ନବ ଗଠିତ ବିଜେପି ସଂସଦୀୟ ବୋର୍ଡରୁ ବାଦ୍ ପଡିଲେ ନୀତିନ ଗଡ଼କରୀ ଓ ଶିବରାଜ ସିଂହ ଚୌହାନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦଳର ସଂସଦୀୟ ବୋର୍ଡ଼ର ପୁନର୍ଗଠନ କରିଛନ୍ତି । ତେବେ ନବ ଗଠିତ ସଂସଦୀୟ ବୋର୍ଡ଼ରୁ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ବାଦ ପଡ଼ିଛନ୍ତି। ତେବେ ସଂସଦୀୟ ବୋର୍ଡ଼ରେ ନୂଆ ସଦସ୍ୟ ଭାବେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ଦୁରପ୍ପାଙ୍କ ସମେତ ସୁଦ୍ଧା ଯାଦବ, ଇକବାଲ ସିଂହ ଲାଲପୁରା, ସର୍ବାନନ୍ଦ ସୁନୁୱାଲ, କେ ଲକ୍ଷ୍ମଣ ଏବଂ ସତ୍ୟ ନାରାୟଣ ଜାତିଆଙ୍କୁ ସାମିଲ କରାଯାଇଛି।

ସଂସଦୀୟ ବୋର୍ଡ ହେଉଛି ବିଜେପିର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ କମିଟି । ଏହା ମୁଖ୍ୟମନ୍ତ୍ରୀ, ରାଜ୍ୟ ମୁଖ୍ୟ ଏବଂ ଅନ୍ୟାନ୍ୟ ପ୍ରମୁଖ ଭୂମିକାରେ ଥିବା ନେତାଙ୍କ ଦାୟିତ୍ୱ ସ୍ଥିର କରିଥାଏ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ କମିଟିରୁ ନୀତିନ ଗଡକରୀଙ୍କୁ ବାଦ ଦିଆଯିବା ତାଙ୍କ ପ୍ରତି ଏକ ବଡ଼ ଝଟକା ବୋଲି କୁହାଯାଊଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରରେ ଗଡ଼କରୀ ହେଉଛନ୍ତି ଜଣେ ବରିଷ୍ଠ ମନ୍ତ୍ରୀ। ସେ ପୂର୍ବରୁ ମଧ୍ୟ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିଲେ। ତେବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସଂସଦୀୟ ବୋର୍ଡରେ ସାମିଲ ହୋଇଛନ୍ତି।

ସବଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଗତ ବର୍ଷ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ବିଏସ ୟେଦୁରପ୍ପାଙ୍କୁ ବାଧ୍ୟ କରାଯାଇଥିଲା। ହେଲେ ଏବେ ତାଙ୍କୁ ବଡ଼ ପୁରସ୍କାର ସୂରୂପ ସଂସଦୀୟ ବୋର୍ଡରେ ସାମିଲ କରାଯାଇଛି। କର୍ଣ୍ଣାଟକରେ ତାଙ୍କର ରାଜନୈତିକ ପତିଆରା ଥିବାରୁ ତାଙ୍କୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ ହୋଇଛି ବୋଲି କୁହାଯାଉଛି । ସେହିପରି ମହାରାଷ୍ଟ୍ରର ଉପମୁଖ୍ୟନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କୁ ଏହି ବୋର୍ଡ଼ରେ ନୂତନ ଭାବେ ସାମିଲ କରାଯାଇଛି ।

Related Posts