ବେଙ୍ଗଲ ନିର୍ବାଚନ ପରବର୍ତ୍ତୀ ହିଂସା ନେଇ ଏନ୍‌ଏଚ୍‌ଆର୍‌ସିର ଚୂଡ଼ାନ୍ତ ରିପୋର୍ଟ- “ରାଜ୍ୟରେ ଆଇନର ଶାସନ ନୁହେଁ ଶାସକର ଆଇନ ଚାଲିଛି”, ମମତା ଖପ୍ପା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଗତ ମେ ମାସରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ଏନ୍‌ଏଚ୍‌ଆର୍‌ସି (ରାଷ୍ଟ୍ରୀୟ ମାନବାଧିକାର ଆୟୋଗ) କୋଲକାତା ହାଇକୋର୍ଟରେ ଚୂଡାନ୍ତ ରିପୋର୍ଟ ଦାଖଲ କରିଛନ୍ତି। ଏହି ରିପୋର୍ଟରେ ଟିଏମସି ନେତୃତ୍ୱାଧିନ ମମତା ସରକାରଙ୍କୁ କଡ଼ା ସମାଲୋଚନା କରାଯାଇଛି। ଏହି ଅନ୍ତିମ ରିପୋର୍ଟରେ କୁହାଯାଇଛି, ପ୍ରଶାସନ ଉପରୁ ରାଜ୍ୟବାସୀଙ୍କ ବିଶ୍ବାସ ତୁଟିଯାଇଛି। ଏନ୍ଏଚ୍ଆରସି ଟିମ୍‌ କଡା ଟିପ୍ପଣୀ ଦେଇ କହିଛନ୍ତି, ଯେ ରାଜ୍ୟରେ ‘ଆଇନର ଶାସନ’ ନୁହେଁ ବରଂ ଏଠାରେ ‘ଶାସକର ଆଇନ’ ଚାଲିଛି।

      ରିପୋର୍ଟରେ, NHRC ପକ୍ଷରୁ ହତ୍ୟା ଏବଂ ବଳାତ୍କାର ଭଳି ଜଘନ୍ୟ ଅପରାଧର ସିବିଆଇ ଯାଞ୍ଚ ପାଇଁ ସୁପାରିଶ କରାଯାଇଛି ।ବିଧାନସଭା ନିର୍ବାଚନରେ ଟିଏମସିର ବିଜୟ ପରେ ସୃଷ୍ଟି ହୋଇଥିବା ରାଜନୈତିକ ହିଂସାକୁ ରୋକିବାରେ ବିଫଳ ହୋଇଥିବା ଅଭିଯୋଗରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କୁ ଏହି ରିପୋର୍ଟରେ ତୀବ୍ର ସମାଲୋଚନା କରାଯାଇଛି। 

     ପ୍ୟାନେଲ ଏହାର ରିପୋର୍ଟରେ କହିଛି ଯେ ବଙ୍ଗଳାରେ ହିଂସା ଘଟଣାରେ ପୀଡିତଙ୍କ ଅବସ୍ଥା ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତାକୁ ଦର୍ଶାଉଛି। ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ, ରାଜ୍ୟରେ ନିର୍ବାଚନରେ ​​ହାରିଥିବା ଅନ୍ୟ ପ୍ରମୁଖ ଦଳକୁ ସମର୍ଥନ କରୁଥିବା ଲୋକଙ୍କ ପ୍ରତି ପ୍ରତିଶୋଧ ନେବାକୁ ଶାସକ ଦଳର ସମର୍ଥକଙ୍କ ଦ୍ବାରା ସଂଗଠିତ ହିଂସା ର ଏକ ବଡ଼ ଚିତ୍ର ଦର୍ଶାଉଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ରାଜ୍ୟ ସରକାରଙ୍କ କିଛି ସଂସ୍ଥା ବା କର୍ମଚାରୀ ମୂକ ଦର୍ଶକ ଥିବାବେଳେ ଅନ୍ୟମାନେ ଅଧିକାଂଶ ହିଂସା ଘଟଣାରେ ସମ୍ପୃକ୍ତ ଥିବା ଜଣାପଡିଛି।

      ହାଇକୋର୍ଟରେ ଏନ୍‌ଏଚ୍‌ଆର୍‌ସି ଦାଖଲ କରିଥିବା ତଦନ୍ତ ରିପୋର୍ଟ ଅନଲାଇନରେ ଲିକ ହେବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ଷୋଭ ପ୍ରକାଶ କରିଛନ୍ତି। ମମତା କହିଛନ୍ତି, କମିସନ୍‌ ନ୍ୟାୟପାଳିକାକୁ ସମ୍ମାନ ଦେବା ଉଚିତ। ଏହି ରିପୋର୍ଟକୁ ଲିକ୍‌ କରାଯିବା ଉଚିତ ହୋଇ ନାହିଁ। ରିପୋର୍ଟକୁ କେବଳ ଅଦାଲତରେ ଦାଖଲ କରିବା କଥା। ରିପୋର୍ଟରେ କ’ଣ ରହିଛି ତାହା ସର୍ବସାଧାରଣରେ ପ୍ରକାଶ କରାଯିବା ଉଚିତ ନୁହେଁ। ରାଜନୈତିକ ଫାଇଦା ଉଠାଇବା ପାଇଁ ତଥା ଆମ ରାଜ୍ୟକୁ ବଦନାମ କରିବା ପାଇଁ ବିଜେପି ବର୍ତ୍ତମାନ ନିରପେକ୍ଷ ଏଜେନ୍ସି ଗୁଡିକୁ ବ୍ୟବହାର କରୁଛି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ।

     ‘ NHRC କୋର୍ଟକୁ ସମ୍ମାନ ଦେବା ଉଚିତ୍। ଏହି ତଥ୍ୟକୁ ଗଣମାଧ୍ୟମରେ ପ୍ରକାଶ କରିବା ପରିବର୍ତ୍ତେ ଏହା ପ୍ରଥମେ କୋର୍ଟରେ ଦାଖଲ କରିବା ଉଚିତ୍ ବୋଲି ସେ କହିଛନ୍ତି। ବିଜେପି ଶାସିତ ଉତ୍ତରପ୍ରଦେଶରେ ଅପରାଧ ଘଟଣାର ଉଦାହରଣ ଦେଇ ମମତା ବାନାର୍ଜୀ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି’ । ବାନାର୍ଜୀ କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦୀ ଭଲଭାବେ ଜାଣିଛନ୍ତି ଯେ ୟୁପିରେ ଆଇନଶୃଙ୍ଖଳା ଭୁଷୁଡି ପଡିଛି । ହାଥରସ ଠାରୁ ଉନ୍ନାଓ ପର୍ଯ୍ୟନ୍ତ ଅନେକ ଘଟଣା ଘଟିଛି। ଏପରିକି ସାମ୍ବାଦିକମାନେ ମଧ୍ୟ ଏଥିରୁ ରକ୍ଷା ପାଇ ନାହାଁନ୍ତି। ସେମାନେ ବଙ୍ଗଳାର ଭାବମୂର୍ତ୍ତିକୁ ବଦନାମ କରୁଛନ୍ତି।”

Related Posts