
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁଜୁରାଟ ନିର୍ବାଚନକୁ ନେଇ ଏବେ ସାରା ଦେଶର ରାଜନୀତିକ ମାହୋଲ ସରଗରମ ଥିବା ବେଳେ ଏବେ ଏକ ରୋଚକ ଖବର ସାମ୍ନାକୁ ଆସିଛି। ନିର୍ବାଚନ ମୈଦାନକୁ ଓହ୍ଲାଇବାକୁ ଯାଉଛନ୍ତି ମିସେସ୍ ଜାଡେଜା । ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭା ଜାଡେଜା ବିଧାନସଭା ନିର୍ବାଚନ ଲଢିବା ନେଇ ଜୋର ଧରିଛି ଚର୍ଚ୍ଚା । ଗୁଜରାଟର ଏକ ବିଧାନସଭା କ୍ଷେତ୍ରରୁ ଭାରତୀୟ ଜନତା ପାର୍ଟି ଟିକେଟ୍ରୁ ସେ ଲଢିବା ନେଇ ସୂଚନା ମିଳିଛି ।ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୁଧବାର ଗୁଜରାଟ ଗସ୍ତ କରିବା ପରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇପାର ସମ୍ଭାବନା ରହିଛି । ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ରିଭା ଜାଡେଜାଙ୍କ ନାଁ ମଧ୍ୟ ରହିଛି ବୋଲି ସୂଚନା ମିଳୁଛି ।
ତେବେ ଗୁଜରାଟରେ ଗତ ୨୭ ବର୍ଷ ହେଲା ସରକାରରେ ଅଛି ବିଜେପି । ଆସନ୍ତା ନିର୍ବାଚନରେ ଦଳ ପକ୍ଷରୁ କିଛି ବରିଷ୍ଠ ନେତାଙ୍କୁ ଟିକେଟ୍ ଦିଆଯାଇନପାରେ ବୋଲି ଚର୍ଚ୍ଚା ହେଉଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଏବଂ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲଙ୍କୁ ଦଳ ପ୍ରାର୍ଥୀ କରିନପାରେ । ବିଶେଷ କରି ୭୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ନେତୃତ୍ବଙ୍କୁ ଏଥର ବାଦ୍ ଦିଆଯାଇପାରେ । ତେଣୁ ନବାଗତଙ୍କୁ ସୁଯୋଗ ଦିଆଯିବା ଉପରେ ବିଜେପି ଜୋର ଦେଉଥିବା ବେଳେ ରିଭା ଜାଡେଜା ଜୋରଦାର ଲବି ଚଳାଇଛନ୍ତି । ଏହା ସହିତ ସେ ମେକାନିକାଲ ଇଞ୍ଜିନିୟରିଂ ଭଳି ଉଚ୍ଚ ଶିକ୍ଷା ପ୍ରାପ୍ତ କରିଛନ୍ତି ।
ସୂଚନାଯୋଗ୍ୟ, ୨୦୧୯ ମାର୍ଚ୍ଚ ୩ ତାରିଖରେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିଲେ ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭା ଜାଡେଜା । ରାଜନୀତିରେ ସକ୍ରିୟ ନଥିଲେ ସୁଦ୍ଧା ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳୁଥିଲା । ଏବେ ଗୁଜରାଟ ବିଧାନସଭା ନିର୍ବାଚନରେ ସେ ପ୍ରତିଦ୍ବନ୍ଦିତା କରିବାକୁ ଜୋରସୋରରେ ଲବି ଚଳାଇଛନ୍ତି ।