ଆଜି ୧୨ଘଣ୍ଟିଆ ନୀଳଗିରି ବନ୍ଦ: ସାମ୍ବାଦିକ ଲୋକନାଥ ଦଳେଇଙ୍କ ଗୋଡ଼ରେ ବେଡି ପକାଇବାକୁ ନେଇ ପ୍ରତିବାଦ

ନୀଳଗିରି : ଆଜି ୧୨ଘଣ୍ଟିଆ ନୀଳଗିରି ବନ୍ଦ | ସାମ୍ବାଦିକ ଲୋକନାଥ ଦଳେଇଙ୍କ ଗୋଡ଼ରେ ବେଡି ପକାଇ ପୋଲିସ ନିର୍ଯାତନା ଦେବା ଘଟଣାରେ ପ୍ରତିବାଦ ସ୍ୱରୂପ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି | ଏଥିରେ ନୀଳଗିରିର ସମସ୍ତ ରାଜନୈତିକ ଦଳ, ଜନସାଧାରଣ, ସାମ୍ବାଦିକ ସାମିଲ ହୋଇଛନ୍ତି ।

ତେବେ କେବଳ ଶିକ୍ଷାନୁଷ୍ଠାନ ଓ ଜରୁରୀକାଳୀନ ସେବା ଛାଡିଦେଲେ ଆଉ ସମସ୍ତ ଅଫିସ ,ଦୋକାନ ବନ୍ଦ ହୋଇଛି। ସେରଗଡ଼ ଓ ଉଦଳା ରାଜ୍ୟରାଜପଥ ବନ୍ଦ କରି ଦିଆଯାଇଛି। ସାମ୍ବାଦିକଙ୍କ ଉପରେ ପୋଲିସର ଏଭଳି ଜୁଲମକୁ ସବୁ ଆଡେ ନିନ୍ଦା କରାଯାଉଛି । ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯାଇଛି |

ଥାନାଧିକାରୀ ‌ଦ୍ରୌପଦୀ ଦାସ ଏବଂ ତଦନ୍ତକାରୀ ଅଧିକାରୀ ସୁବର୍ଣ୍ଣା ବେହେରାଙ୍କୁ ନିଲମ୍ବନ ସହ ଲୋକନାଥଙ୍କ ବିରୋଧରେ ହୋଇଥିବା ମିଥ୍ୟା ମାମଲା ପ୍ରତ୍ୟାହାର ପାଇଁ ଦାବି କରାଯାଇଛି |

ସେହିପରି ମାନସିକ ଓ ଶାରୀରିକ ନିର୍ଯାତନାର ଶିକାର ହୋଇଥିବା ଲୋକନାଥଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ ପାଇଁ ନୀଳଗିରି ବାସିନ୍ଦା ଦାବି କରିଥିବାବେଳେ ସୁସ୍ଥ ହେବା ପରେ ଲୋକନାଥଙ୍କୁ ଗତକାଲି ଜାମିନ ମିଳିଛି | ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ପୁଲିସ ନିର୍ଯାତନା ନେଇ ଦେଶ ସାରା ଚର୍ଚ୍ଚା ହୋଇଥିଲା ଓ ରାଜ୍ୟର ଶହ ଶହ ସାମ୍ବାଦିକ ଆନ୍ଦୋଳନକୁ ଓହ୍ଲାଥିଲେ |

ସଂପୃକ୍ତ ହାବିଲଦାର ଚିତ୍ତରଂଜନ ସିଂ’ଙ୍କୁ ନିଲମ୍ବନ କରାଯାଇଥିବାବେଳେ ଥାନାଧିକାରୀ ‌ଦ୍ରୌପଦୀ ଦାସ ଏବଂ ତଦନ୍ତକାରୀ ଅଧିକାରୀ ସୁବର୍ଣ୍ଣା ବେହେରାଙ୍କୁ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରାଯାଇଛି |

ସୂଚନାଯୋଗ୍ୟ, ନୀଳଗିରି ପୁଲିସ୍ ଏକ ମିଥ୍ୟା ମାମଲାରେ ସମ୍ବାଦ ଓ କନକ ନ୍ୟୁଜ୍‌ର ସ୍ଥାନୀୟ ପ୍ରତିନିଧି ଲୋକନାଥ ଦଳେଇଙ୍କୁ ଗିରଫ କରିଥିଲା । ଗତ ମଙ୍ଗଳବାର ରାତିରେ ଶ୍ରୀ ଦଳେଇ ଘରକୁ ଫେରୁଥିବା ବେଳେ ନୀଳଗିରି ଥାନାର ଜଣେ ହୋମ୍‌ଗାର୍ଡ ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲେ। ଘଟଣାସ୍ଥଳରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ସ୍ଥାନୀୟ ବାସିନ୍ଦାଙ୍କ ହସ୍ତକ୍ଷେପ ଫଳରେ ଆପୋଷ ସମାଧାନ ହୋଇଥିଲା। କିନ୍ତୁ ବୁଧବାର ସକାଳେ ହଠାତ୍ ପୁଲିସ ଲୋକନାଥଙ୍କୁ ଗିରଫ କରି ୧୨ଘଣ୍ଟା ଥାନାରେ ବସାଇବା ସହ ମାନସିକ ଓ ଶାରୀରିକ ଅତ୍ୟାଚାର କରିଥିଲା। ତେବେ ଶ୍ରୀ ଦଳେଇଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ହେବାରୁ ତାଙ୍କୁ ରାତିରେ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ପୁଲିସ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇଥିଲା।

Related Posts