ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଖୁବ୍ ପ୍ରଶଂସା କରୁଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ। ଆର୍ଥିକ ସୁଧାର ଜରିଆରେ ଦେଶକୁ ନୂତନ ଦିଗ ଦେବା ନେଇ ତାଙ୍କ ଅବଦାନକୁ ନେଇ ଖୁବ୍ ପ୍ରଶଂସା କରିବା ସହ ଭୁଲି ହେବନି ବୋଲି କହିଛନ୍ତି ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ। ସେ ମଙ୍ଗଳବାର କହିଛନ୍ତି, ଭାରତକୁ ଏକ ଉଦାର ଆର୍ଥିକ ନୀତିର ଆବଶ୍ୟକତା ରହିଛି, ଯେଉଁଥିରେ ଗରିବ ଉପକୃତ ହେବାର ମହତ ଉଦ୍ଦେଶ୍ୟ ରହିଥିବ। ଗଡକରୀ ଏଠାରେ ଆୟୋଜିତ ‘ଟିଆଇଓଏଲ ପୁରସ୍କାର ୨୦୨୨’ ସମାରୋହକୁ ସମ୍ବୋଧିତ କରି କହିଛନ୍ତି, ୧୯୯୧ରେ ତତ୍କାଳୀନ ଅର୍ଥ ମନ୍ତ୍ରୀ ମନମୋହନ ସିଂହଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ଆର୍ଥିକ ସୁଧାର ଭାରତକୁ ଅନେକ ଦିଗ ଦେଖାଇଛି।

ସେ ପୋର୍ଟାଲ ‘ଟ୍ୟାକ୍ସଇଣ୍ଡିଆଅନଲାଇନ’ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ କହିଛନ୍ତି, ଉଦାର ଅର୍ଥବ୍ୟବସ୍ଥା ଯୋଗୁଁ ଦେଶକୁ ଅର୍ଥନୀତିରେ ଅନେକ ଦିଗ ମିଳିଛି। ଏଥିପାଇଁ ଦେଶ ମନମୋହନ ସିଂହଙ୍କ ଋଣି। ଗଡକରୀ ମନମୋହନଙ୍କ ନୀତି ଯୋଗୁଁ ୯୦ ଦଶନ୍ଧିରେ ମହାରାଷ୍ଟ୍ରର ସଡକ ପାଇଁ ଅର୍ଥ ଯୋଗାଡରେ ଆର୍ଥିକ ସହାୟତା ମିଳି ପାରିଥିବା କହିଛନ୍ତି। ମନମୋହନ ସିଂହଙ୍କ ତରଫରୁ ଆରମ୍ଭ କରାଯାଇଥିବା ଆର୍ଥିକ ସୁଧାର କାରଣରୁ ସେ ମହାରାଷ୍ଟ୍ରର ମନ୍ତ୍ରୀ ଥିବା ସମୟରେ ସଡକ ପ୍ରକଳ୍ପ ପାଇଁ ପାଣ୍ଠି ସଂଗ୍ରହ କରିପାରିଥିଲେ।

ଗଡକରୀ ଏହା ଉପରେ ଜୋର ଦେଇ କହିଛନ୍ତି ଯେ, ଭାରତକୁ ଏପରି ଉଦାର ଆର୍ଥିକ ନୀତିର ଆବଶ୍ୟକତା ରହିଛି, ଯେଉଁଥିରେ ଗରିବ ଉପକୃତ ହୋଇ ପାରିବ। ଉଦାର ଆର୍ଥିକ ନୀତି କୃଷକ ଏବଂ ଗରିବଙ୍କ ଲାଗି ଉଦ୍ଦିଷ୍ଟ ହେବା ଦରକାର। ଉଦାର ଆର୍ଥିକ ନୀତି ଜରିଆରେ ଦେଶର ବିକାଶ କେମିତି କରାଯାଏ ତାର ପ୍ରକୃଷ୍ଟ ଉଦାହରଣ ହେଉଛି ଚୀନ। ଭାରତର ଆର୍ଥିକ ବୃଦ୍ଧିରେ ଗତି ଦେବା ପାଇଁ ଦେଶକୁ ପୁଞ୍ଜି ନିବେଶର ଆବଶ୍ୟକତା ରହିଥିବା ଗଡକରୀ କହିଛନ୍ତି।