22ରେ ନିର୍ଭୟା ଫାଶୀ

(ସତ୍ୟପାଠ ବ୍ୟୁରୋ) ନୂଆଦିଲ୍ଲୀ: ଜାନୁଆରି 22ରେ ନିର୍ଭୟା ଗଣବଳାତ୍କାର ଓ ବିଭତ୍ସ ହତ୍ୟାକାଣ୍ଡର ଦୋଷୀଙ୍କୁ ହେବ ଫାଶୀ । ଏନେଇ  ଆଜି ପଟିଆଲା ହାଉସ କୋର୍ଟ ୪ ଦୋଷୀଙ୍କ ଫାଶୀ ଦଣ୍ଡକୁ କାଏମ ରଖିବା ସହ ଜାନୁଆରୀ ୨୨ରେ ସକାଳ ସାତଟାରେ ଦୋଷୀଙ୍କୁ ଫାଶୀ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦୀର୍ଘ ୭ ବର୍ଷର ଅପେକ୍ଷା ପରେ ନିର୍ଭୟା ଦୋଷୀଙ୍କ ଫାଶୀଦଣ୍ଡାଦେଶ ତାରିଖ ଧାର୍ଯ୍ୟ ହୋଇଛି । ନିର୍ଭୟା ଦୋଷୀଙ୍କୁ ଖୁବ୍ ଶୀଘ୍ର ଫାଶୀ ଦେବା ପାଇଁ ପୀଡିତାଙ୍କ ମାଆ ଆବେଦନ କରିଥିଲେ। ଆସନ୍ତା ୨୨ ତାରିଖରେ ନିର୍ଭୟାର ୪ ଜଘନ୍ୟ ଦୋଷୀଙ୍କୁ ତିହାର ଜେଲରେ ଫାଶୀ ଦିଆଯିବ।

ତେବେ ନିର୍ଭୟା ଗଣବଳାତ୍କାରର 4 ଦୋଷୀଙ୍କୁ ଫାଶୀରେ ଝୁଲାଇବା ପାଇଁ ଉଭୟ ଫାଶୀ ଦଉଡ଼ି ଓ ଘାତକ ଆଦେଶକୁ ଅପେକ୍ଷା କରିଥିଲେ । ସେମାନଙ୍କ ଫାଶୀ ପାଇଁ ଜାତୀୟ ରାଜଧାନୀ ଦିଲ୍ଲୀର ତିହାର ଜେଲରେ ଅନ୍ୟାନ୍ୟ ଆବଶ୍ୟକ ପଦକ୍ଷେପ ନିଆଯାଇଥିଲା । ଫାଶୀ ପାଇବାକୁ ଥିବା ଦୋଷୀମାନଙ୍କ ମଧ୍ୟରୁ ଜଣେ ଫାଶୀର ଦିନ ଗଡ଼ାଇବାକୁ ଉଦ୍ୟମ କରିଥିବାବେଳେ, ସୋମବାର ତାହା ବିଫଳ ହୋଇଥିଲା । ଅଦାଲତ ଏହାକୁ ଖାରଜ କରିଥିଲେ ।

ସୂଚନାଅନୁସାରେ ୨୩ ବର୍ଷୀୟ ନିର୍ଭୟା ଗଣଦୁଷ୍କର୍ମ ମାମଲା ୨୦୧୨ ଡିସେମ୍ବର ୧୬ରେ ଦିଲ୍ଲୀରେ ଘଟିଥିଲା । ଏହି ଘଟଣା ସମଗ୍ର ଦେଶକୁ ହତୋତ୍ସାହିତ କରିଥିଲା । ଏହି ବିଭତ୍ସ ଘଟଣାର ପରଦିନ ସମ୍ପୂର୍ଣ୍ଣ ଦେଶ ଅଭିଯୁକ୍ତମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ବିରୋଧ ପ୍ରଦର୍ଶନ କରିଥିଲା । ଏହି ଘଟଣାରେ ୬ ଜଣ ସଂପୃକ୍ତ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ଥିବା କାରଣରୁ ତାଙ୍କୁ ବାଳ ସୁଧାର ଗୃହରେ ରଖାଯାଇଥିବା ବେଳେ ଅନ୍ୟ ଜଣେ ଦୋଷୀ ଜେଲରେ ଫାଶୀ ଭୟରେ ଆତ୍ମହତ୍ୟା କରିଥିଲେ । ଏବେ ପବନ କୁମାର ଗୁପ୍ତା, ମୁକେଶ ସିଂହ, ବିନୟ ଶର୍ମା ଓ ଅକ୍ଷୟ କୁମାରଙ୍କ ବିରୋଧରେ ମାମଲା ଚାଲିଥିଲା ।

Related Posts