ ଭସାଇ ଦେଇଥିଲେ। ଏହି ସମୟରେ ସେଠାରେ ଅସ୍ଥାୟୀ ବନ କର୍ମଚାରୀ ତୁରାମ ଉପସ୍ଥିତ ଥିବା ବେଳେ ଏହାର କିଛି ଫଟୋ ସେ ଉପରିସ୍ଥ ଅଧିକାରୀଙ୍କୁ ପଠାଇଥିଲେ। ଏହାପରେ ତନାଘନା ଆରମ୍ଭ ହୋଇ ଜେନାବିଲ ରେଞ୍ଜର ଶଙ୍କର ସାମଲ, ଫରେଷ୍ଟର ଚନ୍ଦ୍ରଭାନୁ ବେହେରା ଓ ଫରେଷ୍ଟ ଗାର୍ଡ ବିନୋଦ ଦାସଙ୍କୁ ନିଲମ୍ବନ କରାଯାଇଥିଲା। ତେବେ ଏହି ଘଟଣାରେ ହାଇକୋର୍ଟଙ୍କ ଭର୍ତ୍ସନା ପରେ ୩ ବନ କର୍ମଚାରୀଙ୍କୁ ବନବିଭାଗ ଗିରଫ କରି ଜେଲ୍‌ ପଠାଯାଇଛି।