ଜୟଦେବଙ୍କୁ ନିରଂଜନଙ୍କ କର୍ଣ୍ଣମନ୍ତ୍ର ; ମୁଁ ରାଜ୍ୟ ଜଗୁଛି ତୁ ଜିଲ୍ଲା ଦେଖ

ସତ୍ୟପାଠ ବ୍ୟୁରୋ : ଗୋଟିଏ ମଂଚରେ ଗୋଟିଏ ଫ୍ରେମରେ ପୂର୍ବତନ ପିସିସି ସଭାପତି ଓ ବର୍ତ୍ତମାନର ପିସିସି ସଭାପତି । କଥାଟା ଶୁଣିବାକୁ ଟିକିଏ ଅଡୁଆ ଲାଗୁଥିଲେ ବି ଏହା ସତ । କେନ୍ଦୁଝର ଆନନ୍ଦପୁରରେ ଅନୁଷ୍ଠିତ ଜନଜାଗରଣ ଓ ଚାଷୀ ସମାବେଶରେ ଏକାଠି ଦେଖିବାକୁ ମିଳିଥିଲା ଉଭୟ ଜୟଦେବ ଜେନା ଓ ନିରଂଜନ ପଟ୍ଟନାୟକଙ୍କୁ । ଯାହାକୁ ନେଇ ଆରମ୍ଭ ହୋଇଛି ହଟଚମଟ ।

ଓଡିଶା ରାଜନୀତିରେ ସମ୍ୟକ ଧାରଣା ରଖୁଥିବା ବ୍ୟକ୍ତି ବି ଜାଣନ୍ତି ଅତୀତରେ କଂଗ୍ରେସରେ ଜୟଦେବ ଜେନା ଓ ଶ୍ରୀକାନ୍ତ ଜେନା ଗୋଟିଏ ପଟେ ଥିବା ବେଳେ ନିରଂଜନ ପଟ୍ଟନାୟକ ଆଉ ଗୋଟିଏ ପଟେ ଥିଲେ । ଏପରିକି ନିରଂଜନଙ୍କୁ ସଭାପତି ପଦରୁ ହଟାଇବା ପଛରେ ଜେନା ଆଣ୍ଡ କୋ ହିଁ ଥିଲେ । ତେଣୁ ସେ ଦୃଷ୍ଟିରୁ ଜୟଦେବ ଓ ନିରଂଜନଙ୍କ ମଧ୍ୟରେ ସଂପର୍କ ଯେ ସାପ ଆଉ ନେଉଳର ତାହା କାହାକୁ ଅଛପା ନାହିଁ । କିନ୍ତୁ ଏ ସଂପର୍କ ନିର୍ବାଚନ ପୂର୍ବରୁ ବଦଳି ଯାଇଛି । ଯାହା ଦେଖିବାକୁ ମିଳିଥିଲା କେନ୍ଦୁଝରରେ ।

ଗୋଟିଏ ଫ୍ରେମରେ ଜୟଦେବ ଓ ନିରଂଜନ

ଜୟଦେବଙ୍କ ନିର୍ବାଚନମଣ୍ଡଳୀ ଆନନ୍ଦପୁରରେ ଅନୁଷ୍ଠିତ ହୋଇଥିଲା ଜନଜାଗରଣ ଓ ଚାଷୀ ସମାବେଶ । ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ସହ ପିସିସି ସଭାପତି ନିରଂଜନ ବାବୁ , ଚିରଜିଂବୀ ବିଶ୍ୱାଳ ଓ ସୁର ରାଉତରାୟଙ୍କ ଭଳି ବରିଷ୍ଠ ନେତା ଯୋଗଦେଇ କଂଗ୍ରେସର ଆଭିମୁଖ୍ୟ ବିଷୟରେ କହିଥିଲେ । କିନ୍ତୁ କଥାରେ କଥାରେ ଜୟଦେବଙ୍କ ସମ୍ପର୍କରେ ନିରଂଜନ କହିଥିଲେ , “ ମୁଁ ରାଜ୍ୟ ଦେଖୁଛି ତୁ ଜିଲ୍ଲା ଦେଖ । କିଏ କହୁଛି ଆମ ଭିତରେ ସମ୍ପର୍କ ଖରାପ ବୋଲି, ଯିଏ କହୁଛି ସେ ଆଜି ସଭାକୁ ଆସି ପ୍ରମାଣ ନେଇକି ଯାଉ । ଆମ ଭିତରେ କିଛି ଖରାପ ସମ୍ପର୍କ ନାହିଁ । ବରଂ ଆମେ ଏକାଠି ଥିଲୁ, ଏକାଠି ଅଛୁ ଓ ଏକାଠି ରହିବୁ ।”

ଖାଲି ସେତିକି ନୁହେଁ, ଜୟଦେବ ଜେନା ଜିତିଲେ ହିଁ ନିରଂଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇପାରିବ ବୋଲି କହି ଜୟଦେବଙ୍କ ସପକ୍ଷରେ ଭୋଟ ମାଗିଥିଲେ ସଭାପତି ନିରଂଜନ । ତେବେ ନିର୍ବାଚନ ପୂର୍ବରୁ କ୍ଷମତାକୁ ଫେରିବା ପାଇଁ ନିରଂଜନ କେବଳ ଏହା କହିଛନ୍ତି ନା ସତରେ ସେମାନଙ୍କ ସମ୍ପର୍କ ସୁଧୁରି ଯାଇଛି ତାହା ଉପସ୍ଥିତ ନେତା ଓ କର୍ମୀଙ୍କ ମନରେ ଗୁଞ୍ଜରଣ ସୃଷ୍ଟି କରିଥିଲା । ଲୋକେ କହୁଥିଲେ, ପଟ୍ଟନାୟକ ବାବୁ ଯାହା କହୁଛନ୍ତି ତାହା ପେଟରୁ ନା ପାଟିରୁ……

Related Posts