ନୂଆଦିଲ୍ଲୀ,(ସତ୍ୟପାଠବ୍ୟୁରୋ): ନୂଆଦିଲ୍ଲୀରେ ଅନୁଷ୍ଠିତ ୧୮ତମ ବ୍ରିକ୍ସ ସମ୍ମିଳନୀରେ ଭାରତ ଦ୍ୱାରା ଉପସ୍ଥାପିତ ପ୍ରସ୍ତାବ, ‘ନୂଆଦିଲ୍ଲୀ ଘୋଷଣାନାମା’ ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ବ୍ରିକ୍ସ ବୈଠକକୁ ଅର୍ଥପୂର୍ଣ୍ଣ ଏବଂ ଗଠନମୂଳକ ବୋଲି ବିବୃତ୍ତି ଜାରି କରିଛନ୍ତି। ସେ ଏହା ମଧ୍ୟ ଘୋଷଣା କହିଛନ୍ତି ଯେ, ଭାରତ ଦ୍ୱାରା ଉପସ୍ଥାପିତ ସମସ୍ତ ୧୦ ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଦସ୍ୟ ରାଷ୍ଟ୍ରମାନଙ୍କ ସାମ୍ନାରେ ଘୋଷଣାପତ୍ରର ଚିଠା ରଖିଥିଲେ। ଏହା ଉପରେ କୌଣସି ଦେଶର ଆପତ୍ତି ଅଛି କି ବୋଲି ସେ ପ୍ରଶ୍ନ କରିଥିଲେ। କିନ୍ତୁ କୌଣସି ସଦସ୍ୟ ରାଷ୍ଟ୍ର ପକ୍ଷରୁ ଆପତ୍ତି ଉଠାଯାଇନଥିଲା। ଫଳରେ ଘୋଷଣାପତ୍ରଟି ସର୍ବସମ୍ମତିରେ ଗୃହୀତ ହୋଇଛି। ବ୍ରିକ୍ସ ଘୋଷଣାନାମାରେ ସମସ୍ତ ଦେଶ ପହଲଗାମ ଆକ୍ରମଣକୁ ନିନ୍ଦା କରିଥିଲେ ଏବଂ ଆତଙ୍କବାଦ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ଉପରେ ଗୁରୁତ୍ୱ ଦେଇଥିଲେ। ସେମାନେ ଆତଙ୍କବାଦକୁ ଧର୍ମ କିମ୍ବା ଜାତୀୟତା ସହିତ ଯୋଡ଼ିବାର ବିରୋଧ କରିଥିଲେ।
ଘୋଷଣାପତ୍ର ଉପସ୍ଥାପନ କରିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଆଜିର ବୈଠକ ଅତ୍ୟନ୍ତ ଫଳପ୍ରଦ ଏବଂ ସୃଜନଶୀଳ ରହିଛି। ଏହି ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ମିଳିତ ପ୍ରତିବଦ୍ଧତା ସ୍ପଷ୍ଟ ଭାବେ ସାମ୍ନାକୁ ଆସିଛି। ବଦଳୁଥିବା ବିଶ୍ୱକୁ ପୁରୁଣା ବ୍ୟବସ୍ଥା ଓ ପୁରୁଣା ସମ୍ବଳ ଆଧାରରେ ପରିଚାଳନା କରାଯାଇପାରିବ ନାହିଁ। ବିଶ୍ୱର ପ୍ରମୁଖ ସଂସ୍ଥାଗୁଡ଼ିକରେ ସଂସ୍କାରର ଆବଶ୍ୟକତା ରହିଛି। ଗ୍ଲୋବାଲ ସାଉଥ୍ ଦେଶଗୁଡ଼ିକୁ ମଧ୍ୟ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ଅଧିକ ଭାଗୀଦାର କରିବା ଆବଶ୍ୟକ।
ବ୍ରିକ୍ସ ପକ୍ଷରୁ ଜାରି କରାଯାଇଥିବା ମିଳିତ ଘୋଷଣାପତ୍ର ପ୍ରାୟ ପଞ୍ଚଚାଳିଶ ପୃଷ୍ଠାର। ଏଥିରେ ବହୁପକ୍ଷୀୟ ବ୍ୟବସ୍ଥା, ଆନ୍ତର୍ଜାତିକ ଆଇନର ସମ୍ମାନ, ଗଣତନ୍ତ୍ର, ମାନବାଧିକାର ଏବଂ ବିଶ୍ୱସ୍ତରୀୟ ସଂସ୍ଥାରେ ସଂସ୍କାର ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ସ୍ଥାନ ପାଇଛି। ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ବହୁପକ୍ଷୀୟ ବ୍ୟବସ୍ଥା ଏବଂ ଆନ୍ତର୍ଜାତିକ ଆଇନର ମୂଳ ନୀତିକୁ ସମ୍ମାନ କରିବା ଉପରେ ଜୋର ଦେଇଛନ୍ତି।