ଉତ୍କଳ ବାଳାଶ୍ରମରୁ ୧୩ ନାବାଳିକା ନିଖୋଜ ଘଟଣା: ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗକୁ ସ୍ମାରକପତ୍ର ଦେଲା କଂଗ୍ରେସ

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମପୁର ନିକଟସ୍ଥ ଉକ୍ରଳ ବାଳାଶ୍ରମରେ ୧୩ ଜଣ ନାବାଳିକା ଗତକାଲି ନିଖୋଜ ଘଟଣା ରାଜ୍ୟବାସୀଙ୍କ ମନରେ ନାନାଦି ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଗତ ୧ ବର୍ଷ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ପ୍ରାୟ ୩୮ ଜଣ ନାବାଳିକା ନିଖୋଜ ଘଟଣା ରାଜ୍ୟବାସୀଙ୍କୁ ବ୍ୟଥିତ କରିଛି । ଓଡିଶା ପ୍ରଦେଶ କଂଗ୍ରେସ କମିଟିର ମାନନୀୟ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନଙ୍କୁ ସାକ୍ଷାତ କରିବା ସହ ଅବିଳମ୍ବେ ଅଧ୍ୟକ୍ଷା ଘଟଣାସ୍ଥଳ ଗସ୍ତ କରି ରାଜ୍ୟବାସୀଙ୍କ ଆଗରେ ଉକ୍ତ ଘଟଣାର ସବିଶେଷ ତଥ୍ୟର ଖୁଲାସା କରିବାକୁ କଂଗ୍ରେସ ପ୍ରତିନିଧିମଣ୍ଡଳୀମାନେ ଦୃଢ଼ ଦାବି କରିଛନ୍ତି । ଉକ୍ତ କଂଗ୍ରେସ ପ୍ରତିନିଧି ମଣ୍ଡଳୀରେ ଶ୍ରୀମତୀ ରଶ୍ମି ମହାପାତ୍ର, ବିଣାପାଣି ସାମଲ, ସ୍ୱାଧିନବାଳା ଦାସ, ଶ୍ରିୟାସ୍ମିତା ପଣ୍ଡା, ସିପ୍ରା ସେନାପତି, ସତ୍ୟପ୍ରକାଶ ନାୟକ, ପଦ୍ମାକର ଗୁରୁ, ନରେଶ ମହାନ୍ତି, ରଜନୀ ମହାନ୍ତି ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।

ଗୋଟିଏ ଦିନରେ ଗୋଟିଏ ବାଳାଶ୍ରମରୁ ୧୩ ଜଣ ନାବାଳିକା ନିଖୋଜ ହେବା ଏବଂ ପ୍ରାୟ ୨୪ ଘଂଟା ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି ସୁରାକ ପାଉନଥିବା ଘଟଣା ଦର୍ଶାଉଛି ଯେ ବାଳାଶ୍ରମଗୁଡିକରେ ରହୁଥିବା ନାବାଳକ ଓ ନାବାଳିକାମାନଙ୍କର ସୁରକ୍ଷା କେତେ ବିପନ୍ନ । ପ୍ରତ୍ୟେକ ବର୍ଷ ରାଜ୍ୟରେ ଯେଭଳି ଶତାଧିକ ନାବାଳକ ଓ ନାବାଳିକା ନିଖୋଜ ହେଉଛନ୍ତି ଏହା ପଛରେ ଏକାଧିକ ଶିଶୁ ଚାଲାଣ ର‌୍ୟାକେଟ୍ ସକ୍ରୀୟ ଭାବରେ କାର୍ଯ୍ୟ କରୁଛି ବୋଲି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗର କିଛି ଅଧିକାରୀଙ୍କ ସଲାସୁତୁରାରେ ଏହି ର‌୍ୟାକେଟ୍ କାର୍ଯ୍ୟ କରୁଛି ବୋଲି ଶ୍ରୀ ନାୟକ କହିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଗତ ୧ ବର୍ଷ ମଧ୍ୟରେ କେବଳ ଗଞ୍ଜାମ ଜିଲ୍ଲାରେ ୭ଟି ବିଭିନ୍ନ ବାଳାଶ୍ରମରୁ ୩୮ ଜଣ ନାବାଳିକା ନିଖୋଜ ହୋଇଛନ୍ତି । ଆହୁରି ଦୁର୍ଭାଗ୍ୟଜନକ ଯେ ଦୁଇଜଣ ନାବାଳିକା ଆତ୍ମହତ୍ୟା କରିଛନ୍ତି । ଏଭଳି ଅଭାବନୀୟ ଘଟଣା ବାରମ୍ବାର ଘଟୁଥିବା ସତ୍ୱେ କୌଣସି ଅଧିକାରୀ ବା ବାଳାଶ୍ରମ କର୍ତୃପକ୍ଷଙ୍କ ବିରୋଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆ ନଯିବା ଘଟଣା ଜିଲ୍ଲା ଓ ରାଜ୍ୟ ପ୍ରଶାସନର ଖାମଖିଆଲି ନୀତିକୁ ଦର୍ଶାଉଛି ବୋଲି ଶ୍ରୀ ନାୟକ ଅଭିଯୋଗ କରିଛନ୍ତି ।

୨୦୧୬ ସେପ୍ଟେମ୍ବର ଠାରୁ ଆଜିଯାଏଁ ରାଜ୍ୟରେ ୬୫୭୯ ଜଣ ନାବାଳକ ଓ ନାବାଳିକା ନିଖୋଜ ହୋଇଛନ୍ତି ବୋଲି ସରକାରୀ ସୂତ୍ର କହୁଛି । ଏଥିରୁ ୫୦୨୮ ଜଣ ହେଉଛନ୍ତି କେବଳ ନାବାଳିକା । ଏଭଳି ଅଭାବନୀୟ ଓ ହୃଦୟବିଦାରକ ତଥ୍ୟ ପ୍ରମାଣ କରୁଛି ଯେ ରାଜ୍ୟରେ ଅନାଥ ଓ ବିପନ୍ନ ଶିଶୁମାନଙ୍କର ଏକାଧିକ ଚାଲାଣ ର‌୍ୟାକେଟ୍ ସକ୍ରୀୟ ଭାବରେ କାର୍ଯ୍ୟ କରୁଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ନବୀନ ବାବୁଙ୍କ କାର୍ଯ୍ୟକାଳରେ ପ୍ରଶାସନିକ ଅବହେଳା ଯୋଗୁଁ ଶିଶୁ ନିଖୋଜ ଘଟଣାରେ ସମଗ୍ର ପୂର୍ବୋତର ରାଜ୍ୟମାନଙ୍କ ମଧ୍ୟରେ ଓଡିଶାର ସ୍ଥାନ ଦୁଇ ନମ୍ବର ଯାହାକି ଅତ୍ୟନ୍ତ ଲଜ୍ଜାଜନକ ଓ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ନାୟକ କହିଛନ୍ତି । ଉକ୍ରଳ ବାଳାଶ୍ରମରେ ହୋଇଥିବା ୧୩ ଜଣ ନାବାଳିକା ଘଟଣାର ତୁରନ୍ତ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସରକାରଙ୍କ ନିକଟରେ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।

Related Posts