ନିଜ ସରକାରଙ୍କୁ ପରୋକ୍ଷରେ ତୀର ମାରିଲେ ନୀତିନ ଗଡକରୀ: ସରକାର ସଠିକ୍ ସମୟରେ ନିଷ୍ପତ୍ତି ନିଅନ୍ତି ନାହିଁ, ଯାହା ବହୁତ ବଡ ସମସ୍ୟା

ନୂଆଦିଲ୍ଲୀ: ନିଜର ନିର୍ଭୀକ ବୟାନ ପାଇଁ ସବୁବେଳେ ଚର୍ଚ୍ଚାର ପରିସର ମଧ୍ୟରେ ରହୁଥିବା କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ପୁଣି ଥରେ ନିଜ ଅନ୍ଦାଜରେ ନିଜ ସରକାରଙ୍କୁ ପରୋକ୍ଷରେ ତୀର ମାରିଛନ୍ତି। ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ନିଜ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ସରକାର ସଠିକ୍ ସମୟରେ ନିଷ୍ପତ୍ତି ନିଅନ୍ତି ନାହିଁ, ଯାହା ବହୁତ ବଡ ସମସ୍ୟା ବୋଲି କହିଛନ୍ତି ।

NATCON 2022 କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ନୀତିନ ଗଡକରୀ କହିଛନ୍ତି, ଆପଣ ସମସ୍ତେ ଚମତ୍କାର କରି ପାରିବେ। ଏଠାରେ ଅପାର ସମ୍ଭାବନା ରହିଛି ଏବଂ କ୍ଷମତା ମଧ୍ୟ ରହିଛି। ମୋର କହିବା କଥା ଭାରତରେ ଭିତ୍ତିଭୂମିର ଭବିଷ୍ୟତ ଉଜ୍ଜ୍ଵଳ ରହିଛି। ଆମକୁ ଉନ୍ନତ ଜ୍ଞାନ କୌଶଳ ଏବଂ ନୂତନ ସୁଧାରକୁ ସ୍ଵୀକାର କରିବାକୁ ପଡିବ। ଆମକୁ ଦୁନିଆ ଏବଂ ଭାରତର ଉନ୍ନତ ଗବେଷଣା ଏବଂ ସଫଳ ଅଧ୍ୟୟନକୁ ମଧ୍ୟ ସ୍ଵୀକାର କରିବାକୁ ପଡିବ ବୋଲି ଗଡକରୀ କହିଛନ୍ତି।

ନୀତିନ ଗଡକରୀ କହିଛନ୍ତି, ଆମ ପାଖରେ ଅନେକ ବିକଳ୍ପ ରହିଛି। ଆମକୁ ଗୁଣବତ୍ତାରେ କୌଣସି ସାଲିସ୍ ବିନା ଅଳ୍ପ ବଜେଟ୍‌ରେ ବି କାମ କରି ପାରିବା। ନିର୍ମାଣ କାର୍ଯ୍ୟରେ ସମୟ ବହୁତ ଗୁରୁତ୍ଵପୂର୍ଣ୍ଣ। ଏହା ହିଁ ସବୁଠୁ ବଡ ପୁଞ୍ଜି। ମାତ୍ର ସବୁଠୁ ବଡ ସମସ୍ୟା ସରକାର ସଠିକ୍ ସମୟରେ ନିଷ୍ପତ୍ତି ନେଉ ନାହାନ୍ତି। ଆମକୁି ସର୍ବଦା ଏହା ଉପରେ ଧ୍ୟାନ ଦେବା ଉଚିତ୍ ଯେ, କାମ ନିର୍ଦ୍ଧାରିତ ସମୟରେ ହେବା ଉଚିତ୍।

ସେ କହିଛନ୍ତି, ଯେବେ ମୁଁ ମହାରାଷ୍ଟ୍ରରେ ମନ୍ତ୍ରୀ ଥିଲି, ସେହି ସମୟରେ କହିଥିଲି ଗୋଟିଏ ଦିନ ପୂର୍ବରୁ ନିର୍ମାଣ କାମ ସରିଲେ ଏକ ଲକ୍ଷ ଟଙ୍କାର ପୁରସ୍କାର ମିଳିବ। ଯଦି ବିଳମ୍ବ ଘଟେ ତେବେ ସେହି ହିସାବରେ ଜରିମାନା ଦେବାକୁ ପଡିବ। ମହାରାଷ୍ଟ୍ରରେ ମାହିମ ଫ୍ଲାଇଓଭର ନିର୍ମାଣ ପାଇଁ ୨୪ ମାସର ସମୟ ଦିଆଯାଇଥିଲା। ମାତ୍ର ଠିକାଦାର ୨୧ ମାସରେ କାମ ପୂରା କରିଥିଲେ। ଏହି କାରଣରୁ ସେମାନଙ୍କୁ ବୋନସ୍ ମିଳିଥିଲା।

ନୀତିନ ଗଡକରୀ ସର୍ବଦା ଏମିତି ବୟାନ ଦେଇଥାନ୍ତି ଯାହା ବିରୋଧୀଙ୍କୁ ଅନୁକୂଳ ଲାଗିବା ସହ ନିଜ ସରକାରଙ୍କୁ ଅଡୁଆରେ ପକାଇଥାଏ। ଗତ ଦିନରେ ସେ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ, ଆଜିର ରାଜନୀତି କେବଳ କ୍ଷମତା ପାଇଁ କରାଯାଉଚି। ଏହାର ଜନକଲ୍ୟାଣରେ କୌଣସି ନେଣଦେଣ ନାହିଁ। ଅନେକ ଥର ରାଜନୀତିରୁ ସନ୍ନ୍ୟାସ ନେଇଯିବି ବୋଲି ମନରେ ଭାବନା ଆସିଥାଏ ବୋଲି ଗଡକରୀ କହିଛନ୍ତି।

Related Posts