ବହୁତ ହେଲା ବନବାସ, ଏବେ ବାଲ୍ମିକୀ ହେବାକୁ ସୁଯୋଗ ଦିଅନ୍ତୁ

ସତ୍ୟପାଠ ବ୍ୟୁରୋ : ଶୀର୍ଷକ ପଢ଼ି ପାଠକେ ହଠାତ ଭାବୁଥିବେ ଆମେ ଏମିତି କଣ ଲେଖୁଛୁ । ଏକଥା ଆମେ କହୁନୁ । ଗତକାଲି କେନ୍ଦୁଝର ଆନନ୍ଦପୁରରେ ଅନୁଷ୍ଠିତ ଜନଜାଗରଣ ଓ ଚାଷୀ ସମାବେଶରେ କିଛି ଏମିତି କହିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ସମାବେଶରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧନ କରିବା ବେଳେ ବେଶ କିଛି ସମୟ ପାଇଁ ଭାବୁକ ହୋଇ ପଡିଥିବା ନିରଂଜନଙ୍କ ଏହି ରୋଚକ ବିବୃତି ଏବେ ରାଜ୍ୟ ରାଜନୀତିରେ ଭାଇରାଲ ହେବାରେ ଲାଗିଛି ।

କେଉଁଝର ଚାଷୀ ସମାବେଶରେ ଉଦବୋଧନ ଦେଉଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ

ସମାବେଶରେ ଉଦବୋଧନ ଦେଇ ନିରଂଜନ କହିଛନ୍ତି, ଆମେ ଅତୀତରେ ଅନେକ ଭୁଲ କାମ କରିଛୁ । ଏକଥାକୁ ମନା କରିବା ଭୁଲ ହେବ । ଆମେ ଭୁଲ କରିଛୁ, ସେଥିପାଇଁ ଓଡିଶାବାସୀ ଆମକୁ ଅର୍ଥାତ କଂଗ୍ରେସକୁ ଦଣ୍ଡ ଦେଇ ଚାଲିଛନ୍ତି । ୧୯ବର୍ଷ ଧରି କ୍ଷମତାରୁ ଦୂରେଇ ରଖିବା କଣ କମ୍ ଦଣ୍ଡ କି ? ହେଲେ ଆମ ଭୁଲ ପାଇଁ ଆପଣମାନେ ଯେଉଁ ଦଣ୍ଡ ଦେଇଛନ୍ତି ତାହା ଟିକିଏ ଅଧିକ ହୋଇ ଯାଉନାହିଁ କି ? ଅନ୍ତତଃ ଆମକୁ ଥରେ ସୁଯୋଗ ଦେଇ ଦେଖନ୍ତୁ ଆମେ ବାଲ୍ମିକୀ ହୋଇପାରୁଛୁ କି ନାହିଁ !

ରାଜନୀତିରେ ନିଜର ଅତୀତକୁ ନେଇ ଏଭଳି ଶବ୍ଦ ବ୍ୟବହାର କରିବା ବୋଧହୁଏ ବିରଳ । କାରଣ ଜଣେ ବ୍ୟକ୍ତି ଖୁଲେଆମ୍ ନିଜର ଅତୀତର ଦୋଷ ଦୁର୍ବଳତା ଓ ଭୁଲକୁ ସ୍ୱୀକାର କରିବା ସାଧାରଣତଃ ରାଜନେତାଙ୍କ କ୍ଷେତ୍ରରେ ଦେଖିବାକୁ ମିଳେନାହିଁ । ତାହା ପୁଣି ନିର୍ବାଚନକୁ ଖୁବ କମଦିନ ଥିବା ବେଳେ । କିନ୍ତୁ ଏକଦମ ସ୍ପଷ୍ଟ ଓ ନିର୍ବିବାଦର ସହ ନିଜର ଭୁଲ ଓ ଦୋଷତ୍ରୁଟିକୁ ସର୍ବସାଧାରଣରେ ପ୍ରକାଶ କରି ଉକ୍ତ ତ୍ରୁଟିକୁ ସୁଧାରିବାକୁ ଚାହିଁବା ନିରଂଜନଙ୍କ ବ୍ୟକ୍ତିତ୍ୱକୁ ମଧ୍ୟ ପ୍ରମାଣ କରୁଛି ।

କେଉଁଝର ଚାଷୀ ସମାବେଶରେ ସାମିଲ ହୋଇଥିବା ଜନସାଧାରଣ

ସମସ୍ତେ ଜାଣନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକଙ୍କ ସରକାର ପରଠାରୁ ଲଗାତର କଂଗ୍ରେସ କ୍ଷମତା ଠାରୁ ଦୂରରେ ରହିଛି । ତେବେ କଂଗ୍ରେସର କହିବା କଥା ସେତେବେଳର ସବୁ ନେତା ଖରାପ ନଥିଲେ କି ଆଜି ବି ସବୁ ନେତା ଖରାପ ନାହାଁନ୍ତି । ଯେହେତୁ କଂଗ୍ରେସ ସରକାର ଗଢ଼ିବାକୁ ସୁଯୋଗ ପାଇନାହିଁ ତେଣୁ ନିଜକୁ ସଚ୍ଚୋଟ ବୋଲି ପୁଣିଥରେ ପ୍ରମାଣିତ କରିବା ସମ୍ଭବ ହୋଇନାହିଁ । ଏହି ଅବସରରେ କଂଗ୍ରେସ ସରକାରକୁ ଆସିଲେ ଚାଷୀଋଣ ଛାଡ, ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସଂସ୍କାର ଆଣିବା ଭଳି ନିର୍ବାଚନୀ ପ୍ରତିଶ୍ରୁତି ବି ଦେଇଛନ୍ତି ନିରଂଜନ ।

ତେବେ ଶେଷରେ ଗୋଟିଏ କଥା କହିଥିଲେ, “ଦସ୍ୟୁ ରତ୍ନାକର ଦିନେ ବାଲ୍ମିକୀ ହେବାକୁ ସୁଯୋଗ ପାଇଥିଲା । କଂଗ୍ରେସ ବି ନିଜକୁ ଦସ୍ୟୁରୁ ବାଲ୍ମିକୀ କରିବାକୁ ଚାହୁଁଛି । ତାହାକୁ ସୁଯୋଗ ଦେବା ଆପଣମାନଙ୍କର କାମ । ଥରେ ସୁଯୋଗ ଦେଇକି ଦେଖନ୍ତୁ , ଯଦି ବାଲ୍ମିକୀ ନହେଲୁ ଆଉ କେବେ ସୁଯୋଗ ମାଗିବୁନି କି ଆପଣ ବି କେବେ ସୁଯୋଗ ଦେବେନାହିଁ ।” ସାଧାରଣ ସଭାରେ ନିରଂଜନ ପଟ୍ଟନାୟକଙ୍କ ଏଭଳି ବାଲ୍ମିକୀ ଉପାଖ୍ୟାନ ଏବେ ସବୁ ମହଲରେ ଆଲୋଚନାର ଶୀର୍ଷକ ପାଲଟିଛି ।

Related Posts